ଭୁବନେଶ୍ବର : କଳ୍ପନା ଛକ ନିକଟସ୍ଥ ଲୁଇସ୍ ରୋଡ୍ରେ ଥିବା ଜୁଡିସିଆଲ୍ କମ୍ପ୍ଲେକ୍ସ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବହୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମ୍ସି ପକ୍ଷରୁ ଏହି ଦୁଇଟି ଅଫିସ୍ କମ୍ପ୍ଲେକ୍ସକୁ ସିଲ୍ କରାଯାଇଛି।
ବିଏମ୍ସିରୁ ମିଳିଥିବା ସୂଚନା ଅନୁଯାୟୀ, ଜୁଡିସିଆଲ୍ କମ୍ପ୍ଲେକ୍ସରେ ଥିବା ବିଭିନ୍ନ କୋର୍ଟର ବିଚାରପତି, କର୍ମଚାରୀ ଓ ଓକିଲ କରୋନା ଆକ୍ରାନ୍ତ ହେବା ପରେ ଏହାକୁ ଏପ୍ରିଲ ୨୯ରୁ ମେ’ ୫ ତାରିଖ ପର୍ଯ୍ୟନ୍ତ ୭ଦିନ ପାଇଁ ସିଲ୍ କରିଦିଆଯାଇଛି। ଏହି ସମୟରେ ବିଏମ୍ସି କର୍ମଚାରୀଙ୍କ ବ୍ୟତୀତ ଅନ୍ୟ କେହି ଜୁଡିସିଆଲ୍ କମ୍ପ୍ଲେକ୍ସ ପରିସରକୁ ଯାଇ ପାରିବେନି। ଏହି ସମୟ ମଧ୍ୟରେ କୋର୍ଟ କର୍ତ୍ତୃପକ୍ଷ କ୍ୟାମ୍ପସକୁ ବିଶୋଧନ କରିବାକୁ କୁହାଯାଇଛି। ସେହିପରି ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ଏହା ନିକଟରେ ଥିବା ଭୁବନେଶ୍ବର ତହସିଲ୍, ଖଣ୍ଡଗିରି ସବ୍ରେଜିଷ୍ଟ୍ରି ଅଫିସ୍, ଭୁବନେଶ୍ବର ଜିଲ୍ଲା ସବ୍ରେଜିଷ୍ଟ୍ରି ଅଫିସକୁ ସିଲ୍ କରାଯାଇଛି। ଏଠାରୁ ବହୁ ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମ୍ସି ପକ୍ଷରୁ ୭ଦିନ ପାଇଁ ଅର୍ଥାତ୍ ମେ’ ୫ ତାରିଖ ପର୍ଯ୍ୟନ୍ତ ଏହି ସବୁ କାର୍ଯ୍ୟାଳୟକୁ ବନ୍ଦ କରିଦିଆଯାଇଛି। ଏହି ସମୟ ଭିତରେ ଉପଜିଲ୍ଲାପାଳ ପୂରା ଅଫିସ୍ କମ୍ପ୍ଲେକ୍ସକୁ ବିଶୋଧନ କରିବେ। ଏହାପରେ ଅଫିସ୍ ଖୋଲିବ ବୋଲି କୁହାଯାଇଛି।
ବିଏମ୍ସିର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଭୁବନେଶ୍ବର ତହସିଲ୍ ଓ ଦୁଇଟି ସବ୍-ରେଜିଷ୍ଟ୍ରି କାର୍ଯ୍ୟାଳୟକୁ ଦୈନିକ ଶହଶହ ଲୋକ ଆସୁଥିବା ବେଳେ ଏଠାରେ ଷ୍ଟାମ୍ପ ଭେଣ୍ଡର୍, ନୋଟାରି, ଓକିଲ, ଅନ୍ୟାନ୍ୟ କର୍ମଚାରୀଙ୍କୁ ମିଶାଇ ହଜାରେରୁ ଅଧିକ ଲୋକଙ୍କ ଗହଳି ଜମୁଛି। ଏଠାରେ ବହୁ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଏଠାକୁ ଆସୁଥିବା ଲୋକ କରୋନା ଆକ୍ରାନ୍ତ ହେବାର ଭୟ ରହୁଛି। ଏହି କାର୍ଯ୍ୟାଳୟଗୁଡ଼ିକରେ ସାମାଜିକ ଦୂରତା ରହୁନଥିବାରୁ ବିଏମ୍ସି ପକ୍ଷରୁ ଏହାକୁ ସିଲ୍ କରାଯାଇଛି।