ମା’ର ମାଡ଼, ଗାଳି ସହି ନ ପାରି ନାବାଳକର ଆତ୍ମହତ୍ୟା

‘ହାତ ଯୋଡ଼ୁଛି, ମୋ ପୁଅକୁ ବଞ୍ଚାଇ ଦିଅ’

ଭୁବନେଶ୍ବର: ‘ହାତ ଯୋଡ଼ି ନେହୁରା ହେଉଛି। ମୋ ପୁଅକୁ ଟିକେ ବଞ୍ଚାଇ ଦିଅ। ଏତେ ଲୋକ ଛିଡ଼ା ହୋଇ ଦେଖୁଛ, କିଏ ଟିକେ ମେଡିକାଲ ନେଇ ଯାଅ। କାଳେ ପୁଅ ବଞ୍ଚିଯିବ।’ ପୁଅର ଝୁଲନ୍ତା ମୃତଦେହ ନିକଟରେ ଏମିତି କାନ୍ଦି କାନ୍ଦି ଲୋଟି ପଡ଼ୁଥିବା ଜଣେ ମହିଳା ସମସ୍ତଙ୍କୁ ହାତ ଯୋଡ଼ି ନେହୁରା ହେଉଥିଲେ। କିନ୍ତୁ କେହି ନ ଆସିବାରୁ ଶେଷରେ ନିଜେ ମୃତଦେହରେ ଲାଗିଥିବା ଓଢ଼ଣିକୁ କାଟିଥିଲେ। ଏମିତି ଏକ ହୃତୟବିଦାରକ ଘଟଣା ଘଟିଛି ଲକ୍ଷ୍ମୀସାଗର ହଳଦୀପଡ଼ିଆ ଅଞ୍ଚଳରେ। ମୃତ ନାବାଳକ ହେଲା ଅନିଲ ମଣ୍ଡଳ ଓ ଶୁଭସ୍ମିତା ମଣ୍ଡଳଙ୍କ ପୁଅ ଦୀପୁ ମଣ୍ଡଳ(୧୩)।

ପୁଲିସ ସୂଚନା ଅନୁସାରେ, ଅନିଲ ବାହାରେ ରହି କାମ କରନ୍ତି। ହଳଦୀପଡ଼ିଆରେ ତାଙ୍କ ପତ୍ନୀ ଶୁଭସ୍ମିତା ପୁଅ ଦୀପୁ ଓ ୪ ବର୍ଷର ଝିଅ ସହ ରହନ୍ତି। ଶୁଭସ୍ମିତା ଲୋକଙ୍କ ଘରେ କାମ କରନ୍ତି। ତାଙ୍କର ପୁଅ ପ୍ରବଳ ଦୁଷ୍ଟ। ମା କଥା ଜମା ଶୁଣେନି, ଦିନରାତି ବାହାରେ ବୁଲୁଥାଏ। କେହି ବାରଣ କଲେ ପାଟିତୁଣ୍ଡ କରେ। ସ୍ଥାନୀୟ ଅଞ୍ଚଳରେ ଅନ୍ୟ ପିଲା ଓ ଲୋକଙ୍କ ସହ ମଧ୍ୟ ଝଗଡ଼ା କରେ। ପୁଅର ଏଭଳି ଦୁଷ୍ଟାମି ଯୋଗୁଁ ଗତକାଲି ସନ୍ଧ୍ୟାରେ ଶୁଭସ୍ମିତା ପୁଅକୁ ପାଟି କରିବା ସହ ମାଡ଼ ମାରିଥିଲେ। ସବୁ ଦିନ ଭଳି ଆଜି ସକାଳେ ଶୁଭସ୍ମିତା କାମକୁ ଚାଲି ଯାଇଥିଲେ। ଘର ବାହାର ପଟୁ ତାଲା ପକାଇ ଦେଇଥିଲେ। ପୂର୍ବାହ୍ନ ପ୍ରାୟ ୧୦ଟାରେ ସେ ଘରକୁ ଫେରି ତାଲା ଖୋଲିବା ବେଳକୁ ପୁଅର ଝୁଲନ୍ତା ମୃତଦେହକୁ ଦେଖି ଅବାକ୍ ହୋଇ ଯାଇଥିଲେ। ଲକ୍ଷ୍ମୀସାଗର ଥାନ ପୁଲିସ ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର