‘ଦାଦାବଟିକୁ ନା’ ଅଭିଯାନ : ସାମ୍ବାଦିକ କହି ବଟି ମାଗୁଥିଲେ, ଡକାୟତି ଦଫାରେ ୬ ଗିରଫ, ୨ ଫେରାର୍‌

୨ କାର୍‌, ୧୧ ମୋବାଇଲ୍‌, ୪ ବାଇକ୍‌ ସମେତ ୨୪ ହଜାର ଟଙ୍କା ଜବତ

ଭୁବନେଶ୍ୱର : ”ନକଲି ତେଲ ତିଆରି କରୁଛ, ଟିଭିରେ ଦେଖେଇଦବୁ, ସଂସ୍ଥା ବନ୍ଦ ହେଇଯିବ। ଆମେ ୭ଜଣ। ଦେଢ଼ଲକ୍ଷ ବଟି ଦେଇଦିଅ, ନ ହେଲେ ଯାହା ହବ ସମ୍ଭାଳିବ।” ତମାଣ୍ଡୋ ଭଗବାନପୁରରେ ଥିବା ଜ୍ୟୋତି ଟ୍ରେଡର୍ସ ନାମକ ତେଲ ଫ୍ୟାକ୍ଟ୍ରିର ମାଲିକଙ୍କୁ ଏମିତି ଧମକ ଚମକ ଦେବା ସହ ବଟି ଆଦାୟ କରିବା ଅଭିଯୋଗରେ ତମାଣ୍ଡୋ ଥାନା ପୁଲିସ୍‌ ୬ ଜଣ ନକଲି ସାମ୍ବାଦିକଙ୍କୁ ଗିରଫ କରିଛି। କମିସନରେଟ୍‌ ପୁଲିସ୍‌ର ‘ଦାଦାବଟିକୁ ନା’ ଅଭିଯାନରେ ଏମାନଙ୍କୁ ଗିରଫ କରାଯାଇଛି। ଏମାନଙ୍କ ବିରୋଧରେ ଦାଦାବଟି ମାଗିବା ଓ ଡକାୟତି ଦଫା ଲାଗିଛି। ସେମାନଙ୍କଠାରୁ ପୁଲିସ୍‌ ୨୪ହଜାର ୪୫୦ଟଙ୍କା, ଦୁଇଟି କାର୍‌, ୧୧ଟି ମୋବାଇଲ୍‌, ୪ଟି ବାଇକ୍‌, ୬ଟି ନକଲି ସାମ୍ବାଦିକ ପରିଚୟପତ୍ର ଜବତ କରିଛି।

ଅଭିଯୁକ୍ତମାନେ ହେଲେ, ନିଜକୁ ୱେବ୍‌ପୋର୍ଟାଲ ‘ଟାଇମ୍‌ସ ଓଡ଼ିଆ’ର ରିପୋର୍ଟର୍‌ କହୁଥିବା ସମ୍‌ ହସ୍‌ପିଟାଲ ପାଖ ହରପାର୍ବତୀ ସାହିରେ ରହୁଥିବା ନୟାଗଡ଼ ତୁଳସୀପୁରର କାହ୍ନୁ ଚରଣ ନାୟକ ଓ ଟଙ୍କପାଣି ରୋଡ୍‌ରେ ରହୁଥିବା ନୃସିଂହ ବେହେରା, ଆଇଏୱାଇ ନ୍ୟୁଜ୍‌ର ସାମ୍ବାଦିକ କହୁଥିବା ବଡ଼ଗଡ଼ ଥାନା ରତ୍ନାକର ବାଗ୍‌ ବାସିନ୍ଦା ବିନାୟକ ବେହେରା, ନିଜକୁ ଭିଜନ ଟିଭିର ସାମ୍ବାଦିକ କହୁଥିବା ବଡ଼ଗଡ଼ ବ୍ରିଟ୍‌ କଲୋନିରେ ରହୁଥିବା ସାଲେପୁର କଟିକଟାର ବିଶ୍ବରଞ୍ଜନ ମହାନ୍ତି, ଅନନ୍ୟା ନ୍ୟୁଜ୍‌ର ସାମ୍ବାଦିକ ବୋଲାଉଥିବା ଓଲ୍ଡଟାଉନ୍‌ ଖରାଖିଆ ଲେନ୍‌ରେ ରହୁଥିବା ଢେଙ୍କାନାଳ ମିନା ବଜାରର ଲକ୍ଷ୍ମୀକାନ୍ତ ସାହୁ ଓ ଗାଡ଼ି ଚାଳକ ବଡ଼ଗଡ଼ର ବାସିନ୍ଦା ବଳରାମ ବେହେରା। ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ତେବେ ଏହି ଘଟଣାରେ ସମ୍ପୃକ୍ତ ଆଉ ଦୁଇଜଣ ଏଭଳି ନକଲି ସାମ୍ବାଦିକ ଫେରାର ଅଛନ୍ତି ବୋଲି ପୁଲିସ କହିଛି।

ପୁଲିସ୍‌ ସୂଚନା ଅନୁଯାୟୀ, ଆଲୋକ ପାଢ଼ୀ ଓ ତୋଫକଙ୍କର ତମାଣ୍ଡୋ ଭଗବାନପୁରରେ ଜ୍ୟୋତି ଟ୍ରେଡର୍ସ ନାମକ ଏକ ତେଲ ଫ୍ୟାକ୍ଟ୍ରି ରହିଛି। ବିଭିନ୍ନ ସମୟରେ ଏହି ସବୁ ୱେବ୍‌ ଚ୍ୟାନେଲ୍‌ରୁ ତାଙ୍କୁ ଧମକ ଆସୁଥିଲା। ଅଭିଯୁକ୍ତମାନେ ମୋଟା ଅଙ୍କର ବଟି ମାଗୁଥିଲେ। କିନ୍ତୁ ସେମାନଙ୍କ ଧମକରେ ଡରି ନଯାଇ ମାଲିକମାନେ ବଟି ଦେଉନଥିଲେ। ତେବେ ଗତ ୨୪ ତାରିଖ (ଶନିବାର) ଦିନ ଏମାନେ ଏକାଠି ହୋଇ ଉକ୍ତ ତେଲ ଫ୍ୟାକ୍ଟ୍ରିର ଅଫିସ୍‌ରେ ପହଞ୍ଚି ମାଲିକଙ୍କୁ ବଟି ମାଗିଥିଲେ। ସେଠାରେ ଭିଡିଓ ସୁଟିଂ କରିବା ସହ ଭଙ୍ଗାରୁଜା କରିଥିଲେ। ବଟି ଦେବାକୁ ମାଲିକ ରାଜି ନହେବାରୁ କ୍ୟାସ୍‌ କାଉଣ୍ଟରେର ହାତ ପୂରାଇ ୩୪ ହଜାର ଟଙ୍କା ନେଇ ଯାଇଥିଲେ। ଖାଲି ସେତିକି ନୁହେଁ, ବାକି ପଇସା ଫୋନ୍‌ ପେ’‌ରେ ପଠାଇବାକୁ ବାଧ୍ୟ କରିଥିଲେ। ତେବେ ଏନେଇ ମାଲିକ ପରେ ତମା‌ଣ୍ଡୋ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଆଜି ଅପରାହ୍‌ଣରେ ଆଣ୍ଟି ଏକ୍ସଟର୍ସନ ସ୍କ୍ବାଡ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ କରି ସେମାନଙ୍କୁ ଗିରଫ କରିଛି। ‘ଦାଦାବଟିକୁ ନାଁ’ ଯୋଜନାରେ ପ୍ରଥମଥର ପାଇଁ ନିଜକୁ ସାମ୍ବାଦିକ କହି ବଟି ଆଣୁଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ପୁଲିସ କହିଛି।

ତେବେ ଏମିତି ଆଉ ୧୫ଜଣ ନକଲି ସାମ୍ବାଦିକ ସ୍କାନର୍‌ରେ ରହିଥିବା ପୁଲିସ୍‌ ପକ୍ଷରୁ କୁହାଯାଇଛି। ସେମାନଙ୍କ ବିରୋଧରେ ବି ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ୍‌ ପକ୍ଷରୁ କୁହାଯାଇଛି। ଏହାବ୍ୟତୀତ ଯେଉଁମାନେ ପ୍ରଚ୍ଛଦପଟ୍ଟରେ ରହି ଏଭଳି ଯୁବକମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି, ସେମାନଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି ଉମାଶଙ୍କର ଦାଶ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର