ବୁଡ଼େଇଦେଲେ ‘କାଜୁ ଆପଲ୍‌ ଜୁସ୍‌’

ସରକାରୀବାବୁଙ୍କ ଦାୟିତ୍ୱହୀନତା ଓ ମାର୍କେଟିଂର ଅଭାବ ହିଁ ମୁଖ୍ୟ ସମସ୍ୟା

ଭୁବନେଶ୍ୱର : ରାଜ୍ୟ କାଜୁ ଉନ୍ନୟନ ନିଗମ ଓ ଓୟୁଏଟି ମିଶି ଦେଶର ପ୍ରଥମ ଲଙ୍କାଆମ୍ବରେ ‘କାଜୁ ଆପଲ ଜୁସ୍‌’ ପ୍ରସ୍ତୁତ କରିଥିଲେ। ବଜାରରେ ମିଳୁଥିବା ଅନ୍ୟ ଜୁସ୍‌ ତୁଳନାରେ କାଜୁ ଜୁସ୍‌ର ସ୍ୱାଦ ଭିନ୍ନ ଥିବାରୁ ଆରମ୍ଭରୁ ଏହାର ଚାହିଦା ଦେଖିବାକୁ ମିଳିଥିଲା। ମାତ୍ର ସରକାରୀବାବୁଙ୍କ ଦାୟିତ୍ୱହୀନତା ଓ ଉପଯୁକ୍ତ ମାର୍କେଟିଂ ଜ୍ଞାନର ଅଭାବ ଯୋଗୁଁ ବଜାରକୁ ଆସିବାର ବର୍ଷେ ପରେ ଏହା ବନ୍ଦ ହୋଇଗଲା। ବଜାରରେ ଅନ୍ୟ ଘରୋଇ କମ୍ପାନିଙ୍କ ଜୁସ୍‌ ଭଲ ବ୍ୟବସାୟ କରୁଥିବା ବେଳେ କାଜୁ ନିଗମ ଏକ ବିରାଟ ସୁଯୋଗ ହାତଛଡ଼ା କରିବା ଅଧିକାରୀଙ୍କ ଅପାରଗତାକୁ ପଦାରେ ପକାଇ ଦେଇଛି।

୨୦୧୩ ମସିହାରେ ରାଜ୍ୟ କାଜୁ ଉନ୍ନୟନ ନିଗମ ପକ୍ଷରୁ ଲଙ୍କାଆମ୍ବରୁ ପ୍ରସ୍ତୁତ ‘କାଜୁ ଆପଲ ଜୁସ୍‌’ର ବଜାର ପ୍ରବେଶ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦ୍‌ଘାଟନ କରିଥିଲେ। ସେତେବେଳେ ଏହି ଜୁସ୍‌ ପ୍ୟାକେଟ୍‌ର ଦାମ ୧୦ଟଙ୍କା ରହିଥିଲା। ବଜାରରେ ଲଙ୍କାଆମ୍ବରୁ ପ୍ରସ୍ତୁତ ଏଭଳି ଜୁସ୍‌ ନ ଥିବାରୁ ହଠାତ୍‌ ଏହାର ଚାହିଦା ବଢ଼ି ଯାଇଥିଲା। ଖୁବ୍‌ ଅଳ୍ପ ଦିନ ମଧ୍ୟରେ ବଜାରରେ ‘କାଜୁ ଆପଲ ଜୁସ୍‌’ ଅନ୍ୟ ଘରୋଇ ଜୁସ୍‌ କମ୍ପାନିମାନଙ୍କ ତୁଳନାରେ ବେଶ ଭଲ ବ୍ୟବସାୟ ବି କରିଥିଲା।

ଲଙ୍କାଆମ୍ବରୁ ଏଭଳି ଜୁସ୍‌କୁ ପ୍ରସ୍ତୁତ କରିବା ପାଇଁ ଦେଶରେ କେରଳରେ ଏକମାତ୍ର ତାଲିମ ଅନୁଷ୍ଠାନ ରହିଥିବା ବେଳେ ନିଗମର ଅଧିକାରୀମାନେ କେରଳ ଯାଇ ଏଥିପାଇଁ ସ୍ୱତନ୍ତ୍ରଭାବେ ତାଲିମ ମଧ୍ୟ ନେଇଥିଲେ। ଲହଙ୍ଗାରେ ଏହି ଜୁସ୍‌ ପ୍ରସ୍ତୁତ କରାଯାଉଥିଲା। ତେବେ ବିନା ଖାଦ୍ୟ ପଞ୍ଜୀକରଣରେ ଏହାର ବଜାର ପ୍ରବେଶ ହୋଇଥିବାରୁ ଏ ନେଇ ବିବାଦ ଉପୁଜିଥିଲା। ପରବର୍ତୀ ସମୟରେ ନିଗମ ପକ୍ଷରୁ ଏଥିପାଇଁ ଆବଶ୍ୟକ ସମସ୍ତ କାଗଜପତ୍ର ସଂଗ୍ରହ କରାଯାଇଥିଲା। ମାତ୍ର ବର୍ଷେ ଚାଲିବା ପରେ ୨୦୧୫ ମସିହାରେ ଏହା ବନ୍ଦ ହୋଇଗଲା। ‘କାଜୁ ଆପଲ ଜୁସ୍‌’ ପ୍ରସ୍ତୁତ କରିବା ପଛରେ ରହିଥିବା ଅଧିକାରୀ ବଦଳି ଯିବା ପରେ ସବୁକିଛି ଓଲଟ ପାଲଟ ହୋଇଯାଇଥିଲା।

ଜୁସ୍‌ର ମାର୍କେଟିଂ ଦିଗରେ ନିଗମ ପକ୍ଷରୁ ଗୁରୁତ୍ୱ ଦିଆଗଲା ନାହିଁ। ସରକାରୀ କର୍ମଚାରୀ ଯୋଗୁଁ ସେମାନେ ଏଥିପାଇଁ ବିଶେଷ ଧ୍ୟାନ ଦେଇ ନ ଥିଲେ। ଲୋକଙ୍କ ଚାହିଦା ଅନୁଯାୟୀ ଯେତିକି ବିକ୍ରି ହୋଇଥିଲା ତାହାକୁ ନେଇ ସମସ୍ତେ ବାହାବା ନେଇଥିଲେ। ଯାହାଫଳରେ ପ୍ରସ୍ତୁତ ହୋଇ ରହିଥିବା ଜୁସ୍‌ ଦିନ ପରେ ଦିନ ପଡ଼ି ରହିବା ଯୋଗୁଁ ଖରାପ ହୋଇଗଲା। ଶେଷକୁ ଏହାକୁ ବନ୍ଦ କରିବା ପାଇଁ ନିଗମ ନିଷ୍ପତ୍ତି ନେଇଥିଲା। ଗତ ୩ବର୍ଷ ହେବ ଏହି ଜୁସ୍‌କୁ ଆଉ ବଜାରରେ ଦେଖିବାକୁ ମିଳୁନାହିଁ।

ନିଗମର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ବଜାରରେ ମିଳୁଥିବା ଅନ୍ୟ ଜୁସ୍‌କୁ ନଜରରେ ରଖି କାଜୁ ଆପଲ ଜୁସ୍‌ ପ୍ରସ୍ତୁତ ହୋଇଥିଲା। ତେବେ ଏହାର ମାର୍କେଟିଂ ମୁଖ୍ୟ ସମସ୍ୟା ପାଲଟିଥିଲା। ନିଗମର ଅଧିକାରୀଙ୍କ ନିକଟରେ ଉପଯୁକ୍ତ ମାର୍କେଟିଂର ଜ୍ଞାନ ନ ଥିବାରୁ ବଜାରରେ ଉପଲବ୍ଧ ଅନ୍ୟ ଜୁସ୍‌ ତୁଳନାରେ ଉପଯୁକ୍ତ ମାର୍କେଟିଂ ହୋଇପାରି ନ ଥିଲା। ଅପରପକ୍ଷରେ ଘରୋଇ କମ୍ପାନିମାନେ ନିଜ ନିଜ ଡିଷ୍ଟ୍ରିବ୍ୟୁଟରମାନଙ୍କୁ ଦେଉଥିବା କମିସନ ଦେବାରେ ନିଗମ ମଧ୍ୟ ଅବହେଳା କରିଥିଲା। ଏହାସହ ବଜାରରେ ମିଳୁଥିବା ଅନ୍ୟ ଜୁସ୍‌ ବୋତଲର ଡିଜାଇନ୍‌ ନିଗମ ପକ୍ଷରୁ ପ୍ରସ୍ତୁତ କାଜୁ ଆପଲ ଜୁସ୍‌ ବୋତଲର ଡିଜାଇନ୍‌ ମିଶିଯିବାରୁ ଲୋକମାନେ ସହଜରେ ଏହାକୁ ଜାଣିପାରି ନ ଥିଲେ। ତେଣୁ ଏଥିରେ ମଧ୍ୟ ସମସ୍ୟା ଉପୁଜିଥିଲା। ତେଣୁ ବାଧ୍ୟହୋଇ ଏହି ଜୁସ୍‌କୁ ବନ୍ଦ କରି ଦିଆଯାଇଥିବା ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର