ପର୍ଯ୍ୟଟକଙ୍କ ମୋବାଇଲ୍‌ ଲୁଟି ଧରାପଡ଼ିଲା ନାବାଳିକା

ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପର୍ଯ୍ୟଟକଙ୍କଠାରୁ ମୋବାଇଲ ଫୋନ୍ ଲୁଟିଥିବା ଜଣେ ୧୭ ବର୍ଷୀୟା ନାବାଳିକା ଧରାପଡ଼ିଛି। ବାଘ ଏନ୍‌କ୍ଲୋଜର ପାଖରେ ଜଣେ ପର୍ଯ୍ୟଟକ ତାଙ୍କ ପରିବାର ସହିତ ବୁଲୁଥିବା ବେଳେ ନାବାଳିକା ଜଣକ ଏହି ପରିବାରର ଜଣେ ମହିଳାଙ୍କଠାରୁ କୌଶଳକ୍ରମେ ମୋବାଇଲ ଫୋନ ଝାମ୍ପି ନେଇ ପଳାଇଥିଲା। ମହିଳା ଜଣକ ପାଟି କରିବାରୁ ତାଙ୍କ ପରିବାରର ଅନ୍ୟମାନେ ଗୋଡ଼ାଇଥିଲେ। ଏତିକିବେଳେ ନନ୍ଦନକାନନ ଫାଟକ ପାଖରେ ଲାଗିଥିବା ସିସିଟିଭିରେ ନାବାଳିକା ମୋବାଇଲ ଲୁଟିବାର ଦୃଶ୍ୟ ଦେଖି କର୍ମଚାରୀମାନେ ତାକୁ ଦୁଇଜଣ ମହିଳା ପୁଲିସ କର୍ମୀଙ୍କ ସହାୟତାରେ ଧରିଥିଲେ। ଧରାପଡ଼ିବା ପରେ ନାବାଳିକାଜଣକ ମହିଳା ପୁଲିସଙ୍କୁ ଧମକ ଦେଇଥିଲା। କହିଥିଲା ଛାଡ଼ିଦିଅ, ଆମର ପୁଅ ପିଲା ଅଛନ୍ତି, ଆସି ମାଡ଼ ମାରିବେ। ମହିଳା ପୁଲିସ ତାକୁ ନନ୍ଦନକାନନ ଥାନକୁ ନେଇ ଲୁଟ୍‌ ମୋବାଇଲ ଫୋନ୍ ଜବତ କରିଥିଲେ। ନନ୍ଦନକାନନରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ହେଉଥିବାରୁ ଏକ ଲୁଟେରା ଗ୍ୟାଙ୍ଗ ସକ୍ରିୟ ହୋଇ ଉଠିଥିବା ଜଣାପଡ଼ିଛି। ଲୁଟ୍‌ ରୋକିବା ଲାଗି ସିସିଟିଭି ସହିତ ନନ୍ଦନକାନନ କର୍ମଚାରୀ ଓ ପୁଲିସ ତୀକ୍ଷ୍‌ଣ ଦୃଷ୍ଟି ଦେବା ଏଥିଲାଗି ସ୍ବତନ୍ତ୍ର ଯୋଜନା ହୋଇଛି।

ସମ୍ବନ୍ଧିତ ଖବର