‘କବ୍‌ ବୁଲ୍‌ବୁଲ୍‌ ଉତ୍ସବ’ ଆରମ୍ଭ : ଅନ୍ତର୍ନିହିତ ପ୍ରତିଭା ଦେଖାଇଲେ କୁନି ପିଲା

ଭୁବନେଶ୍ୱର: କୁନି ପିଲାଙ୍କ ଅଣ୍ଟାର ଲଚକ୍‌ ଓ କୁନି ପାଦର ତାଳରେ ଆଜି କମ୍ପି ଉଠିଥିଲା ୟୁନିଟ୍‌-୩ସ୍ଥିତ ଭାରତ ସ୍କାଉଟ୍‌ ଓ ଗାଇଡ୍ସ୍‌ ରାଜ୍ୟ କାର୍ଯ୍ୟାଳୟ। ନିଜର ଖଣ୍ଡି ଅବୁଝା କଥା ଓ ପିଲାଳିଆ ଅନ୍ଦାଜ୍‌ରେ ନାଟକ ମାଧ୍ୟମରେ ସେମାନେ ପରିବେଷଣ କରିଥିଲେ ତାରା ଗପ ଓ ଜଙ୍ଗଲ୍‌ ବୁକ୍‌ ଭଳି କାହାଣୀକୁ। ଅବସର ଥିଲା ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍‌ ଓ ଗାଇଡ୍‌ସ୍‌ ସଂଗଠନ ପକ୍ଷରୁ ଆୟୋଜିତ ‘କବ୍‌ ବୁଲ୍‌ବୁଲ୍‌’ ଉଦ୍‌ଘାଟନୀ ଉତ୍ସବର। ଉତ୍ସବରେ ୧୫ଟି ଜିଲ୍ଲାରୁ ୫୮୯ଜଣ କବ୍‌ ବୁଲ୍‌ବୁଲ୍‌ ସେମାନଙ୍କ ଲିଡର୍‌ଙ୍କ ସହ ଯୋଗ ଦେଇଛନ୍ତି। ସେମାନଙ୍କ ରହିବା ପାଇଁ ସ୍ୱତନ୍ତ୍ର ତମ୍ବୁର ବ୍ୟବସ୍ଥା କରାଯାଇଥିବା ବେଳେ ଘରଠାରୁ ଦୂରେ ରହି ବନ୍ଧୁ ଓ ବିଭିନ୍ନ ଲୋକଙ୍କ ଗହଣରେ ସାମାଜିକ ଭାବେ କିଭଳି ରହିବ, ଶିବିରରେ ଏହି ଶିକ୍ଷା ମଧ୍ୟ କବ୍‌ ବୁଲ୍‌ବୁଲ୍‌ମାନଙ୍କୁ ଦିଆଯାଉଛି। ସେମାନଙ୍କ ପ୍ରତିଭା ବିକାଶ ପାଇଁ ପ୍ରତିଦିନ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଆଜି ସକାଳୁ ଉଠି ଯୋଗଠାରୁ ଆରମ୍ଭ କରି କାଦୁୁଅରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ, ବର୍ଜ୍ୟ ବସ୍ତୁରୁ ଘରସଜ୍ଜା ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଆଦି ପ୍ରସ୍ତୁତି ପ୍ରକ୍ରିୟା ସେମାନେ ଶିଖିଥିଲେ। ଏଥିରେ ପ୍ରାଥମିକ ଶିକ୍ଷା ଯୁଗ୍ମ ନିର୍ଦ୍ଦେଶକ କେଦାରନାଥ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍ସବକୁ ଉଦ୍‌ଘାଟନ କରିଥିଲେ। ସ୍କାଉଟ୍‌ ଓ ଗାଇଡ୍ସ୍‌ର ରାଜ୍ୟ ସଭାପତି ବିଷ୍ଣୁ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ସ୍କାଉଟ୍‌ ଓ ଗାଇଡ୍ସ୍‌ର ରାଜ୍ୟ ମୁଖ୍ୟ କମିସନର୍‌ କାଳୀପ୍ରସାଦ ମିଶ୍ର, ଉପସଭାପତି ମନୋରଞ୍ଜନ ମହାନ୍ତି ଓ ରାଜ୍ୟ ସଂପାଦକ ରାମମୂର୍ତ୍ତି ଦୋରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଛାତ୍ରଛାତ୍ରୀମାନେ ନିଜ ଅନ୍ତର୍ନିହିତ ଶକ୍ତିକୁ ଚିହ୍ନିବା ତଥା ନିଜର ଦକ୍ଷତା ବିକାଶ ଦିଗରେ ଏଭଳି ଶିବିରମାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଏହି ଅବସରରେ କବ୍‌ ବୁଲ୍‌ବୁଲ୍‌ ଲୋଗୋ ଉନ୍ମୋଚିତ ହୋଇଛି। ଆସନ୍ତାକାଲି କୁନି କୁନି ପିଲାମାନଙ୍କ ତିଆରି ବିଭିନ୍ନ ସାମଗ୍ରୀକୁ ନେଇ ମୀନାବଜାର ବସିବା ସହ ଦୁଃସାହାସିକ ଖେଳ ଆୟୋଜିତ ହେବ। ଆଜିର କାର୍ଯ୍ୟକ୍ରମରେ ରାଜ୍ୟ ଗାଇଡ୍‌ ସଂଗଠନର ତାଲିମ କମିସନର୍‌ ଅନାମିକା ଦାଶ ସ୍ୱାଗତ ଭାଷଣ ଦେଇଥିଲେ।

ସମ୍ବନ୍ଧିତ ଖବର