କନିଷ୍ଠ ପୁରୁଷ ହକି ‌ବିଶ୍ବକପ୍‌ :ଜର୍ମାନି ପ୍ରଶଂସକଙ୍କ ରାଟେଲ ଓ ଡ୍ରମ୍‌ରେ କମ୍ପିଲା କଳିଙ୍ଗ

ଭୁବନେଶ୍ବର: ବହୁପ୍ରତୀକ୍ଷିତ ଜର୍ମାନି-ଭାରତ କନିଷ୍ଠ ହକି ‌ବିଶ୍ବକପ୍‌ ସେମିଫାଇନାଲ୍‌ ମ୍ୟାଚ୍ ବେଳକୁ କଳିଙ୍ଗ ଷ୍ଟାଡିୟମ୍‌ର ପୂର୍ବ ଓ ପଶ୍ଚିମ ଗ୍ୟାଲେରିରେ ପାଖାପାଖି ୩,୦୦୦ ଭାରତୀୟ ପ୍ରଶଂସକ ଥିଲେ। ହେଲେ ମାତ୍ର ୭ରୁ ୮ ଜଣ ଜର୍ମାନି ପ୍ରଶଂସକ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ। ଖେଳାଳିଙ୍କ ପରିବାରବର୍ଗ ଓ ଅଧିକାରୀଙ୍କୁ ନେଇ ଗଠିତ ଏହି ଗୋଷ୍ଠୀ କଳିଙ୍ଗ ହକି କଂପ୍ଲେକ୍ସର ପଶ୍ଚିମ ଗ୍ୟାଲେରିରେ ବସି ଡ୍ରମ୍ ଏବଂ ଜର୍ମାନିର ପାରମ୍ପରିକ ବାଦ୍ୟଯନ୍ତ୍ର ରାଟେଲ ବଜାଇ ନିଜ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। କେଇଜଣ ଜର୍ମାନି ପ୍ରଶଂସକ ଭୁଭୁଜେଲା ବଜାଇ ମଧ୍ୟ ଜର୍ମାନି ପ୍ରଶଂସକଙ୍କ ମନୋବଳ ବଢ଼ାଉଥିବା ଦେଖିବାକୁ ମିଳିଥିଲା। ଭାରତୀୟ ପ୍ରଶଂସକ ମଧ୍ୟ ଟିମ୍ ଇଣ୍ଡିଆକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଉତ୍ସାହିତ କରିଥିଲେ। ସେମାନଙ୍କ ରଡ଼ି ଏବଂ ରାଟେଲ ଓ ଡ୍ରମ୍‌ର ଶବ୍ଦରେ କଳିଙ୍ଗ ହକି କଂପ୍ଲେକ୍ସ ଏକପ୍ରକାର କମ୍ପି ଉଠିଥିଲା।

‌ସ୍ପେନ୍‌ ସୁଟ୍‌ଆଉଟ୍‌
କ୍ବାର୍ଟର ଫାଇନାଲ୍‌ରେ ପରାସ୍ତ ହୋଇଥିବା ସ୍ପେନ୍‌ ଓ ବେଲ୍‌ଜିୟମ ପଞ୍ଚମରୁ ଅଷ୍ଟମ ସ୍ଥାନ ଲାଗି ଶୁକ୍ରବାର ମୁହାଁମୁହିଁ ହୋଇଥିଲେ। ଏଥିରେ ବେଲ୍‌ଜିୟମ ବାଜି ମାରି ନେଇଥିଲା। ମ୍ୟାଚ୍‌ର ନିର୍ଦ୍ଧାରିତ ସମୟ ୨-୨ଗୋଲ୍‌ରେ ଅମୀମାଂସିତ ରହିବାରୁ ଫଳାଫଳ ଲାଗି ସୁଟ୍‌ଆଉଟ୍‌ର ସହଯୋଗ ନିଆଯାଇଥିଲା। ବେଲ୍‌ଜିୟମ ସୁଟ୍‌ଆଉଟ୍‌ରେ ୪ରୁ ୪ ସଫଳତା ପାଇଥିଲା ବେଳେ ସ୍ପେନ୍‌ ୫ରୁ ୩ସଫଳତା ପାଇ ୪-୩ ବ୍ୟବଧାନରେ ହାରିଥିଲା। ସୁଟ୍‌ଆଉଟ୍‌ରେ ବେଲ୍‌ଜିୟମର ରୋମାନ ଡୁଭେକୋଟ, ଷ୍ଟକ୍‌ବ୍ରୋଏକ୍ସ, ଟୋବିଆଜ ବିକେନ୍ସ ଓ ୱିଲବର୍ଜ ଗୋଲ୍‌ ଦେଇଥିଲେ। ସେହିପରି ସ୍ପେନ୍‌ର ରାଫେଲ ଭିଲାଲୋଙ୍ଗା, ଗେରାର୍ଡ, କ୍ଲାପେସ, ଇଗ୍ନାସିଓ ଅବାଜୋ ସଫଳ ହୋଇଥିଲା ବେଳେ ମାନୁଏଲ ରଡ୍ରିଗୁଏଜ ଓ ବୋରା ଲାକାଲି ବିଫଳ ହୋଇଥିଲେ। ଷ୍ଟକ୍‌ବ୍ରୋଏକ୍ସ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଟେନ୍‌ଭିକ୍‌ ସ୍ପୋର୍ଟ୍ସ କୋ-ଫାଉଣ୍ଡର ଓ ସିିଇଓ ବସନ୍ତ ଭରଦ୍ବାଜ ପୁରସ୍କାର ପ୍ରଦାନ କରିଥିଲେ। ଏକ୍ସଆଇଏମ୍‌ ଭୁବନେଶ୍ବରର କୁଳପତି ଆଣ୍ଟାନି ଆର୍‌ ଉଭାରି ମ୍ୟାଚ୍‌ ଆରମ୍ଭରେ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କ ସହ ପରିଚିତ ହୋଇଥିଲେ।

ଏହା ପୂର୍ବରୁ ନିର୍ଦ୍ଧାରିତ ସମୟର ଚତୁର୍ଥ ମିନିଟ୍‌ରେ ସ୍ପେନ୍‌କୁ ମିଳିଥିବା ପେନାଲ୍‌ଟି କର୍ଣ୍ଣରକୁ ପାଉ କୁନିଲ ଗୋଲ୍‌ରେ ପରିଣତ କରି ଦଳକୁ ଆଗୁଆ କରିଥିଲେ। ଏହାପରେ ମିଳିଥିବା ପେନାଲ୍‌ଟି ସୁଟ୍‌କୁ କୁନିଲ ପୁଣି ଗୋଲ୍‌ ଦେଇ ଦଳକୁ ପ୍ରଥମାର୍ଦ୍ଧରେ ୨-୦ରେ ଆଗୁଆ ରଖିଥିଲେ। ତେବେ ‌ଦ୍ବିତୀୟାର୍ଦ୍ଧରେ ବେଲ୍‌ଜିୟମ ଦୁଇଟି ଯାକ ଗୋଲ୍‌ ଶୁଝି ସ୍ଥିତି ବରାବର କରିଥିଲା। ବେଲ୍‌ଜିୟମ ପକ୍ଷରୁ ଜେରେମି ୱିଲବର୍ଜ (୩୩) ଓ ଟିବ୍ୟୁ ଷ୍ଟକ୍‌ବ୍ରୋଏକ୍ସ (୫୬ ମିନିଟ୍‌) ଫିଲ୍ଡ ଗୋଲ୍‌ ଦେଇଥିଲେ।

ଭାରତ ମ୍ୟାଚ୍ ପୂର୍ବରୁ ଛାଡ଼ିଲା ବର୍ଷା
ଫ୍ରାନ୍ସ-ଆର୍ଜେଣ୍ଟିନା ମ୍ୟାଚ୍ ବେଳେ ପାଗ ପୂରା ମେଘାଛନ୍ନ ଥିଲା। ପ୍ରଥମେ ଗୁଣ୍ଡି ଝଡ଼ିଥିଲା। ପରେ ବଡ଼ ବଡ଼ ଟୋପା ପଡ଼ିବା ଆରମ୍ଭ ହୋଇଯାଇଥିଲା। ହେଲେ ଆଶ୍ଚର୍ଯ୍ୟଜନକ ଭାବେ ଭାରତ-ଜର୍ମାନି ମ୍ୟାଚ୍ ବେଳକୁ ଆକାଶ ନିର୍ମଳ ହେବା ସହ ବର୍ଷା ପୂରା ଛାଡ଼ି ଯାଇଥିଲା। ଦୁଇ ଦଳର ଖେଳାଳି ମ୍ୟାଚ୍‌ର ୪୫ ମିନିଟ୍ ପୂର୍ବରୁ କଳିଙ୍ଗ ଷ୍ଟାଡିୟମ୍ ନୀଳ ଟର୍ଫରେ ଆରାମରେ ଅଭ୍ୟାସ କରିଥିଲେ। ହକି ମ୍ୟାଚ୍ ଚାଲିଥିଲା ବେଳେ ଭାରତୀୟ ଖେଳାଳି ଫୁଟବଲ୍ ଖେଳି ଅଭ୍ୟାସ କରିଥିଲେ। କ୍ରିକେଟର୍‌ମାନେ ଆଜିକାଲି ଏଭଳି କରୁଥିଲା ବେଳେ ହକି ଖେଳାଳି ଫୁଟ୍‌ବଲ୍‌ରୁ ଅଭ୍ୟାସ ଆରମ୍ଭ କରିବା ଏକ ନିଆରା ପରିବେଶ ସୃଷ୍ଟି କରିଥିଲା।

