ସାହିତ୍ୟ ଘର ଭୁବନେଶ୍ବର ଶାଖାର କବିତା ଆସର : ମେଘକୁ ଝୁରିଲା ‘ମେଘୁଆ ଆସର’

ଭୁବନେଶ୍ବର : ରାଜା କହିଲେଣି ଟୁପୁରୁ ଟାପୁରୁ… ପ୍ରଜା ପାଲଟିଲେ ଗଜା…, କେଉଁ ରାଇଜେ ରହିଲୁ ତୁ ମେଘ… ଶୁଭୁନାଇ ତୋର ବାଜା…। ମେଘ ପାଇଁ ଝୁରି ହେଉଥିବା ଯୁବ କବି ସରୋଜ ବଳଙ୍କ କବି ମନ ଏହି ଭଳି ସ୍ବାଗତ କରିଥିଲା ଆଜି ‘ସାହିତ୍ୟ ଘର’ର ‘ମେଘୁଆ ଆସର’କୁ। ମେଘ କାଇଁ? ମେଘ ନାଇଁ ମନ ମୋ ‘ମେଘୁଆ’, ମେଘକୁ ନେଇ କଥା, କବିତା ଓ ଗଳ୍ପର ଏକ ସୁନ୍ଦର ମାୟାଜାଲ ବୁଣି ହୋଇଯାଇଥିଲା ଶ୍ରୀୟା ଛକସ୍ଥିତ ‘ଆମ ଓଡ଼ିଶା’ ପରିସରରେ। ସାହିତ୍ୟଘରର ରାଜ୍ୟ ସଂଯୋଜିକା ଡ. ଶୁଭଶ୍ରୀ ଲେଙ୍କାଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭ‌ାବେ ବିଶିଷ୍ଟ ସ୍ତମ୍ଭକାର ଅସିତ ମହାନ୍ତି ଓ ଲେଖିକା ହିରଣ୍ମୟୀ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କା‌ର୍ଯ୍ୟକ୍ରମରେ ୧୫ରୁ ଅଧିକ କବି ତଥା ଗାଳ୍ପିକ ଉପସ୍ଥିତ ରହି ବର୍ଷାକୁ ନେଇ ପ୍ରେମ, ପ୍ରଣୟ, ଭାବ ପ୍ରବଣତା ଓ ବିରହର ବହୁ ଭାବ ସଞ୍ଚିତ କବିତା ପାଠ ଓ ଗଳ୍ପ ପରିବେଷଣ କରିଥିଲେ। ଏହି ଅବସରରେ ଶ୍ରୀ ମହାନ୍ତି କହିଲେ, କାଳିଦାସଙ୍କଠାରୁ ଆରମ୍ଭ କରି ଆଜିର ଯୁବ ତରୁଣ କବିଙ୍କ ପର୍ଯ୍ୟନ୍ତ ସମସ୍ତେ ବର୍ଷାକୁ ନେଇ କବିତା ଲେଖନ୍ତି। କିନ୍ତୁ ବର୍ଷା ଯେ ସବୁବେଳେ ସୁଖଦ, ସେ କଥା ନୁହେଁ। ଯେଉଁ ଜିନିଷ ଆବଶ୍ୟକତାଠାରୁ ଅଧିକ ମିଳେ, ତାହା ଆମ ଆଗରେ ମୂଲ୍ୟହୀନ ହୋଇଯାଏ। ପୁଣି ଯାହା ମିଳେ ନାହିଁ, ତାହାକୁ ଆମେ ଅପେକ୍ଷା କରୁ। ଠିକ୍‌ ଯେମିତି ପ୍ରଚଣ୍ଡ ରୌଦ୍ର ତାପ ଆମକୁ ମୌସୁମୀକୁ ଅପେକ୍ଷା କରିବାକୁ ବାଧ୍ୟ କରିଛି। କିନ୍ତୁ ୨/୪ ଦିନ ବର୍ଷା ପରେ ତାହା ବି ଆମକୁ ଭଲ ଲାଗିବନି। ସେ ଯାହା ହେଉ, ବର୍ଷାକୁ ନେଇ ଭିନ୍ନ ଭିନ୍ନ କବି ଭିନ୍ନ ଭିନ୍ନ ଦିଗରେ କବିତା ଲେଖିଥିବା ଶ୍ରୀ ମହାନ୍ତି କହିଥିଲେ। ସମ୍ମାନିତ ଅତିଥି ଶ୍ରୀମତୀ ମିଶ୍ର ନିଜ ‘ମେଘ ପକ୍ଷୀର ଗୀତ’ ଉପନ୍ୟାସର କଳ୍ପନା ଓ ଲେଖିବାର ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ। ଏଥିସହ ଲଣ୍ଡନର ଅନିୟମିତ ବର୍ଷାର ଅନୁଭୂତି ବଖାଣିଥିଲେ। ଏହି ଅବସରରେ ଆୟୋଜିତ କବିତା ପାଠ ଆସରକୁ କବି ଶୁଭଶ୍ରୀ ଶୁଭସ୍ମିତା ମିଶ୍ର ସଂଯୋଜନା କରିଥିଲେ। ଏଥିରେ କେଦାର ମିଶ୍ର, ସୀତେଶ ତ୍ରିପାଠୀ, ରବି ପଣ୍ଡା, ରତ୍ନପ୍ରଭା ବାଇ, ସୁଷମା ଲେଙ୍କା, କମଳିନୀ ଦେବୀ, ରଶ୍ମିରଞ୍ଜନ ସାହୁ, ଶ୍ବେତରୂପା, ଭାସ୍ବତୀ ବସୁ, ଅଶୋକ ସିଂହ, ସନ୍ତୋଷ ତ୍ରିପାଠୀ, ଜୟଶ୍ରୀ ପଟ୍ଟନାୟକ, ବାସୁଦେବ ମହାନ୍ତି, ରଶ୍ମିରେଖା ତ୍ରିପାଠୀ, ରଞ୍ଜୁବାଳା ଜେନା ଓ ପ୍ରମୋଦ ଜେନା ପ୍ରମୁଖ ବର୍ଷା କବିତା ଓ ସଂଗୀତ ପରିବେଷଣ କରିଥିଲେ। ସାହିତ୍ୟ ଘରର ଭୁବନେଶ୍ବର ଶାଖା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାହିତ୍ୟ ଘରର ସଭାପତି ସରୋଜ ବଳ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର