ସାମ୍ବାଦିକ ବରେନ୍ଦ୍ରକୃଷ୍ଣ ଧଳଙ୍କ ଶ୍ରାଦ୍ଧବାର୍ଷିକୀରେ ୱେବିନାର୍‌: ‘ବହୁଳ ବ୍ୟବହାର ଭାଷାକୁ ସମୃଦ୍ଧ କରେ’

ଭୁବନେଶ୍ୱର: ଓଡ଼ିଆ ସାମ୍ବାଦିକତା ଓ ଭାଷା-ସାହିତ୍ୟକୁ ସାମ୍ବାଦିକ ବରେନ୍ଦ୍ରକୃଷ୍ଣ ଧଳଙ୍କ ଅବଦାନ ଅନନ୍ୟ। ନିର୍ଭୀକ ଓ ସତ୍ୟନିଷ୍ଠ ସାମ୍ବାଦିକତାରେ ପ୍ରଖର ବରେନ୍ଦ୍ରକୃଷ୍ଣ ଓଡ଼ିଆ କ୍ରୀଡ଼ା ସାହିତ୍ୟକୁ ବି ରୁଦ୍ଧିମନ୍ତ କରିଛନ୍ତି। ଅନୁରୂପ ଭାବେ ଓଡ଼ିଶାରେ ପୁସ୍ତକ ମେଳା ଆନ୍ଦୋଳନର ପ୍ରମୁଖ କର୍ଣ୍ଣଧାର ଭାବେ ସେ ସ୍ମରଣୀୟ ରହିବେ। ୬୦ ଦଶକରୁ ସାମ୍ବାଦିକତା ଆରମ୍ଭ କରି ପରବର୍ତ୍ତୀ ଜୀବନରେ ମୁକ୍ତବୃତ୍ତି ସାମ୍ବାଦିକ ଭାବେ ସେ ଜନଜୀବନ, ରାଜନୀତି ଓ ସାଂସ୍କୃତିକ ପରିବେଶ ଉପରେ ପ୍ରଦାନ କରିଥିବା ମୁକ୍ତ ବିଚାର ସମସ୍ତଙ୍କୁ ପ୍ରେରଣା ଦେବ। ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ବରେନ୍ଦ୍ରକୃଷ୍ଣ ଧଳ ସ୍ମାରକୀ ନ୍ୟାସ ଆନୁକୂଲ୍ୟରେ ଆଜି ପୂର୍ବାହ୍ନରେ ଆୟୋଜିତ ୱେବିନାର୍‌ରେ ଯୋଗ ଦେଇଥିବା ବିଶିଷ୍ଟ ଅତିଥିମାନେ ଏପରି ମତପୋଷଣ କରିଛନ୍ତି। ‘ଓଡ଼ିଆ ଭାଷା ଓ ସାହିତ୍ୟର ଅଭିବୃଦ୍ଧି ବନାମ ସମ୍ବାଦପତ୍ର’ ପ୍ରସଙ୍ଗ ଉପରେ ଆୟୋଜିତ ଏହି ୱେବିନାର୍‌ରେ ‘ସାମ୍ବାଦ’ ସଂପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ବିଜୟ କୁମାର ନାୟକ ଅଂଶଗ୍ରହଣ କରିଥିଲେ।

ନ୍ୟାସର ସଭାପତି ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ପଟ୍ଟନାୟକ କହିଲେ ଯେ ଅଧିକ ବ୍ୟବହାର ଫଳରେ ଭାଷା ସମୃଦ୍ଧ ହୋଇଥାଏ। ଭାବବିନିମୟ ପାଇଁ ଭାଷା ଏବଂ ମଣିଷର ସାମଗ୍ରିକ ଭାବରାଜ୍ୟକୁ ସମୃଦ୍ଧ କରିବା ପାଇଁ ସାହିତ୍ୟ ଆବଶ୍ୟକ ହୋଇଥାଏ। ସାମ୍ବାଦପତ୍ରଗୁଡ଼ିକ ଭାଷା ବ୍ୟବହାରରେ ଆଗୁଆ ହୋଇଛନ୍ତି। ଗଦ୍ୟର ବିକାଶ ସମ୍ବାଦପତ୍ର ମାଧ୍ୟମରେ ସମ୍ଭବ। ସାଧାରଣ ମଣିଷର ଚେତନାକୁ ସଂପ୍ରସାରିତ କରିବା ପାଇଁ ସମ୍ବାଦପତ୍ର ସାହିତ୍ୟର ସହଯୋଗ ଲୋଡ଼ୁଛି। ଭବିଷ୍ୟତରେ ସୂଚନା ଓ ତଥ୍ୟର ବିସ୍ଫୋରଣକୁ ପାଥେୟ କରି ସମ୍ବାଦପତ୍ର ତା’ର ସାମର୍ଥ୍ୟ ବୃଦ୍ଧି କରିବ ଏବଂ ଭାଷା-ସାହିତ୍ୟର ବିକାଶରେ ଅଧିକ ସହାୟକ ହେବ। ଟେକ୍ନୋଲୋଜି ସାହିତ୍ୟ ଓ ଭାଷାକୁ ସମୃଦ୍ଧ କରିପାରିବ ଏବଂ ବିଶେଷକରି ସମ୍ବାଦପତ୍ର ମାଧ୍ୟମରେ ଗଦ୍ୟର ବିକାଶ ହୋଇପାରିବ ବୋଲି ସେ କହିଥିଲେ। ଅନ୍ୟତମ ଅତିଥି ଶ୍ରୀ ନାୟକ କହିଲେ, ଓଡ଼ିଆ ଭାଷା ସାହିତ୍ୟର ଅଭିବୃଦ୍ଧିରେ ସମ୍ବାଦପତ୍ରର ଅବଦାନ ଦୀର୍ଘ ଦିନରୁ ‘ଉତ୍କଳ ଦୀପିକା’, ‘ସମ୍ବାଦବାହିକା’, ‘ସମ୍ବଲପୁର ହିତୈଷିଣୀ’ ଇତ୍ୟାଦିର ଆରମ୍ଭ ହୋଇ ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ ଖବରକାଗଜ ଏବଂ ସଂପ୍ରତି ଓଡ଼ିଶାର ସବୁ ସମ୍ବାଦପତ୍ର ମାଧ୍ୟମରେ ସ୍ବୀକୃତ ହୋଇଛି। ଓଡ଼ିଆ ଭାଷା ସମୃଦ୍ଧ, ଶାସ୍ତ୍ରୀୟ ଓ ସଶକ୍ତ ହୋଇଥିବା ବେଳେ ଏହାର ଅଭିବୃଦ୍ଧିରେ ସମ୍ବାଦପତ୍ରଗୁଡ଼ିକର ଭୂମିକା ଅନସ୍ବୀକାର୍ଯ୍ୟ।

ନ୍ୟାସର ସଦସ୍ୟ ଦେବପ୍ରସାଦ ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ୱେବିନାର୍‌ରେ ନ୍ୟାସର ୱେବ୍‌ସାଇଟ୍‌ ଲୋକାର୍ପିତ ହୋଇଥିଲା। ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ନ୍ୟାସର କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ। ନ୍ୟାସର ଅନ୍ୟତମ ସଦସ୍ୟ ସୂର୍ଯ୍ୟ ମିଶ୍ର, ବୈଷ୍ଣବ ଜେନା, ପ୍ରକାଶ ସେଠୀ, ବିବେକାନନ୍ଦ ଜେନା, ସିଦ୍ଧାର୍ଥ ଧଳ ଓ ପ୍ରୀତିଛନ୍ଦା ଧଳ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର