ଭୁବ‌ନେଶ୍ବର: ଆମେରିକା କିମ୍ବା ଭାରତ ନୁହେଁ, ସାରା ବିଶ୍ବ ଜଳବାୟୁ ପରିବର୍ତ୍ତନ ଦ୍ବାରା ପ୍ରଭାବିତ। ଜଳବାୟୁ ପରିବର୍ତ୍ତନର କାରଣଗୁଡ଼ିକୁ ଠିକ୍‌ ଭାବେ ଚିହ୍ନଟ କରିବା ବିଶ୍ବ ପାଇଁ ଏବେ ସବୁଠାରୁ ଅଧିକ ଆହ୍ବାନପୂର୍ଣ୍ଣ। ଓଡ଼ିଶା ମଧ୍ୟ ବହୁ ଭାବରେ ଜଳବାୟୁ ପରିବର୍ତ୍ତନ ଦ୍ବାରା ପ୍ରଭାବିତ ହେଉଥିବା ବେଳେ ବନାଗ୍ନି, ବନ୍ୟା ଓ ବାତ୍ୟା ଆଦି ପାଣିପାଗଜନିତ ସମସ୍ୟା ଗତ କିଛି ଦଶନ୍ଧି ଧରି ଏବେ ଖବରକାଗଜର ମୁଖ୍ୟ ଶିରୋନାମା ପାଲଟିଛି। ଏଣୁ ସମାଜରେ ଜଳବାୟୁ ପରିବର୍ତ୍ତନ ଓ ଏହାର ପ୍ରଭାବ ସମ୍ପର୍କରେ ଜନସଚେତନତା ସୃଷ୍ଟି ଦିଗରେ ସାମ୍ବାଦିକମାନଙ୍କର ମହତ୍ବପୂର୍ଣ୍ଣ ଭୂମିକା ରହିଛି। ଯାହା ଫଳରେ ସରକାର, ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ବ୍ୟକ୍ତିଗତସ୍ତରରେ ଲୋକମାନେ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ସଙ୍କୁଚିତ କରିବା ଦିଗରେ ନିରନ୍ତର କାମ କରିପାରିବେ ବୋଲି କହିଛନ୍ତି ୟୁଏସ୍‌ କନ୍‌ସୁଲେଟ୍‌ ଜେନେରାଲ୍‌ ହାଇଦ୍ରାବାଦ୍‌ର ପବ୍ଲିକ୍‌ ଆଫେୟାର୍ସ ଅଫିସର୍‌ ଡାଭିଡ୍‌ ମୋୟର୍‌।
ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ଖବର ପ୍ରସାରଣ ଦିଗରେ ଅଧିକ ସ୍ପଷ୍ଟତା, ଗଭୀରତା ତଥା ତଥ୍ୟଭିତ୍ତିକ ସହାୟତା ଯୋଗାଇବା ତଥା ଅଭିଜ୍ଞମାନଙ୍କୁ ସାମ୍ବାଦିକମାନଙ୍କ ସହ ଯୋଡ଼ିବା ପାଇଁ ଆଞ୍ଚଳିକ ସାମ୍ବାଦିକମାନଙ୍କୁ ନେଇ ଏକ କର୍ମଶାଳା ଆଜି ହୋଟେଲ ପ୍ରେସିଡେନ୍ସିଠାରେ ଉଦ୍‌ଘାଟିତ ହୋଇଯାଇଛି।

Advertisment

‘ୟୁଏସ୍‌ କନ୍‌ସୁଲେଟ୍‌ ଜେନେରାଲ୍‌ ହାଇଦ୍ରାବାଦ୍‌’ ପକ୍ଷରୁ ‘ଭିଉଜ୍‌ ଓଡ଼ିଶା’ ସହଯୋଗରେ ଆୟୋଜିତ ଏହି କର୍ମଶାଳା ଉଦ୍‌ଘାଟନ କରି ଶ୍ରୀ ମୋୟର୍‌ ଆହୁରି କହିଛନ୍ତି, ଆଞ୍ଚଳିକ ସାମ୍ବାଦିକମାନଙ୍କୁ ବିଶ୍ଳେଷଣାତ୍ମକ ତଥା ଗବେଷଣାତ୍ମକ ଖବର ପରିବେଷଣ ଦିଗରେ ଏହି କର୍ମଶାଳା ସାହାଯ୍ୟ କରିବ। ଆଜିର କାର୍ଯ୍ୟକ୍ରମରେ ‘ସମ୍ବାଦ ଗ୍ରୁପ୍‌’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ, ‘ନେଚର୍‌ ଇଣ୍ଡିଆ’ର ମୁଖ୍ୟ ସମ୍ପାଦିକା ଶୁଭ୍ରା ପ୍ରିୟଦର୍ଶନୀ, ଜଳବାୟୁ ଓ ପାଣିପା‌ଗ ବିଶେଷଜ୍ଞ ରଞ୍ଜନ ପଣ୍ଡା ଓ ବରିଷ୍ଠ ସାମ୍ବାଦିକା ରାକ୍ଷୀ ଘୋଷ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ଗବେଷଣା ଓ ଅଭିଜ୍ଞତାକୁ ବଖାଣିଥିଲେ। ଏଥିସହ ସାମ୍ବାଦିକମାନଙ୍କୁ ଏନେଇ ଅଧିକ ପ୍ରଶିକ୍ଷଣ ଦେଇଥିଲେ। ଭିଉଜ୍‌ ଓଡ଼ିଶାର କାର୍ଯ୍ୟନୀର୍ବାହୀ ନିର୍ଦ୍ଦେଶକ ଏସ୍‌ ଭୀମା ରାଓ କର୍ମଶାଳା ସମ୍ପର୍କରେ ପ୍ରାରମ୍ଭିକ ସୂଚନା ଦେଇଥିଲେ। ସାମ୍ବାଦିକା ତାଜିନ୍‌ କ୍ୟୁରେସି ସ୍ବାଗତ ଅଭିଭାଷଣ ରଖିଥିଲେ। ଏହି କର୍ମଶାଳାରେ ବିଭିନ୍ନ ଗଣମାଧ୍ୟମର ୧୩ ଜଣ ସାମ୍ବାଦିକ ଅଂଶଗ୍ରହଣ କରିଥିଲେ। ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ମଧ୍ୟ ଆଞ୍ଚଳିକ ସାମ୍ବାଦିକମାନଙ୍କୁ ନେଇ ଏହିଭଳି କର୍ମଶାଳା ଆଜିଠାରୁ ଆରମ୍ଭ ହୋଇଛି।