କବିସନ୍ଧି, କବି କହିଲେ ବିପ୍ଳବର କଥା

ଭୁବନେଶ୍ବର: କବିର କବିତା ଏଥର ଗାଉ ନଥିଲା କେବଳ ପ୍ରେମର ଗୀତ; ସେ କହୁଥିଲା ବିପ୍ଲବର କଥା। ନିନ୍ଦୁଥିଲା ସମାଜର ଅନ୍ୟାୟ ଓ ଅବିଚାରର କାହାଣୀ। ବଖାଣୁଥିଲା ପ୍ରକୃତିର ବ୍ୟଥା। ଏଥରର କବିସନ୍ଧି କେବଳ ଶ୍ରୁତିମଧୁର ନଥିଲା, କବିର ଶାଣିତ ସ୍ବର ଓ କଠୋର ଅଭିବ୍ୟକ୍ତିରେ ଶୋଇଯାଇଥିବା ମଣିଷର ମାନବିକତା, ଚିନ୍ତା ଓ ଚେତନାକୁ ଜାଗ୍ରତ କରିଥିଲା। ଅବସର ଥିଲା କେନ୍ଦ୍ର ସାହିତ୍ୟ ଅକାଦେମି ପକ୍ଷରୁ ସ୍ଥାନୀୟ ରେଡ୍‌କ୍ରସ ଭବନରେ ଆୟୋଜିତ ‘କବିସନ୍ଧି’ କାର୍ଯ୍ୟକ୍ରମ। ବିଶିଷ୍ଟ ଓଡ଼ିଆ କବି ଆଶୁତୋଷ ପରିଡ଼ା ଏହି ଅବସରରେ ଉପସ୍ଥିତ ରହି ନିଜ ଜୀବନରେ କବିତାର ସ୍ଥାନ, କବିତା ପ୍ରତି ତାଙ୍କ ଆ‌ଶକ୍ତି, କବିତା ଲେଖିବା ପାଇଁ ତାଙ୍କୁ ମିଳୁଥିବା ପ୍ରେରଣାର ଉତ୍ସ ଓ କବିତାର ପ୍ରକୃତ ଅର୍ଥ ଖୋଜିବାରେ ବୋହି ଚାଲିଥିବା ତାଙ୍କ ଜୀବନର ‌ସ୍ରୋତ ସମ୍ପର୍କରେ ସେ ସମ୍ୟକ ଆଲୋଚନା କରିଥିଲେ। ସେ କହିଥିଲେ, କବିର ଅଙ୍ଗିକାରବଦ୍ଧତାରୁ କବିତା ଆପେ ଉତୁରି ଆସେ। କବି ଏକ ସାମାଜିକ ପ୍ରାଣୀ। ଏଣୁ କବିର ମଧ୍ୟ ସମାଜ ପ୍ରତି ଦାୟିତ୍ବବୋଧ ରହିଛି। ବିପ୍ଲବୀ କବିତାରେ ମଧ୍ୟ ମାଟି ଓ ମଣିଷ ପ୍ରତି କବିର ପ୍ରେମ ରହିଥାଏ ବୋଲି ବିପ୍ଲବୀ କବି ଶ୍ରୀ ପରିଡ଼ା କହିଛନ୍ତି। ଏହାପରେ ସେ ସ୍ବରଚିତ କିଛି କବିତା ଯଥା ଯକ୍ଷ, ଭାରତମାତା, ବୃକ୍ଷ ସଂହାର ଓ ନିଦ ରାଇଜ ଆଦି ଭିନ୍ନ ଭିନ୍ନ ସ୍ବାଦର କବିତା ଆବୃତ୍ତି କରି ଉପସ୍ଥିତ ଶ୍ରୋତାଙ୍କ ମନୋରଂଜନ କରିଥିଲେ। କାର୍ଯ୍ୟକ୍ରମକୁ ସାହିତ୍ୟ ଅକାଦେମିର ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆ‌ବାହକ ବିଜୟାନନ୍ଦ ସିଂହ ସଭାପତିତ୍ବ କରିଥିଲେ। ଅକାଦେମିର କୋଲ୍‌କାତା ଆଞ୍ଚଳିକ କାର୍ଯ୍ୟାଳୟର ଅଧିକାରୀ ଦେବେନ୍ଦ୍ର କୁମାର ଦେବେଶ ସ୍ବାଗତ ଭା‌ଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ। ଅକାଦେମିର ଉପଦେଷ୍ଟା ପରିଷଦର ସଦସ୍ୟ ପ୍ରଦୀପ୍ତ କୁମାର ପଣ୍ଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ବହୁ ଜଣାଶୁଣା ସାହିତ୍ୟିକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର