ଭୁବନେଶ୍ବର: ରାଜଧାନୀର ପରିମଳ ଅବ୍ୟବସ୍ଥା ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି)ର ମୁଣ୍ଡବିନ୍ଧା ବଢ଼ାଇଲାଣି। ଠିକାସଂସ୍ଥା ତଥା ଏଜେନ୍ସିମାନେ ମାସ ମୁଣ୍ଡକୁ ପୁଳା ପୁଳା ଟଙ୍କା ନେଉଥିଲେ ବି ପରିମଳ ତଥା ସଫେଇ କାମ ଠିକ୍‌ରେ କରୁନାହାନ୍ତି। ରାସ୍ତାଘାଟ ସଫା କଥା ହେଉ କି ଘରକୁ ଘର ବୁଲି ଅଳିଆ ସଂଗ୍ରହ, ସବୁଥିରେ ଅବ୍ୟବସ୍ଥା ଲାଗିରହିଛି। ଏବେ ବିଏମ୍‌ସି ରାସ୍ତାଘାଟ ସଫେଇର ଜୋନ୍‌ୱାରି ଟେଣ୍ଡର କରିବାକୁ ନିଷ୍ପତ୍ତି ନେଇଛି। କିନ୍ତୁ ଏହି ନୂଆ ଟେଣ୍ଡର ବିଏମ୍‌ସିକୁ ଅଡ଼ୁଆରେ ପକାଇବା ଜଳଜଳ ଦିଶିଲାଣି।

Advertisment

ପୂର୍ବର ରାସ୍ତାଘାଟ ସଫେଇ ଟେଣ୍ଡର ମାମଲା ଏବେ ବି କୋର୍ଟରେ ବିଚାରାଧୀନ ରହିଛି। ବିଏମ୍‌ସିକୁ ଏଥିପାଇଁ ନାକରେ କାନ୍ଦିବାକୁ ପଡ଼ୁଛି। ସେପଟେ ଘରକୁ ଘର ବୁଲି ଅଳିଆ ସଂଗ୍ରହ ଓ ରାସ୍ତାଘାଟ ସଫେଇକୁ ଅଲଗା ଟେଣ୍ଡର କରି ଖର୍ଚ୍ଚ କମାଇବାକୁ ଯାଇ ବିଏମ୍‌ସି ମହରଗରୁ ଯାଇ କାନ୍ତାରରେ ପଡ଼ିଛି। ଖର୍ଚ୍ଚ ତ ବଢ଼ିଛି, ଏହା ସହ ଅଡ଼ୁଆ ବି। ଘରକୁ ଘର ବୁଲି ଅଳିଆ ସଂଗ୍ରହ ଏଜେନ୍ସି ଓ ରାସ୍ତା ଘାଟ ସଫେଇ ଏଜେନ୍ସି ଭିତରେ ତାଳମେଳ ରହୁ ନଥିବାରୁ ରାସ୍ତାଘାଟ ସବୁ ଆବର୍ଜନାରେ ଭରିଗଲାଣି। ୱ‌ାର୍ଡ ଅଧିକାରୀ, ପରିମଳ ସୁପରଭାଇଜର୍‌ମାନେ ଏଜେନ୍ସି ସହ ସଲାସୁତରାରେ କାମ କରୁଛନ୍ତି। ବିଏମ୍‌ସି ଦୁଇ କାମ ଗୋଟିଏ ସଂସ୍ଥାକୁ ନ ଦେଇ ପୁଣି ଅଲଗା ଅଲଗା ସଂସ୍ଥାକୁ ଦେଇ ନିଜ ପାଇଁ ନିଜେ ଗାତ ଖୋଳିବାକୁ ଯାଉଛି। ଅପରପକ୍ଷେ ପୂର୍ବର ରାସ୍ତାଘାଟ ସଫେଇ ଟେଣ୍ଡର ଅଦ୍ୟାବଧି କୋର୍ଟଙ୍କ ବିଚାରାଧୀନ ଥିବାରୁ ନୂଆ ଟେଣ୍ଡରକୁ ଯେକୌଣସି ମୁହୂର୍ତ୍ତରେ ଅଦାଲତୀ ଝଟ୍‌କା ଲାଗିପାରେ।

ବିଏମ୍‌ସି ଅଞ୍ଚଳରେ ୨୩୭୫ କିଲୋମିଟର ରାସ୍ତା ରହିଛି। ଏଥିରୁ କିଛି ଅଞ୍ଚଳ ଯାନ୍ତ୍ରିକ ସଫେଇ ଓ ବାକି ଅଞ୍ଚଳ ଲୋକବଳ ଜରିଆରେ ସଫେଇ କରାଯାଉଛି। ପୂର୍ବରୁ ବିଏମ୍‌ସି ଘରକୁ ଘର ବୁଲି ଅଳିଆ ସଂଗ୍ରହ ଦାୟିତ୍ବରେ ଯେଉଁ ଏଜେନ୍ସିକୁ ଦେଉଥିଲା, ସେହି ଠିକାସଂସ୍ଥାକୁ ରାସ୍ତାଘାଟ ସଫେଇ ଦାୟିତ୍ବ ବି ଦେଉଥିଲା। ଠିକା ବଦଳରେ ଓଜନ ହିସାବରେ ଅଳିଆ ଉଠାଇ ଟଙ୍କା ପାଉଥିଲେ। ଏଜେନ୍ସିମାନେ ଅଧିକ ଟଙ୍କା ଉପାର୍ଜନ ଆଶାରେ ପ୍ରତିଯୋଗିତାମୂଳକ ଭାବେ ଅଳିଆ ଉଠାଉଥିଲେ।  କିନ୍ତୁ ୨୦୨୨ ମସିହାଠାରୁ ଏହି ଟେଣ୍ଡର ବ୍ୟବସ୍ଥାକୁ ବନ୍ଦ କରି ଘରକୁ ଘର ଅଳିଆ ସଂଗ୍ରହ ଓ ରାସ୍ତାଘାଟ ସଫେଇର ଭିନ୍ନ ଭିନ୍ନ ଟେଣ୍ଡର କରାଯାଉଛି। ଓଜନ ବଦଳରେ ଠିକାରେ ଅଳିଆ ଉଠୁଛି। ଟେଣ୍ଡରରେ ଠିକାରେ ଅଳିଆ ଉଠାଇବାକୁ ୬୭ଟି ୱାର୍ଡକୁ ୧୦ଟି ପ୍ୟାକେଜ୍‌ରେ ବଣ୍ଟାଯାଇଥିଲା। କିନ୍ତୁ ତିନିଟି ପ୍ୟାକେଜ୍(୩, ୫ ଓ ୮)ରେ ଟେଣ୍ଡର ଅନିୟମିତତା ଅଭିଯୋଗ କୋର୍ଟଙ୍କ ବିଚାରାଧୀନ ରହିଛି। ଯାହା ଅଧୀନରେ ୨୩ଟି ୱାର୍ଡ ରହିଥିଲା।

ବାକି ୭ଟି ପ୍ୟାକେଜ୍ ଅଧୀନରେ ୪୪ଟି ୱାର୍ଡ ରହିଥିବାବେଳେ ଏହି ୱାର୍ଡରେ ସଂପୃକ୍ତ ଠିକାସଂସ୍ଥାମାନେ କାମ କରୁଛନ୍ତି। କୋର୍ଟରେ ବିଚାରାଧୀନ ତିନି ପ୍ୟାକେଜ୍‌ର ୨୩ଟି ୱାର୍ଡରୁ ୨୦ଟି ୱାର୍ଡର ସଫେଇ ଚୁକ୍ତିଭିତ୍ତିରେ ଦୁଇ ଏଜେନ୍ସି ଜରିଆରେ ଚାଲିଛି। ଏହି ୱାର୍ଡରୁ ଓଜନରେ ଅଳିଆ ଉଠୁଛି। ବାକି ତିନି ୱାର୍ଡ(୪, ୫ ଓ ୫୦) କଥା ନିଜେ ବିଏମ୍‌ସି ବୁଝୁଛି। ଏହି ଟେଣ୍ଡର ଅବଧି ଗତ ସେପ୍ଟେମ୍ବର ୩୦ରେ ଶେଷ ହୋଇଯାଇଥିଲା। ଏଣୁ ନୂଆ ଟେଣ୍ଡର କରିବା ପୂର୍ବରୁ ଚଳିତ ବର୍ଷ ଡିସେମ୍ବର ୩୧ ପର୍ଯ୍ୟନ୍ତ ଟେଣ୍ଡର ଅବଧି ବଢ଼ାଯାଇଛି। ନୂଆ ଟେଣ୍ଡର ପ୍ରକ୍ରିୟା କ’ଣ ରହିବ ତାହା ବି ବିଏମ୍‌ସି ସ୍ବାସ୍ଥ୍ୟ ଓ ପରିମଳ ଷ୍ଟାଣ୍ଡିଂ କମିଟି ନିଷ୍ପତ୍ତି ନେଇସାରିଛି।