ଭୁବନେଶ୍ବର ଷ୍ଟେସନ୍‌ ପାଖରେ କବାଡ଼ିଆଙ୍କ ରାଜ୍‌, ରାସ୍ତା ନା କବାଡ଼ିଖାନା?

ଭୁବନଶ୍ବର: ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ନୀଳାଚଳ ହସ୍ପିଟାଲକୁ ଲମ୍ବିଥିବା ୩୦ ଫୁଟିଆ ରାସ୍ତାକୁ ପୂରା କବ୍‌ଜା କରିନେଇଛନ୍ତି କବାଡ଼ିଆ। ରାସ୍ତା ପାଲଟିଛି କବାଡ଼ିଖାନା। କବାଡ଼ିଆଙ୍କ ରାଜ୍‌ ‌ଯୋଗୁଁ ବିଏମ୍‌ସି ୪୧ନମ୍ବର ୱାର୍ଡ ଅଞ୍ଚଳର ବାସିନ୍ଦାମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏନେଇ ବାରମ୍ବାର ଅଭିଯୋଗ କରାଯିବା ପରେ ବି ବିଏମ୍‌ସି କର୍ତ୍ତୃପକ୍ଷ ଏହି ଜବରଦଖଲ ହଟାଇପାରୁନି। ରାସ୍ତାରେ ଚଳାଚଳ ବନ୍ଦ ହୋଇଯାଇଥିବା ବେଳେ କବାଡ଼ଖାନାରେ ଗାଡ଼ି ଭଙ୍ଗାଭଙ୍ଗି କାମ ରାତିରେ ସେମାନଙ୍କୁ ଶୁଆଇ ଦେଉନି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ଖାରବେଳନଗର ଅଞ୍ଚଳର ଏହି ରାସ୍ତା ମାଷ୍ଟରକ୍ୟାଣ୍ଟିନ ଛକରୁ ଓଡ଼ିଶା ବନ ଉନ୍ନୟନ ନିଗମ କାର୍ଯ୍ୟାଳୟ ଦେଇ ନୀଳାଚଳ ହସ୍ପିଟାଲ୍‌ ପର୍ଯ୍ୟନ୍ତ ଲମ୍ବିଛି। ସେଠାରୁ ଏହି ରାସ୍ତା ମାଳିସାହି ଦେଇ ଖାରବେଳନଗର ଏସ୍‌ବିଆଇ ବ୍ୟାଙ୍କ୍‌ ପର୍ଯ୍ୟନ୍ତ ଯାଇଛି।

ଏଠାରେ ବହୁ ସରକାରୀ କ୍ବାର୍ଟର୍ସ ଥିବା ବେଳେ ଚନ୍ଦ୍ରମା ଆପାର୍ଟମେଣ୍ଟ ଭଳି ବହୁ ଆବାସିକ କଲୋନି ରହିଛି। ସେସବୁ କଲୋନିର ବାସିନ୍ଦାମାନଙ୍କ ଅଭିଯୋଗ ଅନୁସା‌ରେ ଗତ ୩ ବର୍ଷ ହେଲା କବାଡ଼ିଆମାନେ ଏହି ରାସ୍ତାକୁ ମାଡ଼ି ବସିଛନ୍ତି। ପ୍ରଥମେ ସେମାନେ କିଛି ଅଳ୍ପ ଜିନିଷ ରଖିଥିଲେ। କିନ୍ତୁ ଧୀରେଧୀରେ ପୂରା କବ୍‌ଜା କରିନେଲେ। ଫଳରେ ଏହି ରାସ୍ତାରେ ଯାତାୟାତ କରିବା ପୂରା ବନ୍ଦ ହୋଇଗଲା। ବାଇକ୍‌ ଯିବା ଭଳି ରାସ୍ତା ଥିଲେ ବି ସେମାନଙ୍କ ଉତ୍ପାତ ଯୋଗୁଁ ସାଧାରଣ ଲୋକେ ଯିବାଆସିବା କରିବା ସମ୍ଭବ ହେଲା ନାହିଁ। ଏବେ ଅବସ୍ଥା ଏମିତି ହୋଇଛି ଯେ ବିଏମ୍‌ସିର ଅଳିଆ ଗାଡ଼ି ଅଳିଆ ଉଠାଇବାକୁ ଯାଇପାରୁନାହିଁ। ଜରୁରୀ ସମୟରେ ଆମ୍ବୁଲାନ୍ସ ଯାଇପାରୁନାହିଁ।

ତେଣୁ ସରକାରୀ କ୍ବାର୍ଟର୍ସ ଓ ଚନ୍ଦ୍ରମା ଆପାର୍ଟମେଣ୍ଟର ବାସିନ୍ଦାମାନେ ସମସ୍ୟାରେ ପଡ଼ୁଛନ୍ତି। ଅନ୍ୟ ଏକ ମୁଖ୍ୟ ସମସ୍ୟା ହେଉଛି ରାତି ଦିନ ସବୁ ସମୟରେ କବାଡ଼ିଖାନା ଚାଲୁ ରହୁଛି। କବାଡ଼ିଆମାନେ ପୁରୁଣା ଗାଡ଼ି ଭାଙ୍ଗୁଥିବାରୁ କର୍କଶ ଶବ୍ଦରେ ଅଞ୍ଚଳବାସୀ ଶୋଇପାରୁନାହାନ୍ତି। ପିଲାମାନଙ୍କ ପଢ଼ିବାରେ ଅସୁବିଧା ହେଉଛି ଓ ବରିଷ୍ଠ ନାଗରିକମାନେ ଶବ୍ଦ ପ୍ରଦୂଷଣର ଶିକାର ହେଉଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ରାସ୍ତା ବନ୍ଦ ହୋଇଯାଇଥିବାରୁ ପୁଲିସ ପିସିଆର୍‌ ଭ୍ୟାନ୍‌ ପାଟ୍ରୋଲିଂ କରିବାକୁ ଯାଉନାହିଁ। ତେଣୁ ସେଠାରେ ନିଶାଡ଼ିମାନଙ୍କ ଆଡ଼ା‌ ଜମୁଛି। ଏନେଇ ବିଏମ୍‌ସିର ଦକ୍ଷିଣ-ପୂର୍ବ ଜୋନ୍‌ ଡେପୁଟି ଜୋନାଲ୍‌ କମିସନର ପ୍ରିୟବ୍ରତ ପାଢ଼ୀଙ୍କ କହିବା କଥା, ଏବେ ମାର୍କେଟ୍‌, ରାସ୍ତା ଓ ଡ୍ରେନ୍‌ ଉପରେ ଥିବା ଜବରଦଖଲ ଉଚ୍ଛେଦ ପାଇଁ କାର୍ଯ୍ୟକ୍ରମ ଜାରି ରହିଛି। ଜବରଦଖଲ ଉଚ୍ଛେଦ କରିବା ପାଇଁ ଗୋଟିଏ ଏନ୍‌ଫୋର୍ସମେଣ୍ଟ ଟିମ୍‌ ରହିଛି। ତେଣୁ ଏହି ରାସ୍ତା ବାବଦରେ ଅଭିଯୋଗ ଥିଲେ ବି କାର୍ଯ୍ୟାନୁଷ୍ଠାନ ନେବାରେ ବିଳମ୍ବ ହେଉଛି। ତେବେ ଏହି ରାସ୍ତାରୁ ନିଶ୍ଚୟ ଜବରଦଖଲ ହଟାଯିବ ଓ କବାଡ଼ିଆଙ୍କ କବଳରୁ ରାସ୍ତାକୁ ମୁକୁଳାଯିବ ବୋଲି ଶ୍ରୀ ପାଢ଼ୀ କହିଛନ୍ତି।

ସମ୍ବନ୍ଧିତ ଖବର