ଡବଲ୍‌ ହ୍ୟାଟ୍ରିକ୍‌ରେ ହାରିଲା ମାଲେସିଆ
ଶୁକ୍ରବାରର ଦ୍ବିତୀୟ କ୍ଲାସିଫିକେସନ୍‌ ମ୍ୟାଚ୍‌ରେ ଲୁକେ ଡୋମରସୁଜେନ ଓ ମାଇଲ୍ସ ବକେନ୍ସଙ୍କ ହ୍ୟାଟ୍ରିକ ବଳରେ ନେଦରଲାଣ୍ଡ୍ସ ୯-୩ ଗୋଲ୍‌ ବ୍ୟବଧାନରେ ମାଲେସିଆକୁ ମାତ୍‌ ଦେଇଥିଲା। ମ୍ୟାଚ୍‌ର ତୃତୀୟ ମିନିଟ୍‌ରେ ମିଲ୍ସ ବୁକେନ୍ସଙ୍କ ଫିଲ୍ଡ୍‌ ଗୋଲ୍‌‌ ବଳରେ ନେଦରଲାଣ୍ଡ୍ସ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ଏହାର ଗୋଟିଏ ମିନିଟ୍‌ ପରେ ମିଳିଥିବା ପେନାଲ୍‌ଟି କର୍ଣ୍ଣରକୁ ଲୁକେ ଡୋମରସୁଜେନ (୪ ମିନିଟ୍‌) ଗୋଲ୍‌ରେ ପରିଣତ କରିଦେଇଥିଲେ। ୧୪ତମ ମିନିଟ୍‌ରେ ଆଉ ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରି ଡୋମରସୁଜେନ ଯୁଗଳ ସଫଳତା ପାଇବା ସହ ପ୍ରଥମ କ୍ବାର୍ଟରରେ ନେଦରଲାଣ୍ଡ୍ସକୁ ୩-୦ରେ ଆଗୁଆ ରଖିଥିଲେ। ଦ୍ବିତୀୟ କ୍ବାର୍ଟରରେ କଡ଼ା ସଂଘ‌ର୍ଷ ହୋଇଥିଲେ ମଧ୍ୟ କେହି କାହାରିକୁ ଗୋଲ୍‌ ଦେବାକୁ ସକ୍ଷମ ହୋଇନଥିଲେ।

ତୃତୀୟ କ୍ବାର୍ଟର୍‌ର ଆରମ୍ଭରୁ ନେଦରଲାଣ୍ଡ୍ସ ପୁଣି ଏକ ପେନାଲ୍‌ଟି କର୍ଣ୍ଣର ଅର୍ଜନ କରିଥିଲା। ଏହାକୁ ଡୋମରସୁଜେନ ଗୋଲ୍‌ରେ ପରିଣତ କରି ହ୍ୟାଟ୍ରିକ୍‌ ଅର୍ଜନ କରିଥିଲେ। ମ୍ୟାକ୍ସ ଡି’ବି (୩୭ ମିନିଟ୍‌) ଓ ବକେନ୍ସ (୩୮ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇ ୬-୦ରେ ଆଗୁଆ କରିଥିଲେ। ତେବେ ଖଲିଦ ମହମ୍ମଦ (୪୧ ମିନିଟ୍‌) ପେନାଲ୍ଟି କର୍ଣ୍ଣର ଜରିଆରେ ଗୋଟିଏ ଗୋଲ୍‌ ଶୁଝି ଦେଇଥିଲେ। ଫଳରେ ତୃତୀୟ କ୍ବାର୍ଟର ‌ନେଦରଲାଣ୍ଡ୍ସ (୬-୧) ପକ୍ଷ‌ରେ ରହିଥିଲା। ଶେଷ କ୍ବାର୍ଟରରେ ଆଉ ୫ ଗୋଲ୍‌ ଦେଖିବାକୁ ମିଳିଥିଲା। ଏହି କ୍ବାର୍ଟରରେ ନେଦରଲାଣ୍ଡ୍ସର ଡେଭିଡ ହୁସେନ (୫୧, ୫୭ ମିନିଟ୍‌) ଦୁଇଟି ଓ ବୁକେନ୍ସ (୬୦ ମିନିଟ୍‌) ଗୋଟିଏ ଗୋଲ୍‌ ଦେଇଥି‌ଲେ। ମାଲେସିଆର ଅଖିମୁଲ୍ଲା ଅନୁଆର (୫୯ ମନିଟ୍‌) ଓ ଫିରାଡୁସ ରୋସ୍‌ଦି (୬୦ ମିନିଟ୍‌) ଦୁଇଟି ଗୋଲ୍‌ ଶୁଝି ପରାଜୟ ବ୍ୟବଧାନ କମାଇଥିଲେ। ଡୋମରସୁଜେନଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଅଲିମ୍ପିଆନ୍‌ ସୁନିତା ଲାକ୍ରା ପ୍ରଦାନ କରିଥିଲେ। ମ୍ୟାଚ୍‌ ପୂର୍ବରୁ ଅତିଥି ଭାବେ ଆର୍‌ଏମ୍‌ଆର୍‌ସି ନିର୍ଦେଶିକା ସଂଘମିତ୍ରା ପତି ଯୋଗଦେଇ ଖେଳାଳିଙ୍କ ସହ ପରିଚିତ ହୋଇଥିଲେ।

ସମ୍ବନ୍ଧିତ ଖବର