ଲକ୍‌ଡାଉନରେ ନାବାଳିକା ଗଣଦୁଷ୍କର୍ମ ମାମଲା: ଓଟିଭି ସହକାରୀ ଏଚଆର ମ୍ୟାନେଜରଙ୍କୁ ଜେରା

ଭୁବନେଶ୍ବର: ଲକ୍‌ଡାଉନରେ ରାଜଧାନୀରେ ଗଣଦୁଷ୍କର୍ମ ମାମଲାରେ ଓଟିଭିର ସହକାରୀ ଏଚଆର ମ୍ୟାନେଜରଙ୍କୁ ଜେରା କରିଛି ମହିଳା ଥାନା ପୁଲିସ। ଆଜି ଅପରାହ୍ନରେ ଦୀର୍ଘ ସାଢ଼େ ୩ ଘଣ୍ଟା ଧରି ତାଙ୍କୁ ଜେରା କରାଯାଇଛି। ଏ ନେଇ ପୁଲିସ ମୁହଁ ଖୋଲୁ ନ ଥିବା ବେଳେ ପୀଡ଼ିତାଙ୍କ ମା’ଙ୍କ ନିଯୁକ୍ତି, ଚାକିରି ଅବଧି, ଅଭିଯୋଗ ଆଦି ବିଷୟରେ ଜେରା କରା ଯାଇଥିବା ଜଣାପଡ଼ିଛି। ତଦନ୍ତକାରୀ ଟିମ ତାଙ୍କୁ ଏକାଧିକ ପ୍ରଶ୍ନ ପଚାରିଥିଲେ। ଏହା ପୂର୍ବରୁ ଓଟିଭିର ଇନପୁଟ୍ ଏବଂ ଆଉଟପୁଟ୍ ମୁଖ୍ୟଙ୍କୁ ମହିଳା ଥାନା ପୁଲିସ ଜେରା କରିଛି। ପୀଡ଼ିତାଙ୍କ ମା’ ଏବଂ ଓଟିଭି ଅଧିକାରୀଙ୍କ ସହ ବାର୍ତାଳାପର ଅଡିଓ ଟେପ୍ ଟିଭିରେ ପ୍ରସାରଣ ନେଇ ଜେରା କରା ଯାଇଥିଲା।

ମାମଲାକୁ ୧୯ ଦିନ ବିତି ଯାଇଥିଲେ ମଧ୍ୟ ଏଯାଏଁ ପୁଲିସ କୌଣସି ନିଷ୍କର୍ସରେ ପହଞ୍ଚି ପାରିନାହିଁ। ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ମଧ୍ୟ ଚିହ୍ନଟ କରିପାରି ନାହିଁ। ଏହାକୁ ନେଇ କମିସନରେଟ ପୁଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠିଛି। ସୂଚନାଯୋଗ୍ୟ, ଲକ୍‌ଡାଉନ ସମୟରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ନେଇ ଗତ ୩୦ ତାରିଖରେ ମହିଳା ଥାନାରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ଓଟିଭିର ଦୁଇ ଅଧିକାରୀ, ଦୁଇ ସୁରକ୍ଷାକର୍ମୀ ଓ ୩ ଜଣ ପୁଲିସ କର୍ମଚାରୀଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର