ଚନ୍ଦ୍ରଶେଖରପୁର: କିଟ୍ ଛକରୁ ଶିଖରଚ଼ଣ୍ଡୀକୁ ଲମ୍ବିଥିବା ରାସ୍ତା...। ସଂଧ୍ୟା ହେଲେ ଚା’ଠାରୁ ନେଇ ମ୍ୟାଗି ପର୍ଯ୍ୟନ୍ତ, ଗୁପ୍ଚୁପ୍ଠୁ ନେଇ ମୋମୋ ଆଦିର ମହମହ ବାସ୍ନାରେ ପରିବେଶ ଫାଟି ପଡ଼େ। ଦେଢ଼ କିମି ଦୈର୍ଘ୍ୟର ଏହି ରାସ୍ତାରେ ପାଖାପାଖି ୭୦ରୁ ଅଧିକ ଖାଦ୍ୟ ଦୋକାନ ରହିଛି। ପୁଣି ବିଭିନ୍ନ ରକମର ଖାଦ୍ୟ କାଉଣ୍ଟର। ବଡ଼ାପାଓ, ପାସ୍ତା, ପଞ୍ଜାବୀ କୁଲିଫି, ବର୍ଗର୍, ବିରିୟାନି, ମୋମୋ ଆଦିର ପସରା ମେଲିଛି ଏଠାରେ। ବିଶେଷକରି ସଂଧ୍ୟା ହେଲେ କିଟ୍ର କଲେଜ ପଢ଼ୁଆ ପିଲାଙ୍କ ଭିଡ଼ ଏଠାରେ ଜମେ। ଫାଷ୍ଟ ଫୁଡ୍ ପ୍ରିୟ ଯୁବପିଢ଼ି ଏଠାକୁ ଆସି ପାସ୍ତା ଓ ମ୍ୟାଗି ଅଧିକ ଖାଉଥିବା ବେଳେ ମୋମୋ, ବର୍ଗର, ବଡ଼ାପାଓର ବି ଢେର୍ ଚାହିଦା ରହିଛି। ଅନ୍ୟପଟେ ବର୍ଷା ଦିନ ହେଉ ବା ଅନ୍ୟ ସମସ୍ତ ଦିନ ଚା’ ଓ କଫିର ଚାହିଦା ସବୁବେଳେ ରହିଛି।
ସଂଧ୍ୟା ହେଲେ ଏଠାରେ ଥିବା ‘ମୋ ଚାଏ ବାର୍’, ‘ଚାଏ କର୍ଣ୍ଣର’ ପାଖରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳେ। ସେହିଭଳି ମଟ୍କା ଚା’ ଓ କଫିର ଚାହିଦା ମଧ୍ୟ ରହିଛି। ଏସବୁ ତ’ ସାଧାରଣ ହେଲାଣି, ଏଠାରେ ସବୁଠୁ ନିଆରା ହେଉଛି ‘ଫିଟ୍ନେସ୍ ଫୁଡ୍ କାଉଣ୍ଟର’। ଏବେ ସ୍ବାସ୍ଥ୍ୟ ସଚେତନ ଯୁବପିଢ଼ିଙ୍କ ପାଇଁ ଏଠାରେ ଖୋଲିଛି ଏଭଳି କାଉଣ୍ଟର। ବିନା ତେଲ, ମସଲାରେ ପ୍ରସ୍ତୁତ ମକା, ଛତୁ ଓ ମଟରର ବିଭିନ୍ନ ବ୍ୟଞ୍ଜନ ସହ ବିଭିନ୍ନ ପ୍ରକାର ସୁପ୍ ଏହି କାଉଣ୍ଟରର ସ୍ବାତନ୍ତ୍ରୢ। ଯୁବପିଢ଼ିଙ୍କ ମଧ୍ୟରେ ଏହାର ଅଧିକ ଚାହିଦା ରହିଥିବା ବେଳେ ବୟସ୍କମାନେ କିନ୍ତୁ ଆଳୁ ପରଟାକୁ ଅଧିକ ପସନ୍ଦ କରୁଛନ୍ତି।
ଅନ୍ୟପଟେ ଏବେ ଯୁବପିଢ଼ି ସ୍ବାସ୍ଥ୍ୟ ସଚେତନ ହୋଇଥିବାରୁ ସେମାନଙ୍କ ପାଇଁ ଏଠାରେ ରହିଛି ହର୍ବାଲ ଜୁସ୍, ହର୍ବାଲ୍ ଟି, ସ୍ବିଟ୍କର୍ଣ୍ଣ, ବ୍ରାଉନ୍ ଗ୍ରିଲ୍ଡ୍ ସାଣ୍ଡ୍ୱିଚ୍, ଫଳ ଜୁସ୍ ଓ ଫଳ ସାଲାଡ୍ ଆଦି ସ୍ବାସ୍ଥ୍ୟକର ଓ ଡାଏଟ୍ ଫୁଡ୍। ଏଥିସହ ଘରୋଇ ଖାଦ୍ୟ ପସନ୍ଦ କରୁଥିବା ଲୋକଙ୍କ ପାଇଁ ଖଟା ଆଳୁ ପରଟା, ପରଟା, ଚକୁଳି ଆଦି ପାରମ୍ପରିକ ଖାଦ୍ୟ ବି ମିଳୁଛି। ଏଠାରେ ସେହି ଅଞ୍ଚଳର ଲୋକଙ୍କ ସମେତ ପଟିଆ, ଶୈଳଶ୍ରୀବିହାର, ଡମଣା, ନୀଳାଦ୍ରିବିହାର, ପ୍ରଶାନ୍ତିବିହାର, ନନ୍ଦନବିହାର ଓ ହାଉସିଂବୋର୍ଡ କଲୋନି ଭଳି ଅଞ୍ଚଳର ଲୋକ ସଂଧ୍ୟା ସମୟ କାଟିବା ଅବସରରେ କେବଳ ଖାଇବାର ମଜା ଉଠାଇବାକୁ ଏଠାକୁ ଆସନ୍ତି।
ଦୋକାନୀ କୁମାର ରାଜ କହିଛନ୍ତି ଯେ ଏଠାରେ ୫ବର୍ଷ ହେଲାଣି ଦୋକାନ ଚାଲିଛି। ଏଠାକୁ ବିଶେଷକରି ଯୁବବର୍ଗର ଗ୍ରାହକମାନେ ଅଧିକ ଆସୁଛନ୍ତି। ସେମାନଙ୍କ ଚାହିଦା ଅନୁସାରେ ଆମେ ଖାଦ୍ୟ ପ୍ରସ୍ତୁତ କରୁଛୁ। ବେପାର ମଧ୍ୟ ଖୁବ୍ ଭଲ ହେଉଛି। ସନ୍ଧ୍ୟାବେଳେ ଏଠାରେ ଲୋକମାନଙ୍କର ଖଟି ଜମିବା ସହ ଆମ ବେପାର ମଧ୍ୟ ଜମୁଛି। ଲୋକମାନେ ଷ୍ଟ୍ରିଟ ଲାଇଟ୍ ତଳେ ଷ୍ଟ୍ରିଟ୍ ଫୁଡ୍ର ମଜା ନେଇ ସହରୀ ଜୀବନ ଉପଭୋଗ କରୁଛନ୍ତି। ସେହିଭଳି ଗ୍ରାହକ ଲୋକନାଥ ସ୍ୱାଇଁ କହିଛନ୍ତି ଯେ ଲୋକମାନଙ୍କର ଚାହିଦାକୁ ଲକ୍ଷ୍ୟ ରଖି ଦୋକାନୀମାନେ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି। କିଟ୍-ଶିଖରଚ଼ଣ୍ଡୀ ରାସ୍ତା ଏକ ପ୍ରକାର ଖାଦ୍ୟ ହବ୍ ପାଲଟି ଗଲାଣି। ବିଭିନ୍ନ ଅଂଚଳରୁ ଲୋକମାନେ ଏଠାକୁ ଆସି ସମୟ ବିତାଇବା ସହ ବିଭିନ୍ନ ପ୍ରକାର ଖାଦ୍ୟର ମଜା ଉଠାଉଛନ୍ତି। ଖାଦ୍ୟ ଅନୁସାର ଦାମ୍ ମଧ୍ୟ ପକେଟକୁ ସୁହାଇଲା ଭଳି ରହିଛି ବୋଲି ସେ କହିଛନ୍ତି।