କୁକୁର କାମୁଡ଼ାରେ ନାବାଳକ ଗୁରୁତର, ଇନ୍‌ଫୋସିଟି ଥାନାରେ ମାମଲା

ଭୁବନେଶ୍ବର : ଏକ ପୋଷା କୁକୁର କାମୁଡ଼ାରେ ଜଣେ ୮ବର୍ଷର ନାବାଳକ ଗୁରୁତର ହେବା ଓ ଏହାକୁ ନେଇ ଇନ୍‌ଫୋସିଟି ଥାନାରେ ଅଭିଯୋଗ ହେବା ଭଳି ଘଟଣା ସମ୍ପ୍ରତି ପଟିଆ ତପସ୍ବିନୀ କଲୋନିରେ ଚର୍ଚ୍ଚାର ବିଷୟ ହୋଇଛି। ଉକ୍ତ କୁକୁରଟି ଦୁଇ ବର୍ଷ ଭିତରେ ୪ ଜଣଙ୍କୁ କାମୁଡ଼ି ଗୁରୁତର କରିଥିବାରୁ କଲୋନିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଉକ୍ତ କୁକୁରକୁ ମାଲିକ ତୁରନ୍ତ କଲୋନି ବାହାରେ ଅନ୍ୟତ୍ର ରଖିବାକୁ କଲୋନିବାସୀ ଦାବି କରିଛନ୍ତି।

ସୂଚନାନୁସାରେ ଗତ ୬ ତାରିଖ ଦିନ ସୁଚେତା ମହାନ୍ତିଙ୍କ ନାବାଳକ ପୁଅ ଅର୍ଜୁନ ଖଟେଇ ଏହି କଲୋନି ପରିସରରେ ସାଇକେଲ ଚଳାଇ ଖେଳୁଥିବା ବେଳେ ଡ. ଜଗନ୍ନାଥ ପଟ୍ଟନାୟକଙ୍କ ଅକିଟା ପ୍ରଜାତିର ପୋଷା କୁକର ତାକୁ କାମୁଡ଼ି ପକାଇଥିଲା। କୁକୁରକୁ ଯେତେ ଭିଡ଼ାଭିଡ଼ି କଲେ ମଧ୍ୟ ସେ ଛାଡ଼ିନଥିଲା। ଅର୍ଜୁନକୁ ଭୟଙ୍କର ଭାବେ କାମୁଡ଼ି ଧରି ପ୍ରାୟ ୧୦ ମିନିଟ୍‌ କାଳ ଝୁଣି ଚାଲିଥିଲା। ପିଠି, ପେଟକୁ କାମୁଡ଼ି ଗୁରୁତର କରିଥିଲା। ରକ୍ତାକ୍ତ ଅବସ୍ଥାରେ ଅର୍ଜୁନକୁ ଉଦ୍ଧାର କରି ପରିବାର ଲୋକେ ଆ ପୋଲ ହସ୍ପିଟାଲକୁ ନେଇଥିଲେ। ଡାକ୍ତରଙ୍କ କହିବା କଥା ଏହା ହେଉଛି କାଟାଗୋରି ୩ ବାଇଟ୍। ଚର୍ମ ଓ ମାଂସ ସହ ନର୍ଭ ମଧ୍ୟ ପ୍ରଭାବିତ ହୋଇଛି। କ୍ଷତର ଚିକିତ୍ସା(ଅପରେସନ୍) ପାଇଁ ୨୫ ମିନିଟ୍‌ ଲାଗିଥିବା ବେଳେ ୧୨ଟି ଷ୍ଟିଚ୍‌ ପଡ଼ିଛି। ତେଣୁ କ୍ଷତ ଶୁଖିବାକୁ କିଛି ଦିନ ଲାଗିବ। ତେଣୁ ଆପୋଲୋ ହସ୍ପିଟାଲ୍‌ ପକ୍ଷରୁ ମେଡିକୋଲୋଜି ରିପୋର୍ଟ ପାଇଁ ସହିଦନଗର ଥାନାକୁ ଖବର ଦିଆଯାଇଥିଲା। ପରେ ଇନ୍‌ଫୋସିଟି ଥାନାକୁ ଖବର ଦିଆଯାଇଥିଲା। ଶେଷର ଏନେଇ ଇନ୍‌ଫୋସିଟି ଥାନାରେ ମାମଲା ରୁଜୁ ହୋଇଛି।

ଅଜୁର୍ନଙ୍କ ମା’ ସୁଚେତା ମହାନ୍ତି କହିଛନ୍ତି ଯେ ଯଦି କୁକୁର ପୁଅ ପିଠିକୁ ନ କାମୁଡ଼ି ବେକକୁ କାମୁଡ଼ିଥା’ନ୍ତା, ପୁଅର ଅବସ୍ଥା ଆଜି କ’ଣ ହୋଇଥାନ୍ତା, ତାହା କହିହେଉନାହିଁ। ତେଣୁ ଯେଉଁମାନେ ଏଭଳି ହିଂସ୍ର ପ୍ରଜାତିର କୁକୁର ପାଳୁଛନ୍ତି, ସେମାନେ କୁକୁରକୁ ସ୍ବତନ୍ତ୍ର ତାଲିମ୍‌ ଦେବା ଉଚିତ୍। ଗାଜିଆବାଦ ସମେତ ଅନ୍ୟ ମେଟ୍ରୋ ସିଟିରେ ଯେଉଁ ଭଳି ଭାବେ ପିଟ୍‌ବୁଲ୍‌, ରଟ୍‌ୱେଲ୍‌ର ପ୍ରଜାତିର କୁକୁରକୁ ବ୍ୟାନ୍‌ କରାଯାଇଛି, ସେହିଭଳି ଭୁବନେଶ୍ବରରେ ମଧ୍ୟ ଏଭଳି ହିଂସ୍ର କୁକୁର ପାଳିବା ଉପରେ ରୋକ୍‌ ଲଗାଯାଉ ବୋଲି ସେ କହିଛନ୍ତି। ପୋଷା କୁକୁରମାନଙ୍କୁ ଟ୍ରେନିଂ ଦେବା, ଭାକ୍‌ସିନେସନ୍ ଓ ଷ୍ଟର୍‌ଲାଇଜ୍ କରିବା ଉପରେ ମାଲିକମାନେ ଧ୍ୟାନ ଦେବା ଉଚିତ୍। ଏସବୁ ନ କରିବା କାରଣରୁ ପୋଷା କୁକୁର ହିଂସ୍ର ହୋଇଯାଉଛନ୍ତି। ତେଣୁ ସେହି କୁକରଟି ଦୁଇ ବର୍ଷ ଭିତରେ ୪ ଜଣଙ୍କୁ କାମୁଡ଼ି ସାରିଲାଣି ବୋଲି ସେ ଅଭିଯୋଗ କରିଛନ୍ତି।

ଅର୍ଜୁନକୁ ଚିକିତ୍ସା କରୁଥିବା ଡାକ୍ତର ପ୍ରବୀଣ ପ୍ରକାଶ ପହି କହିଛନ୍ତି ଯେ ଏହି କୁକୁର କାମୁଡ଼ା ଅତ୍ୟନ୍ତ ଗଭୀର ଥିଲା। ଡାକ୍ତରୀ ଭାଷାରେ ଏହାକୁ କାଟା‌ଗୋରି-୩ ବାଇଟ୍ କୁହାଯାଇଥାଏ। ଏଥିପାଇଁ ଦୁଇ ଦିନ କାଳ ଆଣ୍ଟିବା‌ୟୋଟିକ୍ ଇଞ୍ଜେକ୍‌ସନ ଦେବାକୁ ପଡ଼ିଥିଲା। କୁକୁର କାମୁଡ଼ା ଇଂଜେକସନ୍ ମଧ୍ୟ ଦେବାକୁ ପଡ଼ିଥିଲା। ଓଡ଼ିଶା କେନେଲ୍ ସଂଘ ସଭାପତି ସୁବ୍ରତ କୁମାର ପୃଷ୍ଟି କହିଛନ୍ତି ଯେ କୁକୁର ହେଉଛି ମଣିଷର ସବୁଠାରୁ ସଚ୍ଚୋଟ ବନ୍ଧୁ। କିନ୍ତୁ କୁକୁରକୁ ପୋଷୁଥିବା ମାଲିକମାନଙ୍କ ଦାୟିତ୍ବହୀନତା କାରଣରୁ ସେମାନେ ହିଂସ୍ର ହୋଇଯାଆନ୍ତି। କୁକୁରଟି ଏଭଳି କାମୁଡ଼ାକାମୁଡ଼ି କରୁଥିବାରୁ ଜଣାପଡ଼ୁଛି ସେ ଭଲ ପରିବେଶରେ ବଡ଼ ହୋଇନାହିଁ। ଏଭଳି କୁକୁରମାନେ ଡଗ୍‌ ସୋ’‌କୁ ଆସିପାରନ୍ତିନାହିଁ। ଯଦି ସେହି କୁକୁରଟି ଲଗାତାର ଭାବେ କାମୁଡ଼ାକାମୁଡ଼ି କରୁଛି, ତାକୁ ସେଲ୍‌ଟର ହାଉସ୍‌ରେ ଛାଡ଼ିଦେବା କଥା। ତେବେ କୁକୁର ପୋଷିବାକୁ କେହି ବିରୋଧ କରିପାରିବେନାହିଁ। ଏସଂକ୍ରାନ୍ତରେ ନ୍ୟାସନାଲ୍‌ ଲ’ ୟୁନିଭର୍ସିଟିର ସହକାରୀ ପ୍ରଫେସର ଡ. ସୋହିନୀ ମହାପାତ୍ର କହିଛନ୍ତି ଯେ ଏଭଳି ମାମଲାରେ କୁକୁର ପୋଷିଥିବା ବା କୁକୁରର ଯତ୍ନ ନେଉଥିବା ବ୍ୟକ୍ତିଙ୍କୁ ଦାୟୀ କରାଯାଇପାରିବ। କୁକୁରକୁ ବାହାରକୁ ବୁଲାଇନେବା ପୂର୍ବରୁ ତା’ର ଆଚରଣ ଯେମିତି ଅନ୍ୟକୁ କ୍ଷତି ନ ପହଞ୍ଚାଏ, ସେଥିପ୍ରତି କୁକୁରର ଯତ୍ନ ନେଉଥିବା ବ୍ୟକ୍ତି ବୁଝିବା ଉଚିତ। ଏ ସମ୍ପର୍କରେ କୁକୁର ପୋଷିଥିବା ମାଲିକାଣୀଙ୍କୁ ‘ସମ୍ବାଦ’ ପକ୍ଷରୁ ଯୋଗାଯୋଗ କରିବାରୁ ସେ ବ୍ୟସ୍ତ ଅଛନ୍ତି କହି କୁକୁର କାମୁଡ଼ା ବାବଦରେ କୌଣସି ଉତ୍ତର ଦେଇନଥିଲେ।

ସମ୍ବନ୍ଧିତ ଖବର