ବସ୍ତିରୁ ନାବାଳିକା ଉଦ୍ଧାର ମାମଲା: ‌ଯୌନ ନିର୍ଯାତନା ଅଭିଯୋଗକୁ ପୁଲିସ ଅଣଦେଖା କଲା କେମିତି?

ପୁଲିସର କାର୍ଯ୍ୟ ଉପରେ ଅଙ୍ଗୁଳି ଉଠାଇଲା ଚାଇଲ୍ଡଲାଇନ୍ଡି, ସିପି ଓ ଶିଶୁ ଅଧିକାର ଆୟୋଗଙ୍କ ନିକଟରେ ପିଟିସନ୍

ଭୁବନେଶ୍ବର: ଭରତପୁର ଥାନା ଅଧୀନସ୍ଥ ଏକ ବସ୍ତିରୁ ଗତ ୧୨ ତାରିଖରେ ଜଣେ ନାବାଳିକା ଉଦ୍ଧାର ଘଟଣାରେ ପୁଲିସର କାର୍ଯ୍ୟାକଳାପକୁ ନେଇ ଭୁବନେଶ୍ବର ଚାଇଲ୍ଡଲାଇନ୍ ଡିସିପି ଓ ଶିଶୁ ଅଧିକାର ଆୟୋଗଙ୍କ ନିକଟରେ ଏକ ପିଟିସନ୍ ଦାଖଲ କରିଛି। ସିଡବ୍ଲୁସି ପାଖରେ ନାବାଳିକାକୁ ହାଜର ନ କରାଇ ତଥା ଚାଇଲ୍ଡଲାଇନକୁ ନ ଜଣାଇ କେମିତି ନାବାଳିକାକୁ ତା’ର ମାଆ ସହିତ ଯିବା ପାଇଁ ଦେଲା ବୋଲି ପ୍ରଶ୍ନ କରିଛି।

ନାବାଳିକା ଜଣକ ତା’ ସାବତ ମା’ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିବା ପରେ କେଉଁ ଆଧାରରେ ପୁଲିସ୍ ପରିବାର ଲୋକଙ୍କୁ ନାବାଳିକାକୁ ହସ୍ତାନ୍ତର କଲା ବୋଲି ପ୍ରଶ୍ନ ଉଠିଛି। ତେବେ ପୋସ୍‌କୋ ଆକ୍ଟ ୧୯ ଅନୁଯାୟୀ, ପୁଲିସ୍‌ ପକ୍ଷରୁ ହୋଇଥିବା କାର୍ଯ୍ୟକଳାପ ସଂପୂର୍ଣ୍ଣ ବେଆଇନ୍। ସମ୍ବଲପୁର ଶିଶୁ କଲ୍ୟାଣ ସମିତି ଓ ଡିସିପିୟୁର ମିଳିତ ସାମାଜିକ ତଦନ୍ତ ପରେ ନାବାଳିକା ଜଣକ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥାନ୍ତା। ମାତ୍ର ପୁଲିସ୍ ପକ୍ଷରୁ ଭୁଲ୍ କାମ କରାଯାଇଥିବାରୁ ଏହା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଚାଇଲ୍ଡଲାଇନ୍ ଅଭିଯୋଗ କରିଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ପିଟିସନ୍‌ରେ ଚାଇଲ୍ଡଲାଇନ୍ ଉଲ୍ଲେଖ କରିଛି ଯେ ନାବାଳିକାକୁ ଯେଉଁଦିନ ସ୍ଥାନୀୟ ଲୋକ ଉଦ୍ଧାର କଲେ, ସେତେବେଳେ ତା’ ଶରୀରର ବିଭିନ୍ନ ଅଙ୍ଗରେ ଆଘାତ ଲାଗିଥିଲା। ଯେଉଁଥିପାଇଁ ଶରୀରରେ ଖୁବ୍ ଯନ୍ତ୍ରଣା ହେଉଥିଲା ବୋଲି କହିଥିଲା। ନାବାଳିକାର ସାବତ ମା’ ତାକୁ ଦେହ ବ୍ୟବସାୟରେ ଲଗାଇଥିଲା ଏବଂ ତାକୁ ଏକାଧିକ ବ୍ୟକ୍ତି ଯୌନ ନିର୍ଯାତନା ଦେଇଥିବା କଥା ମଧ୍ୟ ସ୍ଥାନୀୟ ଲୋକଙ୍କୁ କହିଥିଲା। ପରେ ପୁଲିସ ମାମଲାର କୌଣସି ତଦନ୍ତ କରିବା ପରିବର୍ତ୍ତେ ଚାଇଲ୍ଡଲାଇନ୍‌ର ଉପସ୍ଥିତିରେ ତା’ ମାଆକୁ ହସ୍ତାନ୍ତର କରିଥିବା କହିଥିଲା।

ଏହି ଖବର ଜାଣିବା ପରେ ଚାଇଲ୍ଡଲାଇନ୍ ଏହାକୁ ମିଛ ବୋଲି କହିବା ସହିତ ଯେଉଁଦିନ ନାବାଳିକା ଉଦ୍ଧାର ହୋଇଥିଲା, ସେଦିନ ପୁଲିସ୍ ଚାଇଲ୍ଡଲାଇନ୍‌କୁ ରାତି ୧୧ଟାରେ ଫୋନ୍ କରି ଥାନାକୁ ଜଣେ ମହିଳା କର୍ମଚାରୀଙ୍କୁ ପଠାଇବା ପାଇଁ କହିଥିଲା। ତେବେ ବିଳମ୍ବିତ ରାତି ହୋଇଥିବାରୁ ଚାଇଲ୍ଡଲାଇନ୍ ବିଭାଗ ପୁଲିସ୍‌କୁ ଏକ ଗାଡ଼ି ପଠାଇ ମହିଳା କର୍ମଚାରୀଙ୍କୁ ନେବାକୁ ଅନୁରୋଧ କରିଥିବା ଉଲ୍ଲେଖ କରିଛନ୍ତି। ମାତ୍ର ପୁଲିସ୍ ପକ୍ଷରୁ ଗାଡ଼ି ପଠାଯାଇନଥିଲା କି ସେମାନେ ଆଉ ଥାନାକୁ ଯାଇପାରି ନ ଥିଲେ ବୋଲି ଚାଇଲ୍ଡଲାଇନ୍ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର