ନାବାଳିକା ଗଣଦୁଷ୍କର୍ମ ମାମଲା: ହାଇକୋର୍ଟରେ ତଦନ୍ତର ଷ୍ଟାଟସ୍ ରିପୋର୍ଟ ଦାଖଲ

କଟକ: ଭୁବନେଶ୍ବର ଇନଫୋସିସ୍ ଥାନା ଅଞ୍ଚଳରେ ଗତବର୍ଷ ଏପ୍ରିଲରେ ଘଟିଥିବା ନାବାଳିକା ଗଣଦୁଷ୍କର୍ମ ଘଟଣାର ତଦନ୍ତର ଅଗ୍ରଗତି ନେଇ ଆଜି ହାଇକୋର୍ଟରେ କ୍ରାଇମବ୍ରାଞ୍ଚ ତରଫରୁ ଷ୍ଟାଟସ୍ ରିପୋର୍ଟ ଦାଖଲ କରାଯାଇଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ‌୍.ମୁରଲୀଧର ଓ ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ଏହି ଘଟଣାରେ ଅନ୍ୟ ଅଭିଯୁକ୍ତଙ୍କୁ ଏ ପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ। ପୂର୍ବରୁ ଏହି ମାମଲାରେ ଗିରଫ ଅଭିଯୁକ୍ତଙ୍କ ସହିତ ଅନ୍ୟ କେତେକ ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ ଅଭିଯୋଗ ରହିଥିଲାବେଳେ ସେମାନଙ୍କୁ ଗିରଫ କରାଯାଉନାହିଁ ବୋଲି ଆବେଦନକାରୀ ଦର୍ଶାଇଥିଲେ। ଅନ୍ୟପକ୍ଷରେ ଘଟଣାର ତଦନ୍ତ ଚାଲିଛି ବୋଲି ସରକାରଙ୍କ ତରଫରୁ ଦର୍ଶାଯାଇଥିଲା। ଜୁନ୍ ୨୨କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।

ଏ ନେଇ ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଗୋପାଳ ପ୍ରସାଦ ଜେନା ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ୨୦୨୦, ନଭେମ୍ବର ୯ରେ ହାଇକୋର୍ଟ ଏ ସଂପର୍କିତ ମାମଲାର ଶୁଣାଣି କରି ନଭେମ୍ବର ୧୮ରେ ପୁଲିସ ଡିଜିଙ୍କୁ ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ବ୍ୟକ୍ତିଗତ ଭାବେ ହାଜର ହୋଇ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ନଭେମ୍ବର ୧୮ରେ ପୁଲିସ ଡିଜି ବ୍ୟକ୍ତିଗତ ଭାବେ ହାଜର ହୋଇ ତଦନ୍ତର ଅଗ୍ରଗତି ସଂପର୍କରେ ସତ୍ୟପାଠ ଦାଖଲ କରିଥିଲେ। ତଦନ୍ତକାରୀ ଅଧିକାରୀ ଦାଖଲ କରିଥିବା ତଦନ୍ତ ସଂପର୍କିତ ସବିଶେଷ ତଥ୍ୟକୁ ବନ୍ଦ ଲଫାପାରେ ହାଇକୋର୍ଟରେ ଦାଖଲ କରାଯାଇଥିଲା। ଏହି ମାମଲାରେ ଚାରି ଜଣ ଅଭିଯୁକ୍ତଙ୍କୁ ଗତ ଡିସେମ୍ବର ୧୪ରେ ଗିରଫ କରାଯାଇଛି ଓ ତଦନ୍ତ ଚାଲିଛି ବୋଲି ସରକାରଙ୍କ ପକ୍ଷରୁ ଡିସେମ୍ବର ୧୬ରେ ଦର୍ଶାଯାଇଥିଲା। ଜାନୁଆରି ୨୨ରେ ହାଇକୋର୍ଟ ମାମଲାର ଶୁଣାଣି କରି ତଦନ୍ତର ସାନି ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଏହି ପ୍ରସଂଗ ନେଇ ହାଇକୋର୍ଟରେ ଆଇନଜୀବୀ ଗୌତମ ସିଦ୍ଦିକି ଓ ଭାରତୀୟ ବିକାଶ ପରିଷଦ ତରଫରୁ ପୃଥକ ଜନସ୍ବାର୍ଥ ମାମଲା ଦାୟର କରାଯାଇଥିଲା।

ସମ୍ବନ୍ଧିତ ଖବର