ପୁରୀ ଓ ଭୁବନେଶ୍ବରରେ ନିର୍ମାଣ ହେବ ଖଦି ଭବନ, ସରକାରଙ୍କୁ ଦିଆଯିବ ପ୍ରସ୍ତାବ

ପୁରୁଣା ଭୁବନେଶ୍ୱର: ପୁରୀ ଓ ଭୁବନେଶ୍ୱରକୁ ରାଜ୍ୟ ଓ ରାଜ୍ୟ ବାହାର ଲୋକଙ୍କ ଅଧିକ ଆଗମନ ଘଟୁଥିବାରୁ ଏହି ୨ ସହରରେ ଖଦି ସାମଗ୍ରୀର ବିକ୍ରୟ ଓ ପ୍ରଦର୍ଶନ ଉପରେ ଗୁରୁତ୍ବ ଦିଆଯିବ। ଏଥିପାଇଁ ଏହି ୨ ସହରରେ ଖଦି ଭବନ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ। ସରକାର ଏହାକୁ ଗ୍ରହଣ କଲେ, ବୋର୍ଡର ପୁରୀ ଓ ଭୁବନେଶ୍ବରରେ ଥିବା ଜମିରେ ଖଦି ଭବନ ନିର୍ମାଣ କରାଯିବ ବୋଲି ଓଡ଼ିଶା ଖଦି ଓ ଗ୍ରା‌‌ମୋଦ୍ୟୋଗ ବୋର୍ଡର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ କହିଛନ୍ତି। ଏହାଦ୍ବାରା ଖଦି ସାମଗ୍ରୀର ବିକ୍ରିବଟା ବୃଦ୍ଧି ପାଇବା ସହ ଗାଁରେ ଥିବା ବୁଣାକାର ଲାଭ ପାଇପାରିବେ।

‘ଫନି’ ପ୍ରଭାବରେ ଅନେକ ଖଦି କାରିଗରଙ୍କ ଘର ଭାଙ୍ଗି ଯାଇଛି। ଏହାଦ୍ବାରା ଚରଖା, ସୂତା ଓ ତନ୍ତ ସାମଗ୍ରୀ ନଷ୍ଟ ହୋଇଛି। କ୍ଷୟକ୍ଷତି ଆକଳନ କରାଯାଇ ସରକାରଙ୍କୁ ରିପୋର୍ଟ ଦିଆଯାଇଛି। ସହାୟତା ରାଶି ମିଳିବା ପରେ କ୍ଷତିଗ୍ରସ୍ତ ବୁଣାକାରଙ୍କୁ ଆର୍ଥିକ ସହାୟତା ଦିଆଯିବ ବୋଲି ଶ୍ରୀ ପାଇକରାୟ ସୂଚନା ଦେଇଛନ୍ତି। ଏହାବ୍ୟତୀତ ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ପକ୍ଷରୁ ଅକ୍ଟୋବର ୨ତାରିଖରେ ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ମହାସମାରୋହରେ ପାଳନ କରାଯିବ ବୋଲି ଶ୍ରୀ ପାଇକରାୟ କହିଛନ୍ତି। ଏଥିପାଇଁ ବିଭିନ୍ନ ଅନାଥାଶ୍ରମ, ବାଳାଶ୍ରମ ଓ କନ୍ୟାଶ୍ରମର ପିଲାଙ୍କୁ ନେଇ ପ୍ରବନ୍ଧ ପ୍ରତିଯୋଗିତା ଶେଷ ହୋଇଛି। ଭଞ୍ଜକଳା ମଣ୍ଡପଠାରେ ଏହି ଉତ୍ସବ ପାଳନ ଅବସରରେ ସେମାନଙ୍କୁ ସମ୍ବର୍ଧିତ କରାଯିବ। ଏଥି‌ରେ ବହୁ ସ୍ବାଧୀନତା ସଂଗ୍ରାମୀ ଓ ବିଭାଗୀୟ ମନ୍ତ୍ରୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତି ଯୋଗଦେବେ। ଏହି ସୂଚନା ପ୍ରଦାନ ବେ‌ଳେ ବୋର୍ଡର ସଚିବ ସରୋଜ ପଟେଲ, ଉପସଚିବ ତ୍ରିଯୋଗୀ ନାରାୟଣ ଦାଶ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର