ନାବାଳିକାଙ୍କୁ ସ୍କୁଲ ଶୌଚାଳୟରେ ଦୁଷ୍କର୍ମ ଉଦ୍ୟମ ମାମଲା: ୫ ବର୍ଷ ସଶ୍ରମ କାରାଦଣ୍ଡ

ଭୁବନେଶ୍ବର: ଖୋର୍ଦ୍ଧା ତରତୁଆ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ମାମଲାର ବିଚାର କରି ସ୍ବତନ୍ତ୍ର ପକ୍‌ସୋ କୋର୍ଟ ରାୟ ଶୁଣାଇଛନ୍ତି। ଅଭିଯୁକ୍ତ ହେମନ୍ତ କୁମାର ନାୟକ ଓରଫ୍ ହେମକୁ ୫ ବର୍ଷ ସଶ୍ରମ କାରାଦଣ୍ଡ ଓ ୫ ଶହ ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ଅନାଦାୟ ଅଧିକ ୨ ମାସ ଜେଲଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ୨୦୧୮ ମେ ୧୬ ତାରିଖରେ ୧୨ ବର୍ଷୀୟ ନାବାଳିକା ଏକୁଟିଆ ଘରେ ଥିଲେ। ତାଙ୍କ ବାପା ଓ ମା’ ଶ୍ରମିକ ଶ୍ରେଣୀର ହୋଇଥିବାରୁ ସେମାନେ କାମ କରିବାକୁ ଯାଇଥିଲେ। ସେହି ଅଞ୍ଚଳର ଅଭିଯୁକ୍ତ ହେମନ୍ତ ତାଙ୍କ ଘରକୁ ଆସିଥିଲା। ନାବାଳିକାଙ୍କୁ ଚାଉଳ ଆଣିବାକୁ ଅଙ୍ଗନବାଡ଼ି କେନ୍ଦ୍ରକୁ ନେବା ପାଇଁ ତାଙ୍କ ବାପା କହି ଯାଇଥିବା ହେମନ୍ତ କହିଥିଲା। ଏହି ଆଳରେ ନାବାଳିକାଙ୍କୁ ନେଇ ନିକଟସ୍ଥ ଏକ ସ୍କୁଲର ଶୌଚାଳୟକୁ ଯାଇଥିଲା। ସେଠାରେ ଦୁଷ୍କର୍ମ ଉଦ୍ୟମ କରିବା ସମୟରେ ନାବାଳିକା ଚିତ୍କାର କରିଥିଲା। ଏହା ଶୁଣି ସେହି ବାଟ ଦେଇ ଯାଉଥିବା ଲୋକ ଘଟଣାସ୍ଥଳରେ ପହଞ୍ଚି ନାବାଳିକାକୁ ଉଦ୍ଧାର କରିଥିଲେ। ହେମନ୍ତ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା। ନାବାଳିକାଙ୍କ ବାପା କାମରୁ ଫେରିବା ପରେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ। ଏ ନେଇ ସେ ଖୋର୍ଦ୍ଧା ମଡେଲ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ କେସ୍ ନଂ-୧୯୦/୨୦୧୮ ଏବଂ ଆଇପିସି ଧାରା-୩୬୩,୩୭୬,୫୧୧ ଏବଂ ପକସୋ ଆଇନର ଧାରା-୮ ଅନୁସାରେ ମାମଲା ରୁଜୁ ସହ ଅଭିଯୁକ୍ତକୁ ଗିରଫ କରିଥିଲା। ମାମଲାର ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ୭ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ଏହାକୁ ଆଧାର କରି କୋର୍ଟ ଏହି ରାୟ ଶୁଣାଇଛନ୍ତି। ସ୍ବତନ୍ତ୍ର ପିପି ସୁବ୍ରତ ପ୍ରିୟଦର୍ଶୀ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର