ଭୁବନେଶ୍ବର: ରାଜଧାନୀରେ ଲକ୍ଡାଉନରେ ନାବାଳିକା ଗଣଦୁଷ୍କର୍ମ ମାମଲାକୁ ୩ ମାସରୁ ଉର୍ଦ୍ଧ୍ବ ସମୟ ବିତିଲାଣି। ପ୍ରଥମେ କମିସନରେଟ ପୁଲିସ ଓ ପରେ କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତଭାର ନେଇଛି। ଏହି ସମ୍ବେଦନଶୀଳ ଘଟଣାକୁ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିବା ବେଳେ କ୍ରାଇମବ୍ରାଞ୍ଚର ତଦନ୍ତକୁ ନେଇ ବାରମ୍ବାର ଅସନ୍ତୋଷ ପ୍ରକାଶ କଲେଣି ହାଇକୋର୍ଟ। ଆସନ୍ତା ୧୮ ତାରିଖରେ ପୁଲିସ ଡିଜିଙ୍କୁ ବ୍ୟକ୍ତିଗତ ଭାବେ ହାଜର ହୋଇ ତଦନ୍ତ ସମ୍ପର୍କରେ ସତ୍ୟପାଠ ଦାଖଲ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାକୁ ନେଇ କ୍ରାଇମବ୍ରାଞ୍ଚର ଭୂମିକା ଓ ବିଶ୍ବସନୀୟତା ଉପରେ ପ୍ରଶ୍ନ ଉଠିଲାଣି। ଖାଲି ସେତିକି ନୁହେଁ କ୍ରାଇମବ୍ରାଞ୍ଚର ଅପାରଗତା ପାଇଁ ପୁଲିସ ଡିଜି ଅପଦସ୍ଥ ହେବାକୁ ପଡ଼ିଲା ବୋଲି ଆଲୋଚନା ମଧ୍ୟ ହେଲାଣି।
ମିଳିଥିବା ସୂଚନା ଅନୁସାରେ, ରାଜଧାନୀରେ ଘଟିଥିବା ନାବାଳିକା ଗଣଦୁଷ୍କର୍ମ ମାମଲାରେ ଏକ ଟିଭି ଚ୍ୟାନେଲ କର୍ମଚାରୀ ଓ ପୁଲିସ କର୍ମଚାରୀ ସମ୍ପୃକ୍ତ ଥିବା ନେଇ ଅଭିଯୋଗରେ ଦର୍ଶାଯାଇଛି। ମାମଲାର ଉଚ୍ଚସ୍ତରୀୟ ଓ ନିରପେକ୍ଷ ତଦନ୍ତ ଦାବିରେ ଆଇନଜୀବୀ ଗୌତମ ସିଦ୍ଦିକ୍ ଏବଂ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଦାୟର ଜନସ୍ବାର୍ଥ ମାମଲାର ଗତ ଅକ୍ଟୋବର ୧୪ ତାରିଖରେ ହାଇକୋର୍ଟ ଶୁଣାଣି କରିଥିଲେ। ତଦନ୍ତ ସନ୍ତୋଷଜନକ ନୁହେଁ ବୋଲି ହାଇକୋର୍ଟ ମତ ଦେଇଥିଲେ। ଗତକାଲି ଶୁଣାଣି ସମୟରେ କ୍ରାଇମବ୍ରାଞ୍ଚ ସାନି ତଥ୍ୟ ଉପସ୍ଥାପନ କରିଥିଲା। ସେଥିରେ ମଧ୍ୟ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିବା ସହ ଆସନ୍ତା ୧୮ ତାରିଖରେ ପୁଲିସ ଡିଜିଙ୍କୁ ବ୍ୟକ୍ତିଗତ ଭାବେ ହାଜର ପାଇଁ ନିର୍ଦ୍ଦେଶ ଦେଇଥିଲେ।
ଏଠାରେ ପ୍ରଶ୍ନ ଉଠୁଛି ପ୍ରାୟ ଦେଢ଼ ମାସ ଧରି ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ତଦନ୍ତ କାହିଁକି ଶିଥିଳ ହୋଇପଡ଼ିଛି? ଗୋଟିଏ ପଟେ ସାରୁଅ ଜମି ଦୁର୍ନୀତି ମାମଲାର ତନାଘନା କରି ଜୋରଦାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଥିବା ବେଳେ ନାବାଳିକା ଗଣଦୁଷ୍କର୍ମ ମାମଲାରେ କାହିଁକି ଚୁପ୍ ରହିଛି? କାହିଁକି ଅଭିଯୁକ୍ତ ପୁଲିସ କର୍ମଚାରୀ ଏଯାଏ ଚିହ୍ନଟ ହୋଇପାରିଲେ ନାହିଁ? କେଉଁଠି ରହୁଛି ଅସୁବିଧା? ଏ ସବୁ ଦିଗକୁ ନେଇ କ୍ରାଇମବ୍ରାଞ୍ଚର ଦକ୍ଷତା ଉପରେ ମଧ୍ୟ ସାଧାରଣରେ ପ୍ରଶ୍ନ ଉଠିଲାଣି। ଆଇନଜୀବୀ ଧରଣୀଧର ନାୟକ କହିଛନ୍ତି, ଏହି ମାମଲାରେ ହାଇକୋର୍ଟ ବାରମ୍ବାର ଅସନ୍ତୋଷ ପ୍ରକାଶ କରୁଥିବାରୁ କ୍ରାଇମବ୍ରାଞ୍ଚ ଅପାରଗତା ପଦାରେ ପଡ଼ିଛି। ଫଳରେ ପୁଲିସ ଡିଜିଙ୍କୁ ଅପଦସ୍ଥ ହେବାକୁ ପଡ଼ୁଛି। ଏହି ମାମଲାରେ କ’ଣ ଅଗ୍ରଗତି ଘଟିଛି, କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେ ସମ୍ପର୍କରେ କ୍ରାଇମବ୍ରାଞ୍ଚ ସନ୍ତୋଷଜନକ ଉତ୍ତର ଦେଇ ପାରୁ ନ ଥିବାରୁ ଡିଜିଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯଦି କ୍ରାଇମବ୍ରାଞ୍ଚ ତଦନ୍ତରେ କିଛି ସତ୍ୟାସତ୍ୟ ପାଉ ନାହିଁ ତା’ହେଲେ ସେ ନେଇ ଚୂଡ଼ାନ୍ତ ଚାର୍ଜସିଟ୍ ଦାଖଲ କରିବା କଥା।
ଅନ୍ୟପକ୍ଷରେ ପୂର୍ବତନ ପୁଲିସ ଡିଜି ଗୋପାଳ ନନ୍ଦ କହିଛନ୍ତି, ଏହା ନୂଆ ନୁହେଁ। ପୂର୍ବରୁ ମଧ୍ୟ ଅନେକ ଥର ପୁଲିସ ମୁଖ୍ୟ ହାଜର ହେବାର ନଜିର୍ ରହିଛି। କେତେକ ମାମଲାରେ ତଦନ୍ତ ବିଳମ୍ବ ମଧ୍ୟ ହୋଇଥାଏ। ତେବେ ତଦନ୍ତରେ ଅଗ୍ରଗତି ନେଇ ସତ୍ୟପାଠ ଦାଖଲ କରିବେ। ସୂଚନାଯୋଗ୍ୟ, ଲକଡାଉନ୍ ସମୟରେ ଭୁବନେଶ୍ବର ଇନ୍ଫୋସିଟି ଅଞ୍ଚଳରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ନେଇ ଗତ ଜୁଲାଇ ୩୧ ତାରିଖରେ ମହିଳା ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରିଥିଲା। ପାଖାପାଖି ଦେଢ଼ ମାସ ଧରି କମିସନରେଟ ପୁଲିସ ତଦନ୍ତ କରିବା ପରେ କୌଣସି ନିର୍ଯାସ ବାହାରି ନ ଥିଲା। ପୁଲିସ ଡିଜିଙ୍କ ନିର୍ଦ୍ଦେଶ ପରେ ଅକ୍ଟୋବର ପ୍ରଥମ ସପ୍ତାହରେ କ୍ରାଇମବ୍ରାଞ୍ଚ ତଦନ୍ତଭାର ନେଇଥିଲା।