ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ, ଯୁବକ ଗିରଫ

ଚନ୍ଦ୍ରଶେଖରପୁର: ବିବାହର ପ୍ରଲୋଭନ ଦେଖାଇ ଜଣେ ନାବାଳିକାକୁ ଅପହରଣ କରି ନେବା ଓ ଦୁଇ ମାସ କାଳ ଗୃହବନ୍ଦୀ ଅବସ୍ଥା‌ରେ ରଖି ବାରମ୍ବାର ଦୁଷ୍କର୍ମ କରିବା ଅଭିଯୋଗରେ ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ହେଲା ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳର ଏକ ବସ୍ତିରେ ରହୁଥିବା ରେହମଦ୍ ଖାଁ। ଜାମିନ୍‌ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଗତକାଲି ବ୍ରହ୍ମପୁରରେ ଚଢ଼ଉ କରି ପୁଲିସ ରେହମଦ୍‌କୁ ଗିରଫ କରିବା ସହ ନାବାଳିକାକୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ସୂଚନାନୁସାରେ ଦୁଇ ମାସ ପୂର୍ବେ ରେହମଦ୍‌ ତା’ ପଡ଼ୋଶୀ ଘରର ନାବାଳିକାକୁ ପ୍ରେମ ଜାଲରେ ଫସାଇଥିଲା। ବିବାହ କରିବାର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲା। ପରେ ନାବାଳିକାକୁ ନେଇ ବ୍ରହ୍ମପୁରରେ ରଖିଥିଲା ଓ ମିଛ କହିକହି ବିବାହ ଦିନ ଗଡ଼ାଇ ଚାଲିଥିଲା। ଏଣେ ନାବାଳିକା ନିଖୋଜ ହେବା ପରଠାରୁ ପରିବାର ଲୋକଙ୍କ ଅପହରଣ ଅଭିଯୋଗ ପାଇ ଚନ୍ଦ୍ରଶେଖରପୁର ଥାନା ପୁଲିସ ରେହମଦ୍‌ ମୋବାଇଲ୍‌ ନମ୍ବର ଟ୍ରାକିଂ କରି ତା’ ପିଛା କରୁଥିଲା। ଗତକାଲି ତାକୁ ଠାବ କରାଯାଇଥିଲା।

ସମ୍ବନ୍ଧିତ ଖବର