ବାଳକାଟିରେ ବୁଲୁଛନ୍ତି ମାଳମାଳ ବଣବିରାଡ଼ି

ବାଲିଅନ୍ତା: ବାଳକାଟି ଫରେଷ୍ଟ ରେଞ୍ଜ ଅଧୀନ ପୁରୀ ମୁଖ୍ୟ କେନାଲ ବନ୍ଧ ସଂଲଗ୍ନ ଅଞ୍ଚଳ ଓ ନାଗପୁର ଗ୍ରାମ୍ୟ ଜଙ୍ଗଲରେ ଏବେ ମାଳମାଳ ବଣବିରାଡ଼ି ଦେଖିବାକୁ ମିଳୁଛି। ଗତ ଦୁଇ ଦିନ ଭିତରେ ସ୍ଥାନୀୟ ଲୋକେ ଭିନ୍ନ ଭିନ୍ନ ସ୍ଥାନରେ ପ୍ରାୟ ୪/୫ଟି ବଣବିରାଡ଼ି ଦେଖିଥିବା କହିଛନ୍ତି। ତେଣୁ ନିକଟରେ କୁକୁଡ଼ା ଚାଷ କରିଥିବା ଲୋକଙ୍କ ଭିତରେ ଆତଙ୍କ ଖେଳି ଯାଇଛି। ବଣବିରାଡ଼ିମାନେ କୁକୁଡ଼ା ମାରି ଖାଇଦେବା ଭୟରେ କିଛି କୁକୁଡ଼ା ଚାଷୀ ରାତି ଅନିଦ୍ରା ହୋଇ ଜଗି ବସୁଥିବା କହିଛନ୍ତି। ବାଳକାଟି ଆଖପାଖ ଅଞ୍ଚଳରେ ଥିବା ଗ୍ରାମ୍ୟ ଜଙ୍ଗଲରେ ବଣବିରାଡ଼ିଙ୍କ ବଂଶବୃଦ୍ଧି ହୋଇଥିବା ଜଣାପଡ଼ିଛି। ଅଧିକାଂଶ ସମୟରେ ସେମାନେ ବଣବୁଦାରୁ ବାହାରି ରାସ୍ତାରେ ବୁଲୁଥିବା ଦେଖିବାକୁ ମିଳୁଛି। ବିଶେଷକରି ଭୋର୍‌ ସମୟରେ ଓ ରାତିରେ ଏହି ବଣବିରାଡ଼ିମାନେ ରାସ୍ତାକୁ ଚାଲି ଆସୁଥିବା ଦେଖିବାକୁ ମିଳୁଛି। ତେଣୁ ସଞ୍ଜ ହେଲେ ଲୋକେ ଛୋଟ ପିଲାଙ୍କୁ ପଦାକୁ ଛାନୁନଥିବା ଜଣାପଡ଼ିଛି। ଏନେଇ ବାଲିପାଟଣା ବନ ଅଧିକାରୀ ଜୟକୃଷ୍ଣ ଯଦୁମଣୀ ଦାସଙ୍କ କହିବା କଥା ଜଙ୍ଗଲିଆ ସ୍ଥାନରେ ବଣବିରାଡ଼ି ରହୁଛନ୍ତି। ହେଲେ ଗ୍ରାମବାସୀମାନେ ଭୟଭୀତ ନ ହେବା ପାଇଁ ସେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର