ଖଣ୍ଡଗିରି: ବମିଖାଲରେ ଥିବା ଶବରସାହି ପୋଖରି ଘଟଣାରେ ଏନ୍ଜିଟିଙ୍କୁ କଣ ଉତ୍ତର ଦେବେ ସେ ନେଇ ବିଏମ୍ସି, ବିଡିଏ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଚିନ୍ତାରେ ପଡ଼ିଥିବା ବେଳେ ଏଭଳି ଆଉ ଏକ ଘଟଣା ସାମନାକୁ ଆସିଛି। ତମାଣ୍ଡୋ ପଞ୍ଚାୟତର ନାରଗୋଦା ଗ୍ରାମରେ ପଥର କାଟି ନେଇଯିବା ପରେ ସୃଷ୍ଟି ହୋଇଥିବା ଜଳାଶୟ ମଇଳା କୁଣ୍ଡରେ ପରିଣତ ହୋଇଛି। ଚାରିପାଖରେ ଗଢ଼ି ଉଠିଥିବା ବେଆଇନ ଘରର ପାଇଖାନା ବର୍ଜ୍ୟ ସିଧାସଳଖ ଜଳାଶୟକୁ ଛଡ଼ାଯାଇଛି। ଫଳରେ ଏହା କେବଳ ବ୍ୟବହାର ଅନୁପଯୋଗୀ ହୋଇନାହିଁ, ବରଂ ଭୂତଳ ଜଳକୁ ପ୍ରଭାବିତ କଲାଣି।
ରାଜଧାନୀ ଉପକଣ୍ଠ ତମାଣ୍ଡୋ ପଞ୍ଚାୟତର ନାରଗୋଦା ଓ ସିଜିପୁଟ ଗ୍ରାମର ମୁଖ୍ୟ ପ୍ରବେଶପଥରେ ରହିଛି ‘କଇଁଚ ଖୋଳା’ ଖଣି। ୮୦ ଦଶକରେ ଏଠାରୁ ପଥର କଟା ଚାଲିଥିଲା। ପରେ ପଥର ଖନନ ବନ୍ଦ ହୋଇଯାଇଥିଲା। ପଥର ଖୋଳା ଯାଇଥିବା ଖାଲରେ ବର୍ଷାପାଣି ଜମି ଏଠାରେ କୃତ୍ରିମ ଜଳାଶୟ ସୃଷ୍ଟି ହୋଇଥିଲା। ଖରାଦିନେ ମଧ୍ୟ ପାଣି ଶୁଖୁନଥିଲା। ବର୍ଷସାରା ପାଣି ରହୁଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଏହି ପାଣିକୁ ସ୍ନାନ ଓ ଶୌଚ ପାଇଁ ବ୍ୟବହାର କରୁଥିଲେ। କେହି କେହି ଏହି ପାଣି ସିଝାଇ ପିଇବା ପାଇଁ ମଧ୍ୟ ବ୍ୟବହାର କରୁଥିଲେ। ଗତ ୧୦ ବର୍ଷ ହେବ ଏହା ଚାରିପାଖରେ ସରକାରୀ ଜମିରେ ବେଆଇନ ଘର ଗଢ଼ିଉଠିଲା। ଦଲାଲମାନେ ସରକାରୀ ଜମିକୁ ଭାଗ ଭାଗ କରି ବିକିଦେଲେ। ଫଳରେ ଶହଶହ ଲୋକ ଏଠାରେ ରହିବା ଆରମ୍ଭ କଲେ। ନଳା ନଥିବାରୁ ପାଇଖାନା ବର୍ଜ୍ୟ ନିଷ୍କାସନ ପାଇଁ ଏହି ପୋଖରୀ ଭିତରକୁ ସିଧାସଳଖ ନଳା ସଂଯୋଗ କରିଦେଲେ। କ୍ରମେ ଏହି ପୋଖରୀ ପାଇଖାନା ବର୍ଜ୍ୟରେ ଭର୍ତ୍ତି ହୋଇଗଲା। କେବଳ ପାଇଖାନା ବର୍ଜ୍ୟ ନୁହେଁ ବରଂ ଯିଏ ଯାହା ଆବର୍ଜନା ପାରୁଛି ଏହା ଭିତରେ ପକାଇ ଦେଉଥିବାରୁ ଏହାର ପାଣି ବିଷାକ୍ତ ହେବାରେ ଲାଗିଛି।
ଏବେ ଏହି ପୋଖରୀ ଭୂତଳ ଜଳକୁ ପ୍ରଭାବିତ କରିଛି। ପାଖରେ ଥିବା ପୁରୁଣା କୂଅ ଓ ପୋଖରୀ ଜଳ ପ୍ରଦୂଷିତ ହୋଇଯାଇଛି। କୂଅ ଓ ନଳକୂଅର ପାଣି ବ୍ୟବହାର ଉପଯୋଗୀ ହୋଇରହିନାହିଁ। କୃତ୍ରିମ ଖଣିରେ ବର୍ଷ ସାରା ମଇଳା ପାଣି ଜମିରହୁଛି। ବର୍ଷା ସମୟରେ ଖଣି ପୂର୍ଣ୍ଣ ହୋଇ ମଇଳା ପାଣି ଉଛୁଳି ଗାଁ ଦାଣ୍ଡରେ ଭାସୁଛି। ଚାଷ ଜମିରେ ପଶି ଯାଉଥିବାରୁ ଚାଷ ପ୍ରଭାବିତ ହେଲାଣି। ଏତିକିରେ ସରିନି। ଲୋକ ବ୍ୟବହାର କରୁଥିବା ଜୋରରେ ଏହି ପାଣି ମିଶୁଥିବାରୁ ଚର୍ମ ରୋଗରେ ଆକ୍ରାନ୍ତ ହେଉଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଖାଲି ମଣିଷ ନୁହଁନ୍ତି, ବରଂ ଗାଈ, ମଇଁଷି ଭଳି ଅନେକ ଗୃହପାଳିତ ପଶୁ ମଧ୍ୟ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଗୋଟିଏ ପଟେ ସରକାରୀ ଜମିରେ ଘର କରିଥିବା ଲୋକ ନେତାଙ୍କର ଭୋଟ୍ ବ୍ୟାଙ୍କ୍ ହୋଇଥିବାରୁ ସେମାନଙ୍କୁ ଉଚ୍ଛେଦ କରାଯାଉନାହିଁ। ଅନ୍ୟପଟେ ସେମାନେ କିଭଳି ଏହି ସମସ୍ୟାରୁ ମୁକ୍ତହେବେ ସେ ନେଇ ମଧ୍ୟ ବ୍ୟବସ୍ଥା ହେଉନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/02/27/oD89PEMIZqBQ2y9wthUc.jpg)