ନାବାଳିକା ଛାତ୍ରୀ ଅପହରଣ ଓ ଦୁଷ୍କର୍ମ ମାମଲା: ରାତି ସାରା ଜେଲ୍ ପ୍ରତୀକ୍ଷା ଗୃହରେ କରୋନା ପଜିଟିଭ୍ ଅଭିଯୁକ୍ତ

ପୁଲିସ-ଜେଲ୍ କର୍ତ୍ତୃପକ୍ଷ ଟଣାଓଟରା

ଭୁବନେଶ୍ବର: ଝାରପଡ଼ା ସ୍ବତନ୍ତ୍ର ଜେଲ୍‌ରେ ଆଜି ରାତିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଛାତ୍ରୀ ଅପହରଣ ଓ ଦୁଷ୍କର୍ମ ମାମଲାରେ କରୋନା ପଜିଟିଭ୍ ଜଣେ ଅଭିଯୁକ୍ତଙ୍କୁ ରାତି ସାରା ଜେଲ୍ ପ୍ରତୀକ୍ଷା ଗୃହରେ କାଟିବାକୁ ପଡ଼ିଛି। କୋର୍ଟରେ ହାଜର କରାଇବା ପରେ ଖୋର୍ଦ୍ଧା ବାଣପୁର ଥାନା ପୁଲିସର ଏସ୍‌କର୍ଟ ଟିମ୍ ଅଭିଯୁକ୍ତକୁ ଜେଲ୍‌ରେ ଛାଡ଼ିବାକୁ ଆସିଥିଲେ। ମାତ୍ର ଅଭିଯୁକ୍ତ କରୋନା ପଜିଟିଭ୍ ଜାଣିବା ପରେ ଜେଲ୍ କର୍ତ୍ତୃପକ୍ଷ ଭିତରକୁ ପ୍ରବେଶ ପାଇଁ ମନା କରି ଦେଇଥିଲେ। ଏଣେ ପୁଲିସ ଜିଦ୍‌ରେ ଅଟଳ ରହି ଅଭିଯୁକ୍ତକୁ ଧରି ରାତିତମାମ୍ ଜେଲ୍ ପ୍ରତୀକ୍ଷା ଗୃହରେ ବସି ରହିଥିଲେ। ଉଭୟ ଉଭୟଙ୍କ ଜିଦ୍‌ରେ ଅଟଳ ରହିଥିବାରୁ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି। ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ଦୁଷ୍କର୍ମ କରିଥିବା ଅଭିଯୋଗ ମାମଲାରେ ବାଣପୁର ଥାନା ପୁଲିସ ଗତକାଲି ଅଭିଯୁକ୍ତ ସନ୍ତୋଷ ବେହେରାକୁ ଗିରଫ କରିଥିଲା। ସନ୍ତୋଷ ବିରୋଧରେ ପୋକ୍‌ସୋ ଆଇନ ଲାଗିଥିଲା।

ଆଜି ଅପରାହ୍‌ଣରେ ଭୁବନେଶ୍ବରସ୍ଥିତ ସ୍ବତନ୍ତ୍ର ପୋକ୍‌ସୋ କୋର୍ଟରେ ତାକୁ ପୁଲିସ ହାଜର କରାଇଥିଲା। ଭିଡିଓ କନଫରେନ୍ସିଂରେ ତାକୁ ହାଜର କରିବା ପରେ ତା’ର ଜାମିନ ନାମଞ୍ଜୁର ହୋଇଥିଲା। କୋର୍ଟ ଚାଲାଣ ପୂର୍ବରୁ ବାଣପୁରରେ ସନ୍ତୋଷର କୋଭିଡ୍ ପରୀକ୍ଷା କରାଯାଇଥିଲା ଓ ସେ କୋଭିଡ୍ ପଜିଟିଭ୍ ବୋଲି ଜଣାପଡ଼ିଥିଲା। କିନ୍ତୁ ପୁଲିସ ସନ୍ତୋଷକୁ ଧରି ଯେତେବେଳେ ଜେଲ୍‌ରେ ପହଞ୍ଚିଥିଲା, ତା’ର କୋଭିଡ୍ ରିପୋର୍ଟ ପଜିଟିଭ୍ ଦେଖି ତାକୁ ଜେଲ୍‌ରେ ପ୍ରବେଶ ପାଇଁ କର୍ତ୍ତୃପକ୍ଷ ମନା କରିଦେଇଥିଲେ। ସେତେବେଳକୁ ସନ୍ଧ୍ୟା ପ୍ରାୟ ୬ଟା ବାଜିଥିଲା।

ଜେଲ୍ ଅଧୀକ୍ଷକ ଡିଏନ୍‌ ବାରିକ କହିଛନ୍ତି ଯେ ଏସ୍‌ଓପି ଅନୁସାରେ ଅଭିଯୁକ୍ତ କୋଭିଡ୍ ପଜିଟିଭ୍ ଥିଲେ, ପୁଲିସ ତାକୁ କ୍ବାରାଣ୍ଟିନ୍‌ କେନ୍ଦ୍ରରେ ଭର୍ତ୍ତି କରିବାର ନିୟମ ରହିଛି। ସେହି ଅଭିଯୁକ୍ତକୁ ଜେଲ୍‌କୁ ଅଣାଯାଇ ପାରିବ ନାହିଁ କିମ୍ବା ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ। ଅନ୍ୟପକ୍ଷରେ ବାଣପୁର ପୁଲିସ କହିବା କଥା, ଜେଲ୍‌ରେ କ୍ବାରାଣ୍ଟିନ୍‌ ବ୍ୟବସ୍ଥା ଥିବା ଆମେ ଜାଣିଥିଲୁ। ସେଥିପାଇଁ ଅଭିଯୁକ୍ତକୁ ଏଠାକୁ ଆଣିଥିଲୁ। ଏବେ ପ୍ରଶ୍ନ ଉଠୁଛି ଅଭିଯୁକ୍ତ ଏବେ ଯିବ କୁଆଡ଼େ? ଯଦି ଜେଲ୍ କର୍ତ୍ତୃପକ୍ଷ ଏସ୍‌ଓପି ପାଳନ କରୁଛନ୍ତି, ତାହାଲେ ପୁଲିସ କାହିଁକି କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରୁନାହିଁ? ଏଭଳି ପ୍ରଶ୍ନ ଏବେ ସାଧାରଣରେ ଛିଡ଼ା ହୋଇଛି।

ସମ୍ବନ୍ଧିତ ଖବର