କୁଷ୍ଠପୀଡ଼ିତ ଓ କୁଷ୍ଠମୁକ୍ତ ବ୍ୟକ୍ତିଙ୍କ ପାଇଁ ଜନଶୁଣାଣି: କୁଷ୍ଠରୋଗୀଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ଉପରେ ଗୁରୁତ୍ବ

ଭୁବେନଶ୍ବର: କୁଷ୍ଠରୋଗୀଙ୍କ ସମସ୍ୟା ନେଇ ଆଜି ବୁଦ୍ଧ ମନ୍ଦିରରେ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଇଣ୍ଡିଆନ୍ ହାନ୍ସେନିଆନ୍ ଆସୋସିଏସନ୍ ପକ୍ଷରୁ ଅନୁଷ୍ଠିତ ‌ଏହି ଜନଶୁଣାଣିରେ ରାଜ୍ୟରେ କୁଷ୍ଠରୋଗୀଙ୍କ ସମସ୍ୟା ନେଇ ଆଲୋଚନା ହୋଇଥିଲା। ୨୦୦୬ରେ ଓଡ଼ିଶାକୁ କୁଷ୍ଠମୁକ୍ତ ଘୋଷଣା କରାଯାଇଥିଲେ ହେଁ, ରାଜ୍ୟରେ କୁଷ୍ଠ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କୁଷ୍ଠରୋଗ ଏକ ଶାରୀରିକ ସମସ୍ୟା ନୁହେଁ ଏହା ଏକ ସାମାଜିକ ବ୍ୟାଧି। ରାଜ୍ୟରେ କୁଷ୍ଠରୋଗୀଙ୍କ ସେବା ଓ ବିକଳାଙ୍ଗ ପ୍ରତିରୋଧ ପାଇଁ ସୃଷ୍ଟି ହୋଇଥିବା ୪୦୪ ସ୍ବାସ୍ଥ୍ୟକର୍ମୀ ପଦବିରୁ ୩୫୦ ପଦବି ଖାଲି ପଡ଼ିଛି। ସେହିପରି ରାଜ୍ୟରେ କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳିତ ଜାତୀୟ କୁଷ୍ଠ ରୋଗ ନିରାକରଣ ପ୍ରକଳ୍ପ ଅଧୀନରେ ୧୮୮ଟି ତାଲିମପ୍ରାପ୍ତ ସ୍ବାସ୍ଥ୍ୟକର୍ମୀ ପଦବି ଖାଲି ପଡ଼ିଛି। ଅପରପକ୍ଷରେ ପ୍ରତିବର୍ଷ କୁଷ୍ଠରୋଗ ପ୍ରଭାବିତ ରୋଗୀମାନେ ନିଜ ଗ୍ରାମ ଓ ପରିବାରରୁ ବିତାଡ଼ିତ ହୋଇ ଲାଞ୍ଛିତ ଜୀବନ ବିତାଉଛନ୍ତି। ସେମାନଙ୍କ ପିଲାମାନେ ଘୃଣା ଓ ଲଜ୍ୟାରେ ପାଠ ପଢ଼ିପାରୁ ନାହାନ୍ତି। କୁଷ୍ଠରୋଗୀମାନଙ୍କ ଥଇଥାନ ପାଇଁ ରାଜ୍ୟରେ କ‌ୌଣସି ନିର୍ଦ୍ଦିଷ୍ଟ ନୀତି ନାହିଁ। ତେଣୁ ରାଜ୍ୟରେ ଥିବା କୁଷ୍ଠରୋଗୀଙ୍କ ସର୍ବନିମ୍ନ ମୌଳିକ ସୁବିଧା, ଜମି ଓ ଗୃହ ଅଧିକାର, ଶିକ୍ଷା, ଉପଯୁକ୍ତ ସ୍ବାସ୍ଥ୍ୟସେବା, ଭତ୍ତା ବୃଦ୍ଧି, ସମସ୍ତ କୁଷ୍ଠ ଚିକିତ୍ସାଳୟ, ଆଶ୍ରମ ଓ ରାଜ୍ୟରେ ଖାଲି ପଡ଼ିଥିବା କୁଷ୍ଠକର୍ମୀ ଓ ସୁପରଭାଇଜର୍‌ ପଦବି ପୂରଣ ନେଇ ଦାବି ହୋଇଥିଲା। ଏହି ଜନଶୁଣାଣିରେ ପୂର୍ବତନ ସାଂସଦ ଏଭି ସ୍ବାମୀ, ଜାତୀୟ ଆଇନ ବିଶ୍ବବିଦ୍ୟାଳୟର କୁଳପତି ଶ୍ରୀକ୍ରିଷ୍ଣ ଦେବ ରାଓ, ସମାଜସେବୀ ନମ୍ରତା ଚଢ଼ା, ସ୍ବାଭିମାନର ଶ୍ରୁତି ମହାପାତ୍ର, ପ୍ରଗତି ଯୁବକ ସଂଘର ସଂପାଦକ ଦେବବ୍ରତ ଦାସ, ସମ୍ବଲପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ବିଷ୍ଣୁଚରଣ ପାଢ଼ୀ, ବରିଷ୍ଠ ସାମ୍ବାଦିକ ରବି ଦାସ, ପୂର୍ବତନ ସ୍ବାସ୍ଥ୍ୟସେବା ନିର୍ଦେଶକ ଡା.ସେବା ମହାପାତ୍ର, ଅତିରିକ୍ତ ଜନସ୍ବାସ୍ଥ୍ୟ ନିର୍ଦେଶକ ଡା.ଶକ୍ତିପ୍ରସାଦ ପାଢ଼ୀ, ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ପରାମର୍ଶଦାତା ଡମ୍ବରୁଧର ଭୂୟାଁ, ସାମାଜିକ ସୁରକ୍ଷା ଭିନ୍ନକ୍ଷମ ବିଭାଗର ଅତିରିକ୍ତ ସଚିବ ସୁବାସ ଚନ୍ଦ୍ର ରଥ, ଥେରାପିଷ୍ଟ କଲେଜର ଅଧ୍ୟକ୍ଷ ଗୁରୁ ଚରଣ ସେଠୀ, ଆଇନଜୀବୀ ପ୍ରିୟଦର୍ଶିନୀ ଦାସ ଓ ଜ୍ଞାନରଂଜନ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ସଂଘର ସଂପାଦକ ଦୁର୍ଯ୍ୟୋଧନ ପ୍ରଧାନ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଗଞ୍ଜାମ ଜିଲ୍ଲା ଶାରୀରିକ ଅକ୍ଷମ କଲ୍ୟାଣ ମହାସଂଘର ସାଧାରଣ ସଂପାଦକ କେ.ଆନନ୍ଦ ରାଓ ଧନ୍ୟବାଦ ଦେଇଥିଲେ। ଜନଶୁଣାଣିରେ ୧୫୦ରୁ ଅଧିକ କୁଷ୍ଠରୋଗୀ ଯୋଗ ଦେଇ ସେମାନଙ୍କ ସମସ୍ୟା ବଖାଣିଥିଲେ।

ସମ୍ବନ୍ଧିତ ଖବର