ଜଟଣୀ: ଜଟଣୀ ଥାନା ଅନ୍ତର୍ଗତ ଖୋର୍ଦ୍ଧାରୋଡ୍ ରେଳ ଷ୍ଟେସନ୍ ଅଞ୍ଚଳରେ ଆଜି ଖବର ସଂଗ୍ରହ କରିବାକୁ ଯାଇଥିବା ଜଟଣୀ ସାମ୍ୱାଦିକ ରବୀନ୍ଦ୍ର ନାଥ ମହାକୁଡ଼ଙ୍କୁ କେତେକ ଦୁର୍ବୃତ୍ତ ଆକ୍ରମଣକୁ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଦୁର୍ବୃତ୍ତଙ୍କ ଆକ୍ରମଣରେ ଶ୍ରୀ ମହାକୁଡ଼ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରି ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଛି। ତେବେ ଘଟଣାକୁ ନେଇ ଥାନାରେ ଅଭିଯୋଗ ପରେ ପୁଲିସ ତଦନ୍ତ ଆରwମ୍ଭ କରିଛି।
ଘଟଣାନୁଯାୟୀ, ଆଜି ମଧ୍ୟାହ୍ନ ୨ଟା ବେଳେ ରବୀନ୍ଦ୍ର ଖୋର୍ଦ୍ଧାରୋଡ୍ ରେଳ ଷ୍ଟେସନ୍ ରେ ବେଆଇନ୍ ହକରିଂ ହେଉଥିବା ଖବର ପାଇ ପହଞ୍ଚି ଥିଲେ। ସେଠାରେ ଫଟୋ ଓ ଭିଡିଓ ଉତ୍ତୋଳନ କରୁଥିବା ସମୟରେ ହାଟ ବଜାରର ଟିନୁ ବସ୍ତିଆ ଓ ତାର ୧୦/୧୫ ଜଣ ସହଯୋଗୀ ଘଟଣାସ୍ଥଳରେ ପହଞ୍ଚି ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ପରେ ମୁଣ୍ଡରେ ବନ୍ଧୁକ ଲଗାଇ ଛାତି, ପେଟ ଓ ପିଠିକୁ ବିଧା ଗୋଇଠା ମାରି ତଳେ ପକାଇ ଦେଇଥିଲେ। ତାଙ୍କୁ ଜୀବନରୁ ମାରିଦେବା ସହ ପରିବାର ଲୋକଙ୍କୁ ସଫା କରିଦେବେ ବୋଲି ଧମକ ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପରେ ଖବର ପାଇ ଜଟଣୀର କିଛି ସାମ୍ୱାଦିକ ବନ୍ଧୁମାନେ ପହଞ୍ଚି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଭୁବନେଶ୍ବର ଏମ୍ସ ହସ୍ପିଟାଲ୍ କୁ ସ୍ଥାନାନ୍ତରିତ କରିଥିଲେ। ଏ ନେଇ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ପୁଲିସ ଘଟଣାସ୍ଥଳରୁ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି।