ମା’ ରକ୍ଷାକାଳୀ ମନ୍ଦିରରେ କାକରା ଭୋଗ

ଭୁବନେଶ୍ବର: ରାଜଧାନୀର ପୁରୁଣା କାଳୀ ପୂଜାମାନଙ୍କ ମଧ୍ୟରୁ ୟୁନିଟ୍‌-୬ ସ୍ଥିତ ରକ୍ଷାକାଳୀ ମନ୍ଦିରର କାଳୀ ପୂଜା ଅନ୍ୟତମ। ୪୭ ବର୍ଷରେ ପଦାର୍ପଣ କରିଥିବା ଏହି ପୂଜା ଅବସରରେ ମା’ଙ୍କ ଷୋଡ଼ଶୀ ବେଶ ଦର୍ଶନ ହେଉଛି ଅନନ୍ୟ ପରମ୍ପରା। ସେହିଭଳି କାକରା ଭୋଗ ବିଧି ଏହି ପୂଜାର ଭିନ୍ନ ଏକ ବିଶେଷତ୍ବ। ଗତ ୨ବର୍ଷ ହେଲା କରୋନା ମହାମାରୀ ପାଇଁ ନିରାଡ଼ମ୍ବର ଭାବେ ପୂଜା କରାଯାଉଥିଲା। କିନ୍ତୁ ଚଳିତ ବର୍ଷ ଆଡ଼ମ୍ବର ସହକାରେ ପୂଜା କରିବା ପାଇଁ ଜୋର୍‌ଦାର ପ୍ରସ୍ତୁତି ଚାଲିଛି।

କମିଟି ପକ୍ଷରୁ ମିଳିଥିବା ସୂଚନାନୁସାରେ ୨୪ ତାରିଖ ଦିନ ସକାଳୁ କଳସ ଯାତ୍ରା ଅନୁଷ୍ଠିତ ହେବ। ଏହାପରେ ସୂର୍ଯ୍ୟପୂଜା ହେବ ଓ ପରେ ପରେ ଶ୍ରଦ୍ଧାଳୁମାନଙ୍କ ପାଇଁ ମା’ ରକ୍ଷାକାଳୀଙ୍କୁ ଦର୍ଶନ ସୁଯୋଗ ମିଳିବ। ଏହି ଅବସରରେ ମା’ଙ୍କୁ ବିଭିନ୍ନ ଅଳଙ୍କାରରେ ଆଭୂଷଣ କରାଯିବ। ଅଳଙ୍କାରରେ ଆଭୂଷିତ ହେବା ପରେ ମା’ଙ୍କ ରୂପ ବେଶ୍‌ ଶାନ୍ତ ଦେଖାଯାଏ। ମଧ୍ୟାହ୍ନ ଧୂପ ପରେ ଅଳ୍ପ ସମୟ ପାଇଁ ମା’ଙ୍କ ପହୁଡ଼ ହେବ ଏବଂ ପୁଣି ଅପରାହ୍ଣ ୩ ଟାରୁ ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ ଆରମ୍ଭ ହେବ। ସଂଧ୍ୟାରେ ସଂଧ୍ୟା ଆଳତି ଦର୍ଶନ, ପରେ ମହାସ୍ନାନ ଓ ଷୋଡ଼ଶୀ ବେଶ ଅନୁଷ୍ଠିତ ହେବ। ଏହି ସମୟରେ ଷୋଡ଼ଶ ଉପଚାର ପୂଜା କରାଯିବ। ସେହିଭଳି ମଧ୍ୟରାତ୍ରରେ ଯୋଗିନୀ ପୂଜା, ପୂର୍ଣ୍ଣ ଆହୁତି ଓ କୁଷ୍ମାଣ୍ଡା ବଳି ବିଧି ସମ୍ପନ୍ନ ହେବ। ଏହି ଅବସରରେ ୧୦୦୮ ଦୀପ ଦାନ କରାଯିବ। ପର ଦିନ ସୂର୍ଯ୍ୟୋପରାଗ ପଡ଼ୁଥିବାରୁ ଦେବନୀତି ବନ୍ଦ ରହିବ। ୨୬ ଓ ୨୭ତାରିଖରେ ମନ୍ଦିର କମିଟି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବେ।

ଜଗଦମ୍ବା କାଳୀମନ୍ଦିରରେ ୧୦ ମହାବେଶ

ରାଜଧାନୀର ପ୍ରମୁଖ କାଳୀ ପୂଜାମାନଙ୍କ ମଧ୍ୟରୁ ୟୁନିଟ୍‌-୨ ପୁରୁଣା ବସ୍‌ଷ୍ଟାଣ୍ଡସ୍ଥିତ ଜଗଦମ୍ବା କାଳୀ ମନ୍ଦିର ପୂଜା ଅନ୍ୟତମ। ୧୯୮୨ ମସିହାରୁ ହୋଇଆସୁଥିବା ଏହି ପୂଜା ୪୦ ବର୍ଷରେ ପହଞ୍ଚିଛି। ଏଠାରେ ବିଧି ମୁତାବକ ଦଶ ଦିନର ପୂଜା ଅବସରରେ ଦୁର୍ଲଭ ୧୦ ମହାବେଶ ନୀତି ସମ୍ପନ୍ନ କରାଯାଇଥାଏ।

୨୪ ତାରିଖ ରାତ୍ର ୧୨ଟାରୁ ପୂଜା ଆରମ୍ଭ ହେବ। ସେଦିନ ମା’ଙ୍କ ମହାକାଳୀ ବେଶ ନୀତି ସହ ଚଣ୍ଡୀପାଠ ଅନୁଷ୍ଠିତ ହେବ। ୨୫ ତାରିଖ ଦିନ ସୂର୍ଯ୍ୟୋପରାଗ ପଡ଼ୁଥିବାରୁ ମା’ଙ୍କ ପୂଜାର ସମସ୍ତ ନୀତିକାନ୍ତି ବନ୍ଦ ରହିବ। ୨୬ ତାରିଖରେ ତାରାବେଶ, ୨୭ ତାରିଖରେ ଷୋଡ଼ଶୀ ବେଶ, ୨୮ତାରିଖରେ ଭୁବନେଶ୍ବରୀ ବେଶ, ୨୯ ତାରିଖରେ ଭୈରବୀ ବେଶ, ୩୦ ତାରିଖରେ ଛିନ୍ନମସ୍ତା ବେଶ, ୩୧ ତାରିଖରେ ଧୂମାବତୀ ବେଶ, ନଭେମ୍ବର ୧ରେ ବଗଳା ବେଶ, ୨ ତାରିଖରେ ମାତଙ୍ଗୀ ବେଶ, ୩ ତାରିଖରେ କମଳା ବେଶ ନୀତି ସମ୍ପନ୍ନ ହେବ। ମୁଖ୍