ଉପକଣ୍ଠରେ ହେବ ଜଙ୍ଗଲ ସଫାରି : ଚନ୍ଦକା ଅଭୟାରଣ୍ୟ ଓ ଭରତପୁର ସଂରକ୍ଷଣ ଜଙ୍ଗଲକୁ ମିଶାଇ ହେବ ସଫାରି

ଏବେ ରହିବେ ତୃଣଭୋଜି, ପରେ ମାଂସାହାରୀ ପ୍ରାଣୀଙ୍କୁ ରଖାଯିବ

ଭୁବନେଶ୍ବର : ବର୍ଷକୁ ପ୍ରାୟ ୩୫ଲକ୍ଷ ପର୍ଯ୍ୟଟକ ଆସୁଥିବା ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ସୀମିତ ନରଖି ଚନ୍ଦକା ଅଭୟାରଣ୍ୟ ଓ ଭରତପୁର ସଂରକ୍ଷିତ ଜଙ୍ଗଲ ପ୍ରତି ଆକୃଷ୍ଟ କରାଇବା ପାଇଁ ରାଜ୍ୟ ସରକାର ନୂଆ ଯୋଜନା କରୁଛନ୍ତି। ଏବେ ନନ୍ଦନକାନନରେ ପର୍ଯ୍ୟଟକ ଖୁଆଡ଼ ଭିତରେ ବିଭିନ୍ନ ଜୀବଜନ୍ତୁଙ୍କୁ ଦେଖୁଥିବା ବେଳେ ବାଘ ସଫାରିରେ ପର୍ଯ୍ୟଟକ ଗାଡ଼ିରେ ବୁଲି ବାଘଙ୍କୁ ଦେଖିବାର ସୁବିଧା ଅଛି। ହେଲେ ଏହା ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁନି। ତେଣୁ ଚନ୍ଦକା ଅଭୟାରଣ୍ୟ ଓ ଭରତପୁର ସଂରକ୍ଷଣ ଜଙ୍ଗଲକୁ ମିଶାଇ ଏକ ବଡ଼ ଅଞ୍ଚଳରେ ‘ଜଙ୍ଗଲ ସଫାରି’ କରିବାକୁ ନିଷ୍ପତ୍ତି ହୋଇଛି।

ଚନ୍ଦକା ଅଭୟାରଣ୍ୟ ଓ ଭରତପୁର ସଂରକ୍ଷଣ ଜଙ୍ଗଲରେ ନନ୍ଦନକାନନ ପରି ଏକ ବଡ଼ ଅଞ୍ଚଳକୁ ସୀମାବଦ୍ଧ କରି ସେଠାରେ ବିଭିନ୍ନ ପ୍ରଜାତିର ଜୀବଜନ୍ତୁଙ୍କୁ ଛଡ଼ାଯିବ। ପର୍ଯ୍ୟଟକମାନେ ଏହା ଭିତରକୁ ସ୍ବତନ୍ତ୍ର ଗାଡ଼ିରେ ଯିବେ। ପୂରା ପାଖରୁ ଜୀବଜନ୍ତୁଙ୍କୁ ଦେଖିବେ। ଏଥିରେ ପ୍ରଥମ ପର୍ଯ୍ୟାୟରେ ତୃଣଭୋଜି ପ୍ରାଣୀ ଓ ପରବର୍ତ୍ତୀ ସମୟରେ ମାଂସାହାରୀ ପ୍ରାଣୀ ଛାଡ଼ିବାକୁ ଯୋଜନା ହେଉଛି। ଏହାବାଦ୍‌ ନନ୍ଦନକାନନରେ ହରିଣଙ୍କ ସଂଖ୍ୟା ବଢ଼ି ଯାଇଥିବାରୁ ନୂଆ ଜଙ୍ଗଲ ସଫାରିକୁ ନନ୍ଦନକାନନର ଅଧା ହରିଣ ସ୍ଥାନାନ୍ତର କରିବାକୁ ଯୋଜନା ଅଛି।

ଜଙ୍ଗଲ ସଫାରି କଲେ କେତେ ଜମି ଆବଶ୍ୟକ ପଡ଼ିବ, ଅନ୍ୟ ରାଜ୍ୟରେ କେମିତି ଜଙ୍ଗଲ ସଫାରି ହୋଇଛି, ଜଙ୍ଗଲ ସଫାରିରେ କେତେ ପ୍ରାଣୀଙ୍କୁ ଛଡ଼ାଯିବ, ପର୍ଯ୍ୟଟକ ଓ ଜୀବଜନ୍ତୁଙ୍କ ସୁରକ୍ଷା ନେଇ କ’ଣ ପଦକ୍ଷେପ ନିଆଯାଇପାରିବ, କେତେ ଗାଡ଼ି ଚାଲିବ, ଟିକେଟ୍‌ର ଦାମ୍‌ କେତେ ରହିବ ଆଦି ବିଷୟକୁ ଧ୍ୟାନରେ ରଖି ଖର୍ଚ୍ଚ ଆକଳନ କରିବା ସହ କେବେ ସୁଦ୍ଧା ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ, ସେନେଇ ଏକ ଡିପିଆର୍ ପ୍ରସ୍ତୁତ କରିବାକୁ ଜଙ୍ଗଲ ଓ ପରିବେଶ ବିଭାଗକୁ କୁହାଯାଇଛି। ନନ୍ଦନକାନନ ନିର୍ଦ୍ଦେଶକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଜଙ୍ଗଲ ସଫାରି କରିବାକୁ ନିଷ୍ପତ୍ତି ହୋଇଛି।

ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ୍ ପାଇଁ ରହିବ ପୃଥକ ବାଟ
ବଟାନିକାଲ ଗାର୍ଡେନ୍‌କୁ ଏବେ ନନ୍ଦନକାନନ ମୁଖ୍ୟ ଫାଟକ ଦେଇ ପର୍ଯ୍ୟଟକମାନେ ଯାତାୟାତ କରୁଛନ୍ତି। ଏହାକୁ ଅଲଗା କରିବାକୁ ନିଷ୍ପତ୍ତି ହୋଇଛି। ନନ୍ଦନକାନନକୁ ବର୍ତ୍ତମାନ ପଡ଼ିଥିବା ରାସ୍ତା ରହିବ। ବଟାନିକାଲ ଗାର୍ଡେନକୁ ଯାତାୟାତ ପାଇଁ ପୃଥକ୍‌ ରାସ୍ତା ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଆବଶ୍ୟକ ଜମି ଯଥାସମ୍ଭବ ଶୀଘ୍ର ଅଧିଗ୍ରହଣ କରିବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଦାୟିତ୍ବ ଦିଆଯାଇଛି।

ନନ୍ଦନକାନନ ବାହାରେ ହେବ ବହୁତଳ ପାର୍କିଂ, ଫୁଡ୍‌ କୋର୍ଟ
ନନ୍ଦନକାନନକୁ ଆସୁଥିବା ପର୍ଯ୍ୟଟକଙ୍କ ସୁବିଧା ପାଇଁ ପ୍ରାଣୀ ଉଦ୍ୟାନ ଭିତରେ ଓ ବାହାରେ ପର୍ଯ୍ୟଟକଙ୍କ ପାଇଁ ବ୍ୟାପକ ବନ୍ଦୋବସ୍ତ କରିବାକୁ ଯୋଜନା ହୋଇଛି। ଏଥିପାଇଁ ପର୍ଯ୍ୟଟକଙ୍କ ଗାଡ଼ି ପାର୍କିଂ ସୁବିଧା ପାଇଁ ଏକ ବହୁତଳ ପାର୍କିଂ ବ୍ୟବସ୍ଥା, ବସ୍‌ ଷ୍ଟାଣ୍ଡର ଉନ୍ନତୀକରଣ, ନନ୍ଦନକାନନ ବାହାରେ ଏକ ଫୁଡ୍‌ କୋର୍ଟ କରିବାକୁ କୁହାଯାଇଛି। ଯଥାସମ୍ଭବ ଶୀଘ୍ର ଏହାକୁ ନିର୍ମାଣ କରିବାକୁ କୁହାଯାଇଛି।

ଖୁବ୍‌ ଶୀଘ୍ର ଚାଲିବ ଟଏ ଟ୍ରେନ୍ ଓ ରୋପ୍‌ ୱେ
ନନ୍ଦନକାନନର ଅନ୍ୟତମ ଆକର୍ଷଣ ଟଏ ଟ୍ରେନ୍ ଓ ରୋପ-ୱେ ଦୀର୍ଘ ବର୍ଷ ହେଲା ଅଚଳ ହୋଇପଡ଼ିଛି। ଏପରିକି ନୂଆ ରୋପ-ୱେ ପାଇଁ ସମସ୍ତ କାର୍ଯ୍ୟ ସରିଥିଲେ ହେଁ ଏହା କାର୍ଯ୍ୟକ୍ଷମ ହୋଇପାରୁନି। ଏପରିକି ନନ୍ଦନକାନନକୁ ଆସୁଥିବା ପିଲାମାନଙ୍କର ମୁଖ୍ୟ ଆକର୍ଷଣ ଟଏ-ଟ୍ରେନ୍ ପାଲଟିଥିଲେ ହେଁ ଏହା ଖରାପ ହେବା ପରେ ଏହାକୁ ମରାମତି କରାଯାଉନି। ତେଣୁ ରୋପ୍‌-ୱେ ଓ ଟଏ-ଟ୍ରେନ୍ ତୁରନ୍ତ ମରାମତି କରିବାକୁ ନିଷ୍ପତ୍ତି ହୋଇଛି। ଏନେଇ ବିଭାଗୀୟ ଅଧିକାରୀ ପଦକ୍ଷେପ ନେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର