ସର୍ଟ ଫିଲ୍ମ ସୁଟିଂ ବାହାନାରେ ନାବାଳିକା ଦୁଷ୍କର୍ମ: ଧରାପଡ଼ିଲା ମାଷ୍ଟରମାଇଣ୍ଡ ସରୋଜ

ଭୁବନେଶ୍ବର: ୟୁଟ୍ୟୁବ୍‌ରେ ଖୋଲିଥିଲେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ଚ୍ୟାନେଲ୍। ନାଁ ରଖିଥିଲେ ‘କଳା ଓଡ଼ିଶା’। ଉତ୍କୃଷ୍ଟ କଳାର ରାଜ୍ୟ ଓଡ଼ିଶାକୁ ନେଇ ବଡ଼ ସୁନ୍ଦର ନାଁ ରଖିଥିଲେ ଚ୍ୟାନେଲ୍‌ର। କିନ୍ତୁ ଭିତରେ ଛପି ରହିଥିଲା ଚ୍ୟାନେଲ୍‌ର ଅସଲ କଳା ରୂପ। କ୍ଷୁଦ୍ର ଚଳଚ୍ଚିତ୍ରରେ ଅଭିନୟ କରିବାକୁ ସୁଯୋଗ ଦେଇ ଭବିଷ୍ୟତରେ ନାମୀ ଅଭି‌ନେତ୍ରୀ କରାଇବାର ପ୍ରଲୋଭନ ଦେଖାଇ ଯୁବତୀମାନଙ୍କୁ ଯୌନ ନିର୍ଯାତନା ଦେଉଥିଲେ।

ଅଭିନେତ୍ରୀ ହେବା ଆଶାରେ ବହୁ ଯୁବତୀ ଯୌନ ଶୋଷଣର ଶିକାର ହେବା ପରେ ବି ଅଭିଯୋଗ କରୁନଥିଲେ। ହେଲେ ବେଶି ଦିନ ଛପି ରହିଲାନି ଏହି କଳା କୁକର୍ମ। ଏକ କ୍ଷୁଦ୍ର ଚଳଚ୍ଚିତ୍ରରେ ଅଭିନୟ କରିବାକୁ ଡାକି ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ପରେ କଥା ପଦାକୁ ଆସିଗଲା। ଖଣ୍ଡଗିରି ଭରତପୁର ଅଞ୍ଚଳରେ ଘଟିଥିବା ଏହି ମାମଲାରେ ଫେରାର୍‌ ଥିବା ଅଭିଯୁକ୍ତ ତଥା ମାଷ୍ଟରମାଇଣ୍ଡ୍‌ ସରୋଜ ବିଶ୍ବାଳ(୩୦) ଗିରଫ ହେବା ପରେ ‘କଳା ଓଡ଼ିଶା’ ଚ୍ୟାନେଲ୍‌ର କଳା କାହାଣୀ ପଦାକୁ ଆସିଛି।

ବହୁ ଦିନ ଧରି ପୁଲିସ ସହ ଲୁଚକାଳି ଖେଳିବା ପରେ ସରୋଜ ଶେଷରେ ପୁଲିସ ଜାଲରେ ପଡ଼ିଛି। ଗତରାତିରେ ଭରତପୁର ଥାନା ପୁଲିସ ତାକୁ ଖୋର୍ଦ୍ଧାରୁ କାବୁ କରିଛି। ତା’ଠାରୁ ଏକ କାର୍‌, କ୍ୟାମେରା, ଦୁଇଟି ମୋବାଇଲ୍‌ ଓ କେତେକ ଗୁରୁତ୍ବପୂର୍ଣ୍ଣ ଡକ୍ୟୁମେଣ୍ଟ ଜବତ କରିଛି। ପୂର୍ବରୁ ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ବିଷ୍ଣୁ ବେହେରାକୁ ପୁଲିସ ଗିରଫ କରିଥିଲା। ଏବେ ଦୁଇ ଅଭିଯୁକ୍ତ ଗିରଫ ହେବା ପରେ ପୁଲିସ ସେମାନଙ୍କୁ ରିମାଣ୍ଡରେ ଆଣି ସେମାନଙ୍କ ବାବଦରେ ଅଧିକ ତଥ୍ୟ ହାସଲ କରିବାକୁ ଯୋଜନା କରିଛି। ବିଶେଷକରି କଳା ଓଡ଼ିଶା ଚ୍ୟାନେଲ୍‌ ଦ୍ବାରା ଆଉ କେତେ ଜଣ ଯୁବତୀ ସେମାନଙ୍କ ଶିକାର ହୋଇଛନ୍ତି, ଜାଣିବା ପାଇଁ ପୁଲିସ ଉଦ୍ୟମ ଆରମ୍ଭ କରିଛି। ସେହିଭଳି କେହି ଯୁବତୀ ଅଭିଯୋଗ କରିବାକୁ ଥିଲେ, ସେମାନଙ୍କ ନାମ ଗୋପନ ରଖାଯାଇ ମାମଲା କରାଯିବ ବୋଲି ପୁଲିସ ସୂଚନା ଦେଇଛି।

ସରୋଜକୁ ଗିରଫ କରିବା ପରେ ପୁଲିସ ହାତରେ ବେଶ୍ ସଂଗିନ୍ ତଥ୍ୟ ଲାଗିଛି। ସରୋଜର ଘର ଜଗିତସିଂହପୁର ବାଲିକୁଦା ଅଞ୍ଚଳରେ। ୫ବର୍ଷ ପୂର୍ବେ ସେ ରାଜଧାନୀ ଆସିଥିଲା। ମାଟ୍ରିକ୍‌ ପାସ୍‌ କରିବା ପରେ ସେ କ୍ୟାମେରା ପ୍ରଶିକ୍ଷଣ ନେଇଥିଲା। ତେଣୁ ଭୁବନେଶ୍ବରକୁ ଆସିବା ପରେ ବିଷ୍ଣୁଚରଣ ବେହେରା ସହ ମିଶି ୟୁଟ୍ୟୁବ୍‌ରେ ‘କଳା ଓଡ଼ିଶା’ ଚ୍ୟାନେଲ୍‌ ଖୋଲିଥିଲା। ବିଷ୍ଣୁ ନିର୍ଦେଶନା ଦେଉଥିବା ବେଳେ ସରୋଜ କ୍ୟାମେରାମ୍ୟାନ୍‌ ସାଜୁଥିଲା। ସେମାନେ ଅନେକଗୁଡ଼ିଏ କ୍ଷୁଦ୍ର ଚଳଚ୍ଚିତ୍ର କରି ଚ୍ୟାନେଲ୍‌ରେ ଛାଡ଼ୁଥିଲେ।

ଏହି କାରବାରରୁ ରୋଜଗାର କରିବା ବାଦ୍‌ ସେମାନଙ୍କ ଅସଲ ଉଦ୍ଦେଶ୍ୟ ଥିଲା ଭିନ୍ନ। ନାବାଳିକା ଓ ଯୁବତୀଙ୍କୁ ଟାର୍ଗେଟ୍‌ କରି ଯୌନ ପିପାସା ମେଣ୍ଟାଉଥିଲେ। ବାଲୁଗାଁ ଅଞ୍ଚଳର ନାବାଳିକା ଅଭିନେତ୍ରୀଙ୍କୁ ଏକ କ୍ଷୁଦ୍ର ଚଳଚ୍ଚିତ୍ରରେ ନାୟିକା ଭୂମିକା ଦେବାକୁ କହି ଫସାଇଥିଲେ। ଦିନ ବେଳା ଏକ ମନ୍ଦିରରେ କିଛି ଦୃଶ୍ୟ ସୁଟିଂ କରିଥିଲେ। ପରେ ରାତିରେ ରୁମ୍‌କୁ ନେଇ ସୁଟିଂ ବାହାନାରେ ହାତଗୋଡ଼ ବାନ୍ଧି ପକାଇଥିଲେ ଓ ମଉକାରେ ଦୁଷ୍କର୍ମ କରିଥିଲେ। ସେମାନଙ୍କ ଅସଲ ଉଦ୍ଦେଶ୍ୟ ବୁଝିଲା ବେଳକୁ ନାବାଳିକା ଫସି ସାରିଥିଲେ ଓ ମୁକୁଳିବା ରାସ୍ତା ନଥିଲା। ପରଦିନ ନାବାଳିକା ବାପାଙ୍କ ସହ ଆସି ଭରତପୁର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଅଭିଯୁକ୍ତ ବିଷ୍ଣୁକୁ ଗିରଫ କରିବାରେ ସକ୍ଷମ ହୋଇଥିଲେ ବି ସରୋଜ ଚମ୍ପଟ ମାରିଥିଲା।

ସମ୍ବନ୍ଧିତ ଖବର