ଅସିଦ୍ଧ ‘ଆସାନ୍‌ ଲୋନ୍’ ଆପ୍‌ର କାରନାମା: ଋଣ ଫାଶରେ ସାମ୍ବାଦିକ

ଭୁବନେଶ୍ବର : କ୍ରାଇମ୍‌ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଦ୍ବାରା ଅସିଦ୍ଧ ଘୋଷଣା ହୋଇଥିବା ଆସାନ୍‌ ଲୋନ୍‌ ଆପ୍‌ ଜଣେ ସାମ୍ବାଦିକଙ୍କୁ ଋଣ ଫାଶରେ ଫସାଇ ହଇରାଣ କରୁଥିବା ନେଇ ସାଇବର ଥାନାରେ ଅଭିଯୋଗ ହୋଇଛି। ଠକାମି ଓ ବ୍ଲାକ୍‌ମେଲ୍‌ର ଶିକାର ହୋଇଥିବା ସାମ୍ବାଦିକ ହେଉଛନ୍ତି ତାପସ କୁମାର ମିଶ୍ର। ବିନା ଆବେଦନରେ ୬ ହଜାର ଟଙ୍କା ଋଣ ଦେଇ ମାତ୍ର ୨ ଦିନରେ ସୁଧମୂଳ ସହ ୧୫ ହଜାର ଟଙ୍କା ଆକାଉଣ୍ଟରୁ କାଟିନେବା ଓ ଆହୁରି ଟଙ୍କା ନେବାକୁ ଆସାନ ଲୋନ୍‌ ଆପ୍ ତାଙ୍କୁ ବ୍ଲାକ୍‌ମେଲ୍‌ କରୁଛି ବୋଲି ତାପସ ଅଭିଯୋଗ କରିଛନ୍ତି।

ତାପସଙ୍କ ଅଭିଯୋଗ ଅନୁଯାୟୀ ଗତ କିଛିଦିନ ତଳେ ତାଙ୍କ ଇମେଲ୍ ଆଇଡି ହ୍ୟାକ୍ ହୋଇଥିଲା। ପରେ ସେ ସାଇବର ବିଶେଷଜ୍ଞଙ୍କ ସହଯୋଗରେ ଉକ୍ତ ଇମେଲ୍‌ ଆଇଡିକୁ ରିକଭରି କରାଇଥିଲେ। ଜୁନ୍ ପହିଲାରେ ତାଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌କୁ ୨ଟି ପର୍ଯ୍ୟାୟରେ ୬ହଜାର ଟଙ୍କା ଆସିଥିଲା। ଏହାର ୨ଦିନ ପରେ ତାଙ୍କ ଆକାଉଣ୍ଟ୍‌ରୁ ଆପେ ଆପେ ୮ହଜାର ଟଙ୍କା କଟିଯାଇଥିଲା। ପୁଣି ଜୁନ ୬ରେ ପ୍ରାୟ ୮ହଜାର ଟଙ୍କା କଟିଥିଲା। ସେ ବ୍ୟାଙ୍କ୍‌ରୁ ବୁଝିବା ପରେ ଜାଣିବାକୁ ପାଇଲେ ଯେ ଆସାନ୍ ଲୋନ୍ ଆପ୍‌ ତାଙ୍କୁ ୬ହଜାର ଟଙ୍କା ଋଣ ଦେଇଛି ଓ ପରିଶୋଧ ବାବଦରେ ତାଙ୍କର ୧୫ ହଜାର ଟଙ୍କା କଟିଯାଇଛି। କଥା ସେତିକିରେ ଅଟକି ନାହିଁ। ପୁଣି ତାପସଙ୍କ ହ୍ବାଟ୍ସଆପ୍‌କୁ ଏକ ଅଜଣା ନମ୍ବରରୁ ମେସେଜ୍ ଆସିଛି। ମେସେଜ୍‌ରେ ଆସାନ୍ ଲୋନ୍ ଆପ୍‌କୁ ସୁଧ ଓ ମୂଳ ଟଙ୍କା ବାବଦରେ ଆହୁରି କିଛି ଟଙ୍କା ଫେରସ୍ତ କରିବା ପାଇଁ ଉଲ୍ଲେଖ ରହିଛି। ନଚେତ୍ ତାଙ୍କ ମୋବାଇଲ୍‌ରେ ଥିବା ସମସ୍ତ ଯୋଗାଯୋଗ ନମ୍ବରକୁ ଲୋନ୍ ଚୋର ବୋଲି ମେସେଜ୍‌ ପଠାଯିବ ବୋଲି ଧମକ ଦିଆଯାଇଛି। ଏପରିକି ତାଙ୍କ ଆଧାରକାର୍ଡ, ବ୍ୟାଙ୍କ୍ ପାସବୁକ୍, ଆକାଉଣ୍ଟ ଓ ଫଟୋ ଆଦି ନେଇ ସେସବୁକୁ ଏଡିଟିଂ କରି ବନ୍ଧୁ ଓ ପରିବାର ଲୋକଙ୍କୁ ଅଶ୍ଳୀଳ ଫଟୋ ସହିତ ଲୋନ୍ ଚୋର ଉଲ୍ଲେଖ ଥିବା ମେସେଜ୍ ପଠାଯାଇଛି। ଆସାନ୍ ଲୋନ୍ ଆପ୍ ତାଙ୍କ ସହ ସାଇବର ଠକେଇ କରିବା ସହିତ ଅଶ୍ଳୀଳ ଫଟୋ ପଠାଇ ମାନସିକ ନିର୍ଯାତନା ଦେଉଛି ବୋଲି ତାପସ ସାଇବର ଥାନାରେ ଅଭିଯୋଗ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଇଓଡବ୍ଲ୍ୟୁ ଗତ ୯ତାରିଖରେ ଆସାନ୍ ଲୋନ୍ ଆପ୍ ସମେତ ପ୍ରାୟ ୪୦ଟି ଲୋନ୍ ଆପ୍‌କୁ ଅସିଦ୍ଧ ଘୋଷଣା କରିବା ସହିତ ସେସବୁକୁ ପ୍ଲେ ଷ୍ଟୋର୍‌ରୁ ହଟାଇବା ପାଇଁ ଗୁଗୁଲ୍‌କୁ ଚିଠି ଲେଖିଛି।

ସମ୍ବନ୍ଧିତ ଖବର