ଭୁବନେଶ୍ୱର: ମାସିକ ପତ୍ରିକା ‘କାଦମ୍ବିନୀ’ର ବାର୍ଷିକ ସାହିତ୍ୟ ମହାକୁମ୍ଭ ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’ ଓ ‘କାଦମ୍ବିନୀ ପତ୍ରିକା ହାଟ’ ଆସନ୍ତା ଜାନୁଆରି ୨ରେ କିଟ୍ ବିଶ୍ୱବିଦ୍ୟାଳୟ କନଭେନ୍ସନ୍ ସେଣ୍ଟର୍ରେ ଅନୁଷ୍ଠିତ ହେବ। ଏହି ଅବସରରେ ପ୍ରଦାନ କରାଯିବାକୁ ଥିବା ମର୍ଯ୍ୟାଦାଜନକ ‘ନୀଳିମାରାଣୀ ସାହିତ୍ୟ ସମ୍ମାନ’, ‘କାଦମ୍ବିନୀ ସାହିତ୍ୟ ସମ୍ମାନ’ ସମେତ ଅନ୍ୟାନ୍ୟ ସମ୍ମାନ ଘୋଷଣା କରାଯାଇଛି। କାଦମ୍ବିନୀ ସାହିତ୍ୟ ଏକାଡେମି ତରଫରୁ ବିଶିଷ୍ଟ ଲେଖିକା ତଥା ଜୟପୁର ଲିଟେରାରି ଫେଷ୍ଟିଭାଲର ସହପ୍ରତିଷ୍ଠାତା ଓ ସହନିର୍ଦ୍ଦେଶକ ନମିତା ଗୋଖ୍ଲେଙ୍କୁ ସମ୍ମାନଜନକ ‘ନୀଳିମାରାଣୀ ସାହିତ୍ୟ ସମ୍ମାନ-୨୦୨୩’ ପ୍ରଦାନ କରାଯିବ।
ସେହିଭଳି ବିଶିଷ୍ଟ ଲେଖିକା ସୁସ୍ମିତା ବାଗ୍ଚୀଙ୍କୁ ‘କାଦମ୍ବିନୀ ସାହିତ୍ୟ ସମ୍ମାନ-୨୦୨୩’, ପକ୍ଷୀଘରର ସମ୍ପାଦକ ବନୋଜ ତ୍ରିପାଠୀଙ୍କୁ ‘କାଦମ୍ବିନୀ ସମ୍ପାଦକ ସମ୍ମାନ-୨୦୨୩’ ପ୍ରଦାନ କରାଯିବା ସହ ବରିଷ୍ଠ ସାହିତ୍ୟିକ ଗଣେଶରାମ ନାହାକ ଓ ରବୀନ୍ଦ୍ରନାଥ ମିଶ୍ରଙ୍କୁ ‘କାଦମ୍ବିନୀ ସାହିତ୍ୟ ସମ୍ବର୍ଦ୍ଧନା-୨୦୨୩’ରେ ସମ୍ବର୍ଦ୍ଧିତ କରାଯିବ। ପ୍ରଖ୍ୟାତ କଥାକାର ପ୍ରଫେସର୍ ଶାନ୍ତନୁ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହେବାକୁ ଥିବା ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’ର ଉଦ୍ଘାଟନୀ ଅଧିବେଶନରେ ଉଦ୍ଘାଟକ ଓ ମୁଖ୍ୟ ଅତିଥି ଭାବେ ଯୋଗଦେବେ ବିଶିଷ୍ଟ ସାହିତ୍ୟିକ ତଥା କେନ୍ଦ୍ର ସାହିତ୍ୟ ଅକାଦେମିର ଉପସଭାପତି ମାଧବ କୌଶିକ ଏବଂ ସମ୍ମାନିତ ଅତିଥି ଭାବେ ଯୋଗଦେବେ ବିଶିଷ୍ଟ ଭାରତୀୟ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ସଚିନ୍ ପିଲ୍ଗାଓଁକର, ବିଶିଷ୍ଟ ଭାରତୀୟ ଚଳଚ୍ଚିତ୍ର ଅଭିନେତ୍ରୀ ସୁପ୍ରିୟା ପିଲଗାଓଁକର ଓ ପ୍ରସିଦ୍ଧ ଲେଖିକା ତଥା ସମାଜସେବୀ ଦୀପା ଦେଶମୁଖ। ଏହି ଏକଦିବସୀୟ ସାହିତ୍ୟ ମହାକୁମ୍ଭରେ ଭାଷା, କଳା, ସଂସ୍କୃତି ଓ ସାହିତ୍ୟପ୍ରେମୀ ଜନସାଧାରଣ ଯୋଗଦେବା ପାଇଁ ‘କାଦମ୍ବିନୀ’ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଓ ସମ୍ପାଦିକା ଇତି ସାମନ୍ତ ଅନୁରୋଧ କରିଛନ୍ତି।