ଭୁବନେଶ୍ବର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ୨୦ ହଜାର ପ୍ରାଥମିକ ଶିକ୍ଷକ ନିଯୁକ୍ତି ବିଜ୍ଞପ୍ତିକୁ ନେଇ ଘନେଇଛି ରାଜ୍ୟ ରାଜନୀତି। ବିରୋଧୀ ବିଜେପି ଓ କଂଗ୍ରେସ ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ବିଜେପି କହିଛି ମୁଖ୍ୟମନ୍ତ୍ରୀ ନିଜ ଜନ୍ମଦିନରେ ଘୋଷଣା କଲେ ଯେ ରାଜ୍ୟରୁ ଚୁକ୍ତି ଭିତ୍ତିକ ପ୍ରଥା ଉଚ୍ଛେଦ ହେବ। ମାତ୍ର ଏବେ ପୁଣି ଏହି ଠିକା ନିଯୁକ୍ତି କାହିଁକି? ତୁରନ୍ତ ଏହାକୁ ପ୍ରତ୍ୟାହାର କରାଯାଉ। ସେପଟେ କଂଗ୍ରେସ କହିଛି ଆଗକୁ ନିର୍ବାଚନ ଥିବାରୁ ଶିକ୍ଷକ ଅସନ୍ତୋଷ ପ୍ରବଳ ମାତ୍ରାରେ ତେଜୁଛି। ଏହାକୁ ପ୍ରଶମିତ କରିବା ଲାଗି ସରକାର ଏଭଳି ନିଯୁକ୍ତି ଭେଳିକି ବିଜ୍ଞାପନ ପ୍ରକାଶ କରି ନିର୍ବାଚନ ବୈତରଣୀ ପାର୍ ହେବାକୁ ଲକ୍ଷ୍ୟ ରଖିଛନ୍ତି।
ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ସଭାପତି ବିଜୟ ମଲ୍ଲ କହିଛନ୍ତି କନିଷ୍ଠ ଶିକ୍ଷକ ଚୁକ୍ତିଭିତ୍ତିକ ନିଯୁକ୍ତି ଅତ୍ୟନ୍ତ ଦୁଃଖଦାୟକ। ରାଜ୍ୟ ସରକାର କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ ଘୋଷଣା କରିବା ସହ ନୂଆ ନିଯୁକ୍ତି ନିୟମିତ ଭାବରେ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ। ବର୍ତ୍ତମାନ ସମୟରେ ବଢ଼ୁଥିବା ବଜାର ଦର ଅନୁଯାୟୀ ନୂତନ ନିଯୁକ୍ତିପ୍ରାପ୍ତ ଶିକ୍ଷକମାନେ ୧୧ ହଜାର ଟଙ୍କାରେ କିଭଳି ଚଳିବେ? ସବୁ ବିଭାଗର ଜୁନିଅର ନିଯୁକ୍ତ ନିୟମିତ ହେଉଥିବା ବେଳେ ଏମାନଙ୍କ ପାଇଁ ଅଲଗା ନିୟମ ଆଦୌ ଗ୍ରହଣୀୟ ନୁହେଁ। ସରକାରୀ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରନ୍ତୁ। ନ ହେଲେ ଆଗାମୀ ଦିନରେ ପୁଣିଥରେ ବ୍ୟାପକ ଆନ୍ଦୋଳନ କରାଯିବ।
ଓଡ଼ିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଛାଟୋଇ କହିଛନ୍ତି ନୂଆ ଶିକ୍ଷକଙ୍କ ପାଇଁ ଏହା କଳା ଦିବସ ହେବ। ରାଜ୍ୟର ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଦୂର ହେବା ନେଇ ଯେଉଁ ଆଶା ଥିଲା ତାହା ପୂରଣ ହୋଇପାରିବ ନାହିଁ। ଏଭଳି ନିଷ୍ପତ୍ତି ଶିକ୍ଷାର ବିନାଶ କରାଇବ। ସରକାରୀ ସ୍କୁଲର ଯେଉଁ ପାଠପଢ଼ା ବିଗିଡ଼ିବ ସେଥିପାଇଁ ରାଜ୍ୟ ସରକାରଙ୍କ ଅହଂକାରୀ ବାବୁ, ଅଦରକାରୀ ମନ୍ତ୍ରୀ ଓ ବିଧାୟକ ଦାୟୀ ରହିବେ। ଏହାକୁ ନେଇ ଆଗାମୀ ଦିନରେ ଆଇନଗତ ଲଢେଇ କରାଯିବ। ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା କମ୍ପ୍ୟୁଟର ବେସଡ୍ ଟେଷ୍ଟ(ସିବିଟି) ମାଧ୍ୟମରେ କରିବାକୁ ନିଷ୍ପତ୍ତି ହୋଇଛି। ଏହାଦ୍ୱାରା ଜିଲ୍ଲାପାଳମାନେ ଗରିବ ମେଧାବୀ ପିଲାଙ୍କୁ ଶୋଷଣ କରିବା ସହ ଦଲାଲ ମାଧ୍ୟମରେ ମୋଟା ଅଙ୍କର ଟଙ୍କା କାରବାର ସମ୍ଭାବନା ରହିଛି। ସମଗ୍ର ଶିକ୍ଷା କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲା ଅନୁସାରେ ଜିଲ୍ଲା ପରିଷଦ ପକ୍ଷରୁ ସମସ୍ତ ପ୍ରାଥମିକ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବାକୁ ହୋଇଥିବା ନିଷ୍ପତ୍ତି ଆଦୌ ସମ୍ଭବ ନୁହେଁ। ନିଯୁକ୍ତି ପ୍ରକ୍ରିୟାକୁ କିଭଳି ଆଗକୁ ନିଆଯିବ ସେନେଇ ଜିଲ୍ଲା ପରିଷଦ ନିକଟରେ ସେପରି କିଛି ବ୍ୟବସ୍ଥା ନାହିଁ। ଜିଲ୍ଲାପାଳମାନେ ଏହାର ସୁଯୋଗ ନେଇ ଜିଲ୍ଲା ପରିଷଦକୁ ନିଜ ଅଧୀନରେ ରଖି ଆଗୁଆ ନିଯୁକ୍ତି ଦେଇ ପରେ ଜିଲ୍ଲା ପରିଷଦରେ ଅନୁମୋଦନ କରିବାର ଆଶଙ୍କା ରହିଛି।