କବିତା କ୍ରିଷ୍ଣମୂର୍ତ୍ତି ପାଇବେ ଦଶମ ପ୍ରଫୁଲ୍ଲ କର ସମ୍ମାନ

ପ୍ରଫୁଲ୍ଲ କରଙ୍କ ୭୯ତମ ଜୟନ୍ତୀ ଉତ୍ସବ ୧୫ରୁ

ଭୁବନେଶ୍ୱର: ପ୍ରଖ୍ୟାତ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ୭୯ତମ ଜୟନ୍ତୀ ଆସନ୍ତା ୧୬ ତାରିଖରେ। ଏହି ଅବସରରେ ୧୫ ଓ ୧୬ ତାରିଖ ସନ୍ଧ୍ୟା ୬ଟା ୧୫ରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ସଙ୍ଗୀତ କାର୍ଯ୍ୟକ୍ରମ ‘କମଳ ଦେଶ ରାଜକୁମାର’ ଅନୁଷ୍ଠିତ ହେବ। ପ୍ରଫୁଲ୍ଲ କର ଫାଉଣ୍ଡେସନ୍‌ ପକ୍ଷରୁ ଆୟୋଜିତ ଏହି ଉତ୍ସବର ପ୍ରଥମ ସନ୍ଧ୍ୟାରେ ‘ଦଶମ ପ୍ରଫୁଲ୍ଲ କର ସମ୍ମାନ’ ପ୍ରସିଦ୍ଧ କଣ୍ଠଶିଳ୍ପୀ କବିତା କ୍ରିଷ୍ଣମୂର୍ତ୍ତିଙ୍କୁ ପ୍ରଦାନ କରାଯିବ। ସମ୍ମାନ ବାବଦକୁ ଏକ ଲକ୍ଷ ଟଙ୍କାର ନଗଦ ଅର୍ଥରାଶି, ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯିବ। ପ୍ରଫୁଲ୍ଲ କରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଶ୍ରୀମତୀ କ୍ରିଷ୍ଣମୂର୍ତ୍ତି ଓଡ଼ିଆ ଗୀତରେ କଣ୍ଠଦାନ କରିବା ସହ ହିନ୍ଦୀ, କନ୍ନଡ଼ ସମେତ ବହୁ ଭାଷାରେ ଅନେକ ଲୋକପ୍ରିୟ ଗୀତ ଗାଇଛନ୍ତି। ସମ୍ମାନ ପ୍ରଦାନ ପରେ କବିତା କ୍ରିଷ୍ଣମୂର୍ତ୍ତିଙ୍କ ସମେତ ମୁମ୍ବାଇର ଜଣାଶୁଣା କଣ୍ଠଶିଳ୍ପୀ ସାରିକା ସିଂ ଓ ମହାପ୍ରସାଦ କରଙ୍କ ଦ୍ୱାରା ସ୍ୱତନ୍ତ୍ର ସଙ୍ଗୀତ ଆସର ଅନୁଷ୍ଠିତ ହେବ। ଦ୍ୱିତୀୟ ସନ୍ଧ୍ୟାରେ ଶ୍ରୀ କରଙ୍କ ଜନ୍ମ ଦିନ ଅବସରରେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠ କଣ୍ଠଶିଳ୍ପୀମାନେ ପ୍ରଫୁଲ୍ଲ ସଙ୍ଗୀତ ପରିବେଷଣ କରିବେ। ଏହି କଣ୍ଠଶିଳ୍ପୀମାନେ ହେଲେ ପ୍ରଣବ କିଶୋର ପଟ୍ଟନାୟକ, ଚିତ୍ତ ଜେନା, ଦୁଃଖୀଶ୍ୟାମ ତ୍ରିପାଠୀ, ବିଭୁକିଶୋର, ନାଜିଆ, ଛନ୍ଦା, ଅଦ୍ୟାଶା, ଅନନ୍ୟା ଓ ମହାପ୍ରସାଦ କର। ଉତ୍ସବରେ ବହୁ ସଂଖ୍ୟାରେ ସଙ୍ଗୀତପ୍ରେମୀ ଯୋଗ ଦେବାକୁ ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ଦାଶ ବେନହୁର ନିବେଦନ କରିଛନ୍ତି। ସୂଚନାଯୋଗ୍ୟ ଯେ ପୂର୍ବରୁ ପ୍ରଫୁଲ୍ଲ କର ସମ୍ମାନ ସ୍ୱର୍ଗତ ଅକ୍ଷୟ ମହାନ୍ତି, ଶାନ୍ତପୁ ମହାପାତ୍ର, ପଣ୍ଡିତ ରଘୁନାଥ ପାଣିଗ୍ରାହୀ, ପ୍ରଣବ ପଟ୍ଟନାୟକ, ଚିତ୍ତ ଜେନା, ବାଣୀ ଜୟରାମ, କୁମ୍‌କୁମ୍‌ ମହାନ୍ତି, ଅନୁପ ଜଲୋଟା ଓ ଅନୁରାଧା ପୌଢ଼ଓ୍ଵାଲଙ୍କୁ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର