ରାଜଧାନୀର ଜୁନ୍‌ ବର୍ଷା: ୧୦ ବର୍ଷର ରେକର୍ଡ ଭାଙ୍ଗିଲା, ଗୋଟିଏ ଦିନରେ ସର୍ବାଧିକ ୧୧୩ ମିମି ବର୍ଷା ହୋଇଥିଲା

ଏଯାଏ ସ୍ବାଭାବିକଠାରୁ ୯୩ ମିମି ଅଧିକ ବର୍ଷା ହେଲାଣି

ଭୁବନେଶ୍ବର: ଜୁନ ମାସ ସାରା ରାଜଧାନୀ‌କୁ ବୁଡ଼ାଇଇ ମୌସୁମୀ ବର୍ଷା। ଏତେ ବର୍ଷା ହୋଇଛି ଯେ ବିଗତ ୧୦ ବର୍ଷର ସବୁ ପୁରୁଣା ରେକର୍ଡକୁ ପଛରେ ପକାଇ ଦେଇଛି। ଖାଲି ସେତିକି ନୁହେଁ, ଏହି ଜୁନ ମାସର ଗୋଟିଏ ଦିନରେ ହୋଇଥିବା ସର୍ବମୋଟ୍‌ ବର୍ଷା ବି ଗତ ୧୦ବର୍ଷ ଭିତରେ ଜୁନ୍‌ର ଯେକୌଣସି ଦିନରେ ହୋଇଥିବା ସର୍ବାଧିକ ବର୍ଷାଠାରୁ ଯଥେଷ୍ଟ ଅଧିକ ବୋଲି ଜଣାପଡ଼ିଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସଙ୍କ ସୂଚନା ଅନୁସାରେ, ଚଳିତ ବର୍ଷ ରାଜ୍ୟକୁ ମୌସୁମୀ ଠିକ୍‌ ସମୟରେ ପ୍ରବେଶ କରିଥିବା ବେଳେ ରାଜ୍ୟର ଅଧିକାଂଶ ସ୍ଥାନରେ ଭଲ ବର୍ଷା ହୋଇଯାଇଛି। ରଜ ପୂର୍ବରୁ ୧୧ ଜୁନ୍‌ ବିଳମ୍ବିତ ରାତିରେ ରାଜଧାନୀ ଛୁଇଁଥିଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଏହା ପରଠାରୁ ରାଜଧାନୀରେ ଭଲ ବର୍ଷା ହୋଇଥିବା ବେଳେ ଗତ ମଙ୍ଗଳବାର ପୂର୍ବାହ୍ନରୁ ବୁଧବାର ଅପରାହ୍‌ଣ ପର୍ଯ୍ୟନ୍ତ ଅର୍ଥାତ୍‌ ୨୨ ଓ ୨୩ ତାରିଖ ଦିନ ବର୍ଷା ରାଜଧାନୀରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ୨୪ ଘଣ୍ଟାରେ ରାଜଧାନୀରେ ଏକାଥରେ ୧୧୩.୨ ମିମି ବର୍ଷା ଢାଳି ହୋଇଥିଲା। ଗତ ୧୦ ବର୍ଷ ଭିତରେ ଜୁନ୍‌ ମାସରେ ଦିନକରେ ଏତେ ବର୍ଷା କେବେ ହୋଇ ନଥିଲା। ଶେଷଥର ପାଇଁ ୨୦୧୩ ଜୁନ୍‌ ୨୧ ତାରିଖ ଦିନ ୨୪ ଘଣ୍ଟାରେ ସର୍ବାଧିକ ୭୭.୬ମିମି ବର୍ଷା ହୋଇଥିଲା। ଚଳିତ ଥର ଏହି ରେକର୍ଡକୁ ବହୁ ପଛରେ ପକାଇ ଆହୁରି ୩୬ ମିମି ଅଧିକ ବର୍ଷା ରେକର୍ଡ଼ କରାଯାଇଥିଲା।

ଚଳିତବର୍ଷ ରାଜଧାନୀରେ ଜୁନ୍‌ ୧୧ରୁ ୨୫ ତାରିଖ ପର୍ଯ୍ୟନ୍ତ ୨୯୭ମିମି ବର୍ଷା ହୋଇଯାଇଛି। ଜୁନ୍‌ରେ ସ୍ବାଭାବିକ ଭାବେ ରାଜଧାନୀରେ ୨୦୪.୮ ମିମି ହୋଇଥାଏ। କିନ୍ତୁ ମାସର ଆହୁରି କିଛି ଦିନ ବାକି ରହିଥିବା ବେଳେ ରାଜଧାନୀରେ ସ୍ବାଭାବିକଠାରୁ ପ୍ରାୟ ୯୩ ମିମି ଅଧିକ ବର୍ଷା ହୋଇଛି। ଶେଷଥର ପାଇଁ ୨୦୧୨ ମସିହାରେ ଜୁନ୍‌ରେ ସର୍ବାଧିକ ବର୍ଷା ୨୮୬.୪ ମିମି ରେକର୍ଡ ହୋଇଥିଲା। ଅନ୍ୟପଟେ ରାଜଧାନୀରେ ଜୁନରେ ମୋଟ୍‌ ୨୬ ଦିନ ବର୍ଷା ଦିନରୁ ସ୍ବାଭାବିକ ଭାବେ ୧୧ ଦିନ ବର୍ଷା ହେଇଥାଏ। କିନ୍ତୁ ଚଳିତ ବର୍ଷ ୨୬ ଜୁନ୍‌ ସୁଦ୍ଧା ୧୧ଦିନ ବର୍ଷା ହୋଇସାରିଛି। ମାସର ଅବଶିଷ୍ଟ ୪ ଦିନରେ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଚଳିତ ବର୍ଷ ସ୍ବାଭାବିକଠାରୁ ଅଧିକ ଦିନ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି।

ପ୍ରକାଶଯୋଗ୍ୟ, ୧୯୭୧ ଜୁନ୍‌ରେ ରାଜଧାନୀରେ ସର୍ବମୋଟ୍‌ ୪୯୯.୩ମିମି ବର୍ଷା ହୋଇଥିଲା, ଯାହାକି ସର୍ବକାଳୀନ ରେକର୍ଡ। ସେହିଭଳି ୧୯୭୧ ଜୁନ୍‌ ୨୨ ଦିନ ୨୪ ଘଣ୍ଟା ଭିତରେ ସର୍ବାଧିକ ୨୭୭.୮ମିମି ବର୍ଷା ହୋଇଥିଲା। ଏହା ବି ଏପର୍ଯ୍ୟନ୍ତର ଏକ ସର୍ବକାଳୀନ ରେକର୍ଡ।

ସମ୍ବନ୍ଧିତ ଖବର