କଟକ : ବହୁ ଚର୍ଚ୍ଚିତ ଜୁଡୋ କୋଚ୍ ବିରଞ୍ଚି ଦାସ ହତ୍ୟା ମାମଲାରେ ନିମ୍ନ ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍‌ରେ ଥିବା ଚଗଲା ଓରଫ ଅକ୍ଷୟ କୁମାର ବେହେରାକୁ ହାଇକୋର୍ଟରୁ ଜାମିନ ମିଳିଛି। ଏହି ହତ୍ୟା ମାମଲାରେ ଚଗଲା ୧୩ ବର୍ଷ ହେବ ଜେଲ୍‌ରେ ରହିଛି। ଏହାଛଡ଼ା ଚଗଲା ସହିତ ବିରଞ୍ଚି ଦାସ ହତ୍ୟାକାଣ୍ଡରେ  ଦୋଷୀ ସାବ୍ୟସ୍ତ ହୋଇଥିବା ରାଜା ଓରଫ ସନ୍ଦୀପ ଆଚାର୍ଯ୍ୟକୁ ୨୦୧୭, ମାର୍ଚ୍ଚ ୧୦ରେ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଥିଲେ। ଏହି ସବୁ ପ୍ରସଂଗକୁ ହାଇକୋର୍ଟ ବିଚାରକୁ ନେଇ ସୋମବାର ଚଗଲାକୁ ଜାମିନ ମଞ୍ଜୁର କରିଛନ୍ତି। ନିମ୍ନ ଅଦାଲତ ଆବଶ୍ୟକ ସର୍ତ୍ତ ଧାର୍ଯ୍ୟ କରି ଚଗଲାକୁ ଜାମିନରେ ଛାଡ଼ିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍‌.ମୁରଲୀଧର ଓ ଜଷ୍ଟିସ୍ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଚଗଲାର ଅନ୍ତରୀଣ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ନିମ୍ନ ଅଦାଲତ ଦଣ୍ଡାଦେଶକୁ ଚାଲେଞ୍ଜ କରି ଚଗଲା ଓ ରାଜା ଦାୟର କରିଥିବା ଅପିଲର ୨୦୨୨, ଜାନୁଆରି ୧୮ରେ ପୂର୍ଣ୍ଣାଙ୍ଗ ଏକତ୍ର ଶୁଣାଣି ପାଇଁ ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଏଠାରେ ସୂଚନାଯୋଗ୍ୟ ଯେ ୨୦୧୦ରେ ବିରଞ୍ଚି ଦାସ ହତ୍ୟା ମାମଲାରେ ଚଗଲା ଓରଫ ଅକ୍ଷୟ ଓ ରାଜା ଓରଫ ସଂଦୀପ ଆଚାର୍ଯ୍ୟଙ୍କୁ ନିମ୍ନ ଅଦାଲତ ଦୋଷୀ ସାବ୍ୟସ୍ତ କରିଥିଲେ। ଏହି ଦଣ୍ଡାଦେଶକୁ ଚାଲେଞ୍ଜ କରି ଉଭୟ ୨୦୧୧ରେ ପୃଥକ ଅପିଲ ହାଇକୋର୍ଟରେ ଦାୟର କରିଥିଲେ। ଚଗଲା ପକ୍ଷରୁ ଆଇନଜୀବୀ ଅମିତ ପ୍ରସାଦ ବୋଷ ମାମଲା ପରିଚାଳନା କରୁଛନ୍ତି।