ଖଣ୍ଡଗିରି : ମାର୍କେଟ୍‌ କମ୍ପ୍ଲେକ୍ସ ନିର୍ମାଣ କାମ ସରିବାର ୪ ବର୍ଷ ବିତିଲାଣି। ମାତ୍ର ଗୋଟିଏ ବି ଦୋକାନ ଖୋଲି ପାରିଲା ନାହିଁ। ଫଳରେ ଭୂତକୋଠିରେ ପରିଣତ ହୋଇ ପଡ଼ି ରହିଛି କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା କଳିଙ୍ଗନଗର କେ-୬ ମାର୍କେଟ୍‌ କମ୍ପ୍ଲେକ୍ସ। ଅଥଚ ଘର ପାଖ‌ରେ ମାର୍କେଟ୍‌ ସୁବିଧା ପାଇବାକୁ ଚାହିଁ ବସିଥିବା କଳିଙ୍ଗନଗରବାସୀଙ୍କ ଆଶା ସେମିତି ଅଧୁରା‌ ରହିଯାଇଛି। ୩ ହଜାର ବର୍ଗଫୁଟ୍‌ ଅଞ୍ଚଳରେ କେ-୬ ଦୁର୍ଗା ମଣ୍ଡପ ସମ୍ମୁଖରେ ନିର୍ମାଣ ହୋଇଛି ଏହି ମାର୍କେଟ୍‌ କମ୍ପ୍ଲେକ୍ସ। କଳିଙ୍ଗନଗରବସୀଙ୍କୁ ନିକଟରେ ମାର୍କେଟ୍‌ ସୁବିଧା ଯୋଗାଇବା ପାଇଁ ବିଡିଏ ଏହାକୁ ନିର୍ମାଣ କରିଥିଲା। କିନ୍ତୁ ୪ ବର୍ଷ ଭିତରେ ଦୋକାନ ଘର ବଣ୍ଟନ ହୋଇପାରିନଥିବାରୁ ବନ୍ଦ ପଡ଼ିଥିବା ଦୋକାନଗୁଡ଼ିକର ସର୍ଟ କଳଙ୍କି ଧରିଗଲାଣି। ଆଖପାଖରେ ଲଟା ବୁଦା ମାଡ଼ିଗଲାଣି। ଏ ନେଇ ଅଞ୍ଚଳବାସୀ ବିଭିନ୍ନ ସମୟରେ ବିଡିଏକୁ ଅବଗତ କରିଥିଲେ ହେଁ ଏଯାଏଁ କୌଣସି ସନ୍ତୋଷଜନକ ଉତ୍ତର ମିଳିନଥିବା କହିଛନ୍ତି। ତେବେ ବିଡିଏର ଜଣେ ଅଧିକାରୀଙ୍କ ସୂଚନାନୁସାରେ ଖୁବ୍‌ ଶୀଘ୍ର ଲଟେରି କିମ୍ବା ନିଲାମ ମାଧ୍ୟମରେ ଲୋକଙ୍କୁ ଦୋକାନ ଘର ବଣ୍ଟନ କରାଯିବ ଓ ମାର୍କେଟ୍‌ କାର୍ଯ୍ୟକ୍ଷମ ହେବ।