ସାମ୍ବାଦିକ ଗଣତନ୍ତ୍ରର ଭିନ୍ନ ଏକ ସ୍ତମ୍ଭ ହୁଅନ୍ତୁ: ସୌମ୍ୟ

ଆପେକ୍ସ ବଡି ଅଫ୍‌ ୱାର୍କିଂ ଜର୍ଣ୍ଣାଲିଷ୍ଟ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ‘ଆୱାଜ୍‌ ଅଫ୍‌ ଇଣ୍ଡିଆ’

ଭୁବନେଶ୍ବର: ସାମ୍ବାଦିକଟିଏ ସମସ୍ତଙ୍କଠାରୁ ଭିନ୍ନ। ତା’ର ବୃତ୍ତି ଓ କାମ କରିବାର ତରିକା ବି ସମସ୍ତଙ୍କଠାରୁ ଭିନ୍ନ। ତେଣୁ ତାର କାମ କରିବାର ଏକ ନିର୍ଦ୍ଦିଷ୍ଟ ସମୟ ନଥାଏ। ସେ ୨୪ ଘଣ୍ଟା ସଜାଗ ଥାଏ। ଅନ୍ୟମାନେ ଶୋଇଥିବା ବେଳେ ସେ ଚେଇଁ ରୁହେ। ଭଗବାନ୍‌ ଶିବଙ୍କୁ ନିଜ ଆଦର୍ଶ ମଣି ପ୍ରତିଟି ସାମ୍ବାଦିକଟିଏ ଆଶୁତୋଷ ଓ କୃତ୍ତିବାସ ହେବାକୁ ଚେଷ୍ଟା କରୁ। ‘ଆପେକ୍ସ ବଡି ଅଫ୍‌ ୱାର୍କିଂ ଜର୍ଣ୍ଣାଲିଷ୍ଟ୍‌ ଅଫ୍‌ ଇଣ୍ଡିଆ’ ପକ୍ଷରୁ ବୁଦ୍ଧ ମନ୍ଦିରରେ ଆୟୋଜିତ ‘ଆୱାଜ୍‌ ଅଫ୍‌ ଇଣ୍ଡିଆ’ରେ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଜି ଏହା କହିଛନ୍ତି।

ଅନୁଷ୍ଠାନର ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ ସୁନୀଲ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ ଯେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ବିବେଚନା କରାଯାଉଥିବାରୁ ସାମ୍ବାଦିକମାନେ ଆନନ୍ଦିତ ହୁଅନ୍ତି। ହେଲେ ଆମକୁ ଚତୁର୍ଥ ସ୍ତମ୍ଭ ନ ହୋଇ ଗଣତନ୍ତ୍ରର ଭିନ୍ନ ଏକ ସ୍ତମ୍ଭ ହେବାକୁ ପଡ଼ିବ। ବିଭିନ୍ନ ପ୍ରକାର ଅନୁକମ୍ପାରୁ ନିବୃତ୍ତ ରହି କାମ କରିବାକୁ ପଡ଼ିବ। ସାମ୍ବାଦିକ ହେବାକୁ ଚାହୁଥିବା ବ୍ୟକ୍ତି ଭିନ୍ନ କିସମର ମଣିଷ ହେବା ଆବଶ୍ୟକ। ରାଜନେତା, ପ୍ରଶାସକଙ୍କଠାରୁ ଊର୍ଦ୍ଧ୍ବକୁ ଯାଇ ସମସ୍ତଙ୍କ ସହ ସମ୍ପର୍କ ସୃଷ୍ଟି କରିବା ସହ ତାକୁ ନ୍ୟାୟମୂର୍ତ୍ତିଙ୍କଠାରୁ ଅଧିକ ନ୍ୟାୟବାନ ହେବାକୁ ପଡ଼ିବ। ସମାଜର ସବୁବର୍ଗର ହିତସାଧନ ଉଦ୍ଦେଶ୍ୟରେ ସେ କାମ କରିବା ଜରୁରି। ନିଜ ଦଳ ଓ ପ୍ରଶାସନ ମୁଖ୍ୟମନ୍ତ୍ରୀଙ୍କ ଦୁଇଟି ନୟନ। ଆମେ ତାଙ୍କର ତୃତୀୟ ନୟନ ହୋଇ କାମ କରିବା ଉଚିତ। ଯାହା ସେମାନେ ଲୁଚାଉଛନ୍ତି, ଆମେ ତାହା ତାଙ୍କ ପାଖରେ ପହଞ୍ଚାଇବାର ଆବଶ୍ୟକତା ରହିଛି।

ମୁଖ୍ୟବକ୍ତା ବରିଷ୍ଠ ସାମ୍ବାଦିକ ତଥା ‘ସମୀକ୍ଷା’ର ସମ୍ପାଦକ ଡ. ମହେଶ୍ବର କହିଲେ, ‘ଓଡ଼ିଆ ସାମ୍ବାଦିକତାରେ ଅତ୍ୟାବଶ୍ୟକ ଦୀର୍ଘମିଆଦି ବିକାଶ, ସାମ୍ବାଦିକମାନଙ୍କ ଜୀବନଶୈଳୀ ଏବଂ ୨୦୪୦’ ଲକ୍ଷ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସାମ୍ବାଦିକତାକୁ ଦୀର୍ଘମିଆଦି କରିବାକୁ ହେଲେ ପ୍ରଥମେ ଭାଷାଗତ ଦକ୍ଷତା ବୃଦ୍ଧି କରିବାକୁ ହେବ ବୋଲି କହିଥିଲେ।

ସମ୍ମାନିତ ଅତିଥି ବରିଷ୍ଠ ସାମ୍ବାଦିକ ତଥ‌ା ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ସଂଜୟ ଦାସ କହିଲେ, ଗ୍ରାମାଞ୍ଚଳରେ ସାମ୍ବାଦିକତା କରୁଥିବା ସାମ୍ବାଦିକମାନଙ୍କୁ ସରକାରଙ୍କର କୌଣସି ସୁବିଧା ମିଳି ପାରୁନାହିଁ। ତେଣୁ ଗ୍ରାମୀଣ ସାମ୍ବାଦିକ କଲ୍ୟାଣ ଯୋଜନା ମାଧ୍ୟମରେ ଏକ ଘରୋଇ ଡାକ୍ତରଖାନା ସହ ଅନୁବନ୍ଧିତ କରି ତାଙ୍କୁ ଏବଂ ତାଙ୍କ ପରିବାରକୁ ଚିକିତ୍ସା ସେବା ଯୋଗାଇବା ପାଇଁ ସଂଘ ଏକ ବ୍ୟବସ୍ଥା କରିଛି। ସେମାନେ ସହରକୁ ଆସିବା ପାଇଁ ମଧ୍ୟ ଗସ୍ତ ଖର୍ଚ୍ଚ ବ‌ାବଦକୁ ୫ ହଜାର ଟଙ୍କାର ଅର୍ଥରାଶି ଦେବାର ବ୍ୟବସ୍ଥା ହୋଇଛି। ଗ୍ରାମାଞ୍ଚଳର ସାମ୍ବାଦିକମାନେ ଏହାର ଲାଭ ଉଠାଇବା ଜରୁରି।

ସମ୍ମାନିତ ଅତିଥି ତଥା ‘ପର୍ଯ୍ୟବେକ୍ଷକ’ର ସମ୍ପାଦକ ପବିତ୍ର ମୋହନ ସାମନ୍ତରା କହିଲେ, ଏକାଠି ହୋଇ କାମ କରୁ ନଥିବାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସାମ୍ବାଦିକମାନଙ୍କ ମୌଳିକ ସମସ୍ୟାର ସମାଧାନ ହୋଇପାରିନି। ତେଣୁ ଏବେ ସମସ୍ତେ ଏକାଠି ହୋଇ କାମ କରିବାର ସମୟ ଆସିଛି। ଅନ୍ୟତମ ଅତିଥି ଅନୁଷ୍ଠାନର ସଦସ୍ୟ ତଥା ବରିଷ୍ଠ ସାମ୍ବାଦିକ ରଜନୀ ସାମନ୍ତରାୟ ମଞ୍ଚାସୀନ ଥିଲେ। ଅନୁଷ୍ଠାନର ସଦସ୍ୟ ଅନନ୍ତ ନାରାୟଣ ମହାନ୍ତି କାର୍ଯ୍ୟକ୍ରମ ‌ସଂଯୋଜନା କରିଥିବା ବେଳେ ଯୁଗ୍ମ ସମ୍ପାଦକ ବରିଷ୍ଠ ସାମ୍ବାଦିକ ମହେଶ୍ବର ସେଠୀ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଡ. ମହେଶ୍ବରଙ୍କର ପୁସ୍ତକ ‘ସମ୍ବାଦ ଓ ସାମ୍ବାଦିକତା’ର ଚତୁର୍ଥ ସଂସ୍କରଣ ଉନ୍ମୋଚିତ ହୋଇଥିଲା।

ସମ୍ବନ୍ଧିତ ଖବର