କେ-୭ ମନ୍ଦିର ଉଚ୍ଛେଦ ଘଟଣା: ଗାଡ଼ି ଆଗରେ ଶୋଇଲେ ଗ୍ରାମବାସୀ, ଆଜି ବି ଫେରିଗଲେ ଉଚ୍ଛେଦକାରୀ ଦଳ

ଖଣ୍ଡଗିରି: ୨୦୦ ବର୍ଷର ମନ୍ଦିର ଭାଙ୍ଗିବାକୁ ଆଉ ଆମ ଠାକୁରାଣୀଙ୍କୁ ଆମଠାରୁ ଛଡାଇ ନେବାକୁ ଆମେ ଦେବୁ ନାହିଁ। ବାରମ୍ବାର ଆମ ଠାକୁରାଣୀଙ୍କୁ ଆମଠୁ ଛଡାଇ ନେବା ପାଇଁ ଯେତେ ପୁଲିସ ଆଣିଲେ ମଧ୍ୟ ମରିଯିବୁ ପଛେ ମନ୍ଦିର ଭାଙ୍ଗିବାକୁ ଦେବୁ ନାହିଁ। ଏପରି କହି ଆଜି ମନ୍ଦିର ଭାଙ୍ଗିବାକୁ ଆସିଥିବା ଉଚ୍ଛେଦକାରୀ ଦଳ ଓ ପୁଲିସକୁ ଫେରାଇ ଦେଇଛନ୍ତି କେ-୭ ଓ ଘାଟିକିଆ ଗ୍ରାମର ବାସିନ୍ଦା। ଗତକାଲି ବିଡିଏ ପକ୍ଷରୁ ୫୦୩ ନମ୍ବର ପ୍ଲଟରେ ମା’ ଖଣ୍ଡୁଆଳୀ ପୀଠକୁ ଭାଙ୍ଗିବା ପାଇଁ ସୂଚନା ଦିଆଯାଇଥିଲା। ତେବେ ଆଜି ଯେତେବେଳେ ମନ୍ଦିର ଉଚ୍ଛେଦ କରିବାକୁ ଆସିଥିଲେ ଗ୍ରାମବାସୀ ଗାଡ଼ି ସମ୍ମୁଖରେ ଶୋଇ ଏହାର ତୀବ୍ର ବିରୋଧ କରିଥିଲେ। ପରେ ବାଧ୍ୟ ହୋଇ ଉଚ୍ଛେଦକାରୀ ଦଳକୁ ଫେରିବାକୁ ପଡ଼ିଥିଲା।

ସ୍ଥାନୀୟ ବାସିନ୍ଦା ସତ୍ୟବ୍ରତ ଦାସଙ୍କ କହିବା କଥା ଏହା ୨୦୦ ବର୍ଷର ପୁରୁଣା ମନ୍ଦିର। ବିଡିଏ ପ୍ଲଟ୍ କରିବା ସମୟରେ ମଧ୍ୟ ନିଜ ମ୍ୟାପ୍‌ରେ ଏହାକୁ ୫୦୩ ପ୍ଲଟ୍ ଓ ଏହା ମନ୍ଦିର ବୋଲି ଲେଖିଥିଲା। ହେଲେ ପରବର୍ତ୍ତୀ ସମୟରେ ଗ୍ରାମବାସୀଙ୍କୁ ଠକି ଏହାକୁ ନିଲାମ କରି ବିକି ଦିଆଗଲା। ଗତ ଫେବ୍ରୁଆରି ମାସରେ ମଧ୍ୟ ଏହାକୁ ଭାଙ୍ଗିବାକୁ ଉଚ୍ଛେଦକାରୀ ଦଳ ଆସିଥିଲେ। ପ୍ରତିବାଦ କରିବାରୁ ଏ ନେଇ ବିଚାର ହେବ ବୋଲି କହିଥିଲେ। କିଛି ଦିନ ପରେ ପୁଣି ଭାଙ୍ଗିବାକୁ ଆସିଛନ୍ତି। ଏହି ମନ୍ଦିରକୁ କୌଣସି ପରିସ୍ଥିତିରେ ଭାଙ୍ଗିବାକୁ ଦିଆଯିବ ନାହିଁ ବୋଲି ପୂର୍ବତନ କର୍ପୋରେଟର୍ ଦିଲ୍ଲୀପ ମାଝୀ ମଧ୍ୟ କହିଛନ୍ତି।

ସମ୍ବନ୍ଧିତ ଖବର