ଭୁବନେଶ୍ୱର : ଭୁବନେଶ୍ବର ଜୁଡିସିଆଲ୍ କମ୍ପ୍ଲେକ୍ସ ପରିସରରୁ ୨୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଜି ବିଏମ୍ସି ପକ୍ଷରୁ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ସେପ୍ଟେମ୍ବର ୧୯ରୁ ୨୫ ତାରିଖ ପର୍ଯ୍ୟନ୍ତ ଏହି ଅଞ୍ଚଳକୁ ସର୍ବସାଧାରଣଙ୍କ ଯାତାୟାତ ଉପରେ ରୋକ୍ ଲାଗିଛି। କୋର୍ଟରେ ଏବେ ଅନ୍ଲାଇନ୍ ଶୁଣାଣି ହେଉଥିଲେ ହେଁ ଓକିଲ ଓ ବିଭିନ୍ନ ପ୍ରକାରର ଲୋକ ଏଠାକୁ ଆସୁଛନ୍ତି। ତେଣୁ ବିଏମ୍ସି ପକ୍ଷରୁ ଆଜି ଏଠାରେ ଏକ କରୋନା ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା। ଏଥିରେ କୋର୍ଟର କିଛି କର୍ମଚାରୀଙ୍କ ସମେତ କିଛି ଓକିଲଙ୍କର ନମୁନା ପଜିଟିଭ୍ ଆସିଥିଲା। ଏକସଙ୍ଗେ ୨୩ଜଣଙ୍କର ରିପୋର୍ଟ ପଜିଟିଭ୍ ଆସିବାରୁ ବିଏମ୍ସି ପକ୍ଷରୁ ଲୁଇସ୍ ରୋଡ୍ସ୍ଥିତ ଭୁବନେଶ୍ବର ଜୁଡିସିଆଲ୍ କମ୍ପ୍ଲେକ୍ସ ପରିସର ଏବଂ ଡିଏଲ୍ଏସ୍ଏକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଏନେଇ ବିଏମ୍ସିର ଦକ୍ଷିଣ-ପୂର୍ବ ଜୋନ୍ ଜୋନାଲ ଡେପୁଟି କମିସନର ଅଂଶୁମାନ ରଥ ଆଜି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି ସମୟରେ କୋର୍ଟ ପରିସରରେ ଥିବା ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍ ବି ନିର୍ଦ୍ଦେଶନାମା ଜାରି କରିଛନ୍ତି। ୨୫ ତାରିଖ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍ଙ୍କ କୋର୍ଟଙ୍କ ସମେତ ଜୁଡିସିଆଲ୍ କମ୍ପ୍ଲେକ୍ସ ପରିସରରେ ଥିବା ସମସ୍ତ କୋର୍ଟ ବନ୍ଦ ରହିବ। ଏ ସମୟରେ କୌଣସି ଶୁଣାଣି ହେବ ନାହିଁ ବୋଲି ଜଣାପଡ଼ିଛି। ଭୁବନେଶ୍ବର ଜୁଡିସିଆଲ୍ କମ୍ପ୍ଲେକ୍ସ ବନ୍ଦ ରହୁଥିଲେ ହେଁ ଭୁବନେଶ୍ବର ତହସିଲ୍, ସବ୍ରେଜିଷ୍ଟ୍ରାର, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ଦେବୋତ୍ତର ବିଭାଗ କାର୍ଯ୍ୟାଳୟ ଖୋଲା ରହିବ। ଏନେଇ କିଛି ନିର୍ଦ୍ଦେଶନାମା ନାହିଁ।
ସୂଚନାଯୋଗ୍ୟ, ପ୍ରାୟ ଦୁଇ ମାସ ପରେ ଭୁବନେଶ୍ବରରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ପୂର୍ବରୁ ବିଭିନ୍ନ ବସ୍ତି, କଲୋନି ଅଞ୍ଚଳକୁ ବିଏମ୍ସି କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଥିବା ବେଳେ ପ୍ରଥମ କରି ସରକାରୀ କାର୍ଯ୍ୟାଳୟକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି।