ଚନ୍ଦ୍ରଶେଖରପୁର : ସୃଜନଶୀଳତାର ବ୍ୟାପ୍ତି ସର୍ବତ୍ର ରହିଛି। ବର୍ତ୍ତମାନ ସମୟରେ ଶିକ୍ଷାକୁ ସୃଜନଶୀଳତା ସହିତ ଯୋଡ଼ିବା ଏକ ଆହ୍ଵାନ ପାଲଟିଯାଇଛି। ଆଜି କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ୧୫ଶ କାଦମ୍ବିନୀ ସାହିତ୍ୟ ମହୋତ୍ସବରେ ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିମାନେ ଏପରି ମତବ୍ୟକ୍ତ କରିଛନ୍ତି।
ସାହିତ୍ୟିକା ଡ. ମାଳବିକା ରାୟଙ୍କ ସଭାପତିତ୍ୱରେ ଆୟୋଜିତ ଏହି ମହୋତ୍ସବରେ ବିଶିଷ୍ଟି ସାହିତ୍ୟିକା ଓ ସମାଜସେବୀ ପଦ୍ମଶ୍ରୀ ସଇଦା ହମିଦ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଓଡ଼ିଆ ସାହିତ୍ୟ ବିଶ୍ୱର ଅନ୍ୟ ଯେ କୌଣସି ଭାଷାଠାରୁ ଯଥେଷ୍ଟ ଉନ୍ନତ ବୋଲି ସଇଦା ପ୍ରକାଶ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ବିିଶିଷ୍ଟ କବୟତ୍ରୀ ସୁକ୍ରିତା ପଲ୍ କୁମାର, ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ଲକ୍ଷ୍ମୀ ନାରାୟଣ ତ୍ରିପାଠୀ, ପଞ୍ଜାବୀ ସାହିତ୍ୟିକା ଡ. ବନିତା ଓ ବିଶିଷ୍ଟ କଥାକାର ଶାନ୍ତନୁ ଆଚାର୍ଯ୍ୟ ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ। ଏହି ଅବସରରେ କବି ସୌଭାଗ୍ୟ ମିଶ୍ରଙ୍କୁ ସମ୍ମାନଜନକ ‘କାଦମ୍ବିନୀ ସାରସ୍ୱତ ସମ୍ମାନ’ ପ୍ରଦାନ କରାଯାଇଥିଲା। ଏହା ସହିତ ଡ. ଇତି ସାମନ୍ତଙ୍କ ଉପନ୍ୟାସ ‘ଶକୁନ୍ତଳାର ଝିଅ’ ଓ ଫିଚର ସଂକଳନ ‘ପ୍ରସଙ୍ଗ ଗୁଚ୍ଛ’ ପୁସ୍ତକ ଏବଂ ‘କାଦମ୍ବିନୀ’ ନୂଆବର୍ଷ ସ୍ୱତନ୍ତ୍ର ଓ ‘କୁନିକଥା’ ଜାନୁଆରୀ ସଂଖ୍ୟା ଉନ୍ମୋଚିତ ହୋଇଥିଲା। ‘ଶତଭିଷା’ ପତ୍ରିକାର ସମ୍ପାଦିକା ଶକୁନ୍ତଳା ବଳିଆରସିଂହଙ୍କୁ ‘କାଦମ୍ବିନୀ ସମ୍ପାଦକ ସମ୍ମାନ’ ପ୍ରଦାନ କରାଯାଇଥିବା ବେଳେ ସାହିତ୍ୟିକ ସୁରେନ୍ଦ୍ର ମହାରଣା, ଅଳକା ଚାନ୍ଦ, ଅଚ୍ୟୁତାନନ୍ଦ ସାମଲ, ପ୍ରସନ୍ନ ହୋତାଙ୍କୁ ‘କାଦମ୍ବିନୀ ସାରସ୍ୱତ ସମ୍ବର୍ନ୍ଧନା’ ଓ ଦ୍ୱିତୀକୃଷ୍ଣ ଜେନାଙ୍କୁ ‘କାଦମ୍ବିନୀ ଶୁଭେଚ୍ଛୁ’ ସମ୍ମାନ ପ୍ରଦାନ କରାଯାଇଥିଲା। ଏହାଛଡ଼ା ସାହିତ୍ୟିକା ଗାୟତ୍ରୀ ସରାଫ୍ ଓ ସୂର୍ଯ୍ୟମଣି ଖୁଣ୍ଟିଆଙ୍କୁ ସମ୍ବର୍ନ୍ଧନା ଦିଆଯାଇଥିଲା। କାର୍ଯ୍ୟକ୍ରମରେ କାଦମ୍ବିନୀର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ଦେଇଥିବା ବେଳେ ସଂପାଦିକା ଇତି ସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।