ଭୁବନେଶ୍ୱର: ଏକାମ୍ର ନିର୍ବାଚନମଣ୍ଡଳୀରେ ଆଜି ରୋଡ୍‌ ସୋ’ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ସକାଳ ପ୍ରାୟ ସାଢ଼େ ୯ଟାରେ ମାଉସୀ ମା’ ଛକ ବାରିକ ସାହିରୁ ଆରମ୍ଭ ହୋଇଥିଲା ରୋଡ୍‌ ସୋ’। ହଜାର ହଜାର ବିଜେପି କର୍ମୀ ପ୍ରଥମେ ‌ଶ୍ରୀ ନଡ୍ଡାଙ୍କୁ ଭବ୍ୟ ସ୍ବାଗତ କରିବା ପରେ ରୋଡ୍‌ ସୋ’ ଆରମ୍ଭ ହୋଇଥିଲା। ବିଭିନ୍ନ ପ୍ରକାର ପାରମ୍ପରିକ ବାଦ୍ୟ ସହ ‘ହର୍‌ ହର୍‌ ମହାଦେବ’, ‘ଜୟ ଶ୍ରୀରାମ’, ‘ଜୟ ଜଗନ୍ନାଥ’ ନାରାରେ କମ୍ପିଥିଲା ପୂରା ଅଞ୍ଚଳ। ଅସୁରକିଆରି, ତିନିମୁଣ୍ଡିଆ ଛକଦେଇ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା ରୋଡ୍‌ ସୋ’। ଶ୍ରୀ ନଡ୍ଡାଙ୍କ ସହ ରୋଡ୍‌ ସୋ’ରେ ସାମିଲ୍‌ ହୋଇ ବିଜେପି ‌ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଓ ଏକାମ୍ର ବିଧାନସଭା ପ୍ରାର୍ଥୀ ବାବୁ ସିଂହ ଭୋଟ୍‌ ଭିକ୍ଷା କରିଥିଲେ। ରୋଡ୍‌ ସୋ’ ପରେ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରକୁ ଯାଇ ପ୍ରଭୁଙ୍କ ନିକଟରେ ତିନିନେତା ଜଳଲାଗି ଓ ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ନଡ୍ଡା କହିଥିଲେ, ‘‘ଓଡ଼ିଶାରେ ପରିବର୍ତ୍ତନର ହାୱା ବହୁଛି। ବହୁମତ ଆଡ଼କୁ ବଢ଼ୁଛି ବିଜେପି। ଦଳ ଲୋକସଭାରେ ଏକତରଫା ଓ ବିଧାନସଭାରେ ପୂର୍ଣ୍ଣ ବହୁମତ ସହ ଓଡ଼ିଶାରେ ସରକାର କରିବ। ଓଡ଼ିଶା ଲୋକ ନବୀନ ବାବୁଙ୍କୁ ଅବସର ଦେବାକୁ ଚାହୁଛନ୍ତି। ସେମାନେ ଜଣେ ସ୍ବଚ୍ଛ, ସକ୍ରିୟ ଓ ଯୁବ ମୁଖ୍ୟମନ୍ତ୍ରୀଙ୍କୁ ଆଣିବାକୁ ମନସ୍ଥ କରିଛନ୍ତି।’’

Advertisment

ଓଡ଼ିଶାରେ ବହୁମତ ଆଡ଼କୁ ବଢ଼ୁଛି ବିଜେପି: ନଡ୍ଡା
ଓଡ଼ିଶାକୁ ସକ୍ରିୟ ମୁଖ୍ୟମନ୍ତ୍ରୀ ଦରକାର: ଅପରାଜିତା
୨୪ ବର୍ଷର ଭ୍ରଷ୍ଟାଚାରୀ ସରକାରଙ୍କୁ ଲୋକ ହଟାଇବେ: ବାବୁ ସିଂହ

publive-image

ଶ୍ରୀମତୀ ଷଡ଼ଙ୍ଗୀ କହିଥିଲେ, ‘‘ଓଡ଼ିଶାରେ ଡେଲିଭରି ସିଷ୍ଟମ ଠିକ୍‌ ନାହିଁ। ସରକାରୀ ଯୋଜନା ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ। ଏବେ ଯାଏ ପ୍ରଧାନମନ୍ତ୍ରୀ ଆବାସ ଓଡ଼ିଶାର ହଜାର ହଜାର ଲୋକ ପାଇନାହାନ୍ତି। ଜଳଜୀବନ ମିସନରେ ୧୦ ହଜାର କୋଟି ଟଙ୍କା କେନ୍ଦ୍ର ସରକାର ଅନୁମୋଦନ କଲେ, କିନ୍ତୁ ଏପର୍ଯ୍ୟନ୍ତ ରାଜ୍ୟ ସରକାର କେବଳ ୪ ହଜାର ୨୦୦ କୋଟି ଟଙ୍କା ଖର୍ଚ୍ଚ କରି ପାରିଲେ। କେନ୍ଦ୍ର ସରକାର ଦେବାକୁ ଚାହୁଛନ୍ତି କିନ୍ତୁ ରାଜ୍ୟ ସରକାର ସମସ୍ତ ଟଙ୍କା ଖର୍ଚ୍ଚ କରି ପାରୁନାହାନ୍ତି। ଏଠି ଜଣେ ସକ୍ରିୟ, ଯୁବ ଓ ଓଡ଼ିଆ ଭାଷାରେ କଥା ହେଉଥିବା ମୁଖ୍ୟମନ୍ତ୍ରୀ ଦରକାର। ଆଉ ଆମକୁ ଜଣେ ସୁସ୍ଥ ମୁଖ୍ୟମନ୍ତ୍ରୀ ଦରକାର।’’ ଏକାମ୍ର ବିଜେପି ପ୍ରାର୍ଥୀ ଶ୍ରୀ ସିଂହ କହିଥିଲେ, ‘‘ଗଣତନ୍ତ୍ରରେ ଲୋକମାନେ ହେଉଛନ୍ତି ପ୍ରକୃତ ମାଲିକ। ସେମାନେ ସ୍ଥିର କରିଛନ୍ତି ଏକାମ୍ରରେ ଓ ଓଡ଼ିଶାରେ ବିଜେପି ବିଜୟୀ ହେବ। ନଡ୍ଡାଜୀଙ୍କ ରୋଡ ସୋ’ ଦଳୀୟ କର୍ମୀଙ୍କ ମନବଳ ଆହୁରି ବୃଦ୍ଧି କରିଛି। ଏକାମ୍ର ନିର୍ବାଚନମଣ୍ଡଳୀ ପଦ୍ମମୟ ହେଉଛି। ଲୋକେ ସ୍ଥିର କରିଛନ୍ତି ୨୪ ବର୍ଷର କଳଙ୍କିତ, ଭ୍ରଷ୍ଟାଚାରୀ ଓ ମହିଳା ବିରୋଧୀ ସରକାରଙ୍କୁ ହଟାଇବେ। ନୂଆ ସକାଳ, ନୂଆ ସୂର୍ଯ୍ୟ ଆଣିବେ।’’ ଆଜି ରୋଡ୍‌ ସୋ’ରେ ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ବିଜେପି ନେତା ମଦନ ମୋହନ ପ୍ରଧାନ ଓ ରଶ୍ମି ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

‘ଉପକଣ୍ଠର ସବୁ ସମସ୍ୟା ସୁଧୁରିବ’, ନୂଆଗାଁ, ଇଟିପୁରରେ ବାବୁଙ୍କ ପଦଯାତ୍ରା

ଭୁବନେଶ୍ବର: ଏକାମ୍ର ନିର୍ବାଚନମଣ୍ଡଳୀରେ ବିଜେପି ପ୍ରାର୍ଥୀ ବାବୁ ସିଂହ ଆଜି ସନ୍ଧ୍ୟାରେ ନୂଆଗାଁ ଓ ଇଟିପୁର ପଞ୍ଚାୟତରେ ପ୍ରଚାର କରିଥିଲେ। ନୂଆଗାଁ ମା’ ଝାଡ଼ୁମଲ୍ଲୀ ମନ୍ଦିରରେ ଦର୍ଶନ କରି ପ୍ରଚାର ଆରମ୍ଭ କରିଥିଲେ। ଏହା ପରେ ଇଟିପୁର ପଞ୍ଚାୟତର ବିଭିନ୍ନ ଗ୍ରାମରେ ପଦଯାତ୍ରା କରିଥିଲେ। ପଦଯାତ୍ରାରେ ରଶ୍ମୀ ମହାପାତ୍ରଙ୍କ ସମେତ ସ୍ଥାନୀୟ ବହୁ ଯୁବନେତା ସାମିଲ ହୋଇଥିଲେ। ଏହି ଅବସରରେ ଶ୍ରୀ ସିଂହ କହିଥିଲେ, ‘‘ରାଜଧାନୀର ଉପକଣ୍ଠରେ ଖୁବ୍‌ଶୀଘ୍ର ବସ୍‌ ବ୍ୟବସ୍ଥା, ଧଉଳିକୁ ଟିକରପଡ଼ା ସଂଯୋଗ କରିବା ପାଇଁ ଖୁବ୍‌ଶୀଘ୍ର ଦୟାସେତୁ କାମ, ଉତ୍ତମ ସ୍ବସ୍ଥ୍ୟକେନ୍ଦ୍ର ନିର୍ମାଣ ସହ ଗଙ୍ଗୁଆକୁ ଶୁଦ୍ଧ କରାଯିବ। ଏଥିସହ ଉତ୍ତମ ବିଜୁଳି ବ୍ୟବସ୍ଥା କରାଯିବ। ଦୀର୍ଘଦିନର କଳୁଷିତ ଶାସନ କାଳରେ ସବୁକ୍ଷେତ୍ରରେ ଏକାମ୍ର ଅବହେଳିତ ହୋଇ ରହିଛି। ବର୍ଷା ଅସରାଏ ହେଲେ କୃତ୍ରିମ ବନ୍ୟା ହେଉଛି। ଡ୍ରେନେଜ୍ କିମ୍ବା ପିଇବା ପାଣିର ବ୍ୟବସ୍ଥା ନାହିଁ। ଡ୍ରେନେଜ ବ୍ୟବସ୍ଥା ନଥିବାରୁ ଏ ଅଞ୍ଚଳରେ ବର୍ଷାଦିନେ ଡେଙ୍ଗୁ ବ୍ୟାପୁଛି। ବିଜେପି ସରକାର ଗଠନ ହେଲେ ଏସବୁ ସମସ୍ୟାର ସମାଧାନ ହେବ।’’ ଆଜି ଅପରାହ୍ନରେ ଶ୍ରୀ ସିଂହଙ୍କ କାର୍ଯ୍ୟାଳୟଠାରେ ବିଜେପିର କେନ୍ଦ୍ରୀୟ ପ୍ରଭାରୀ ବିଏଲ୍‌ ସନ୍ତୋଷ ଏକ ବୈଠକ କରିଥିଲେ। ଏଥିରେ ବୁଥ୍‌ କମିଟିର ସଦସ୍ୟମାନେ ଯୋଗଦେଇ ନିର୍ବାଚନ ରଣନୀତି ପ୍ରସ୍ତୁତ କରିଥିଲେ।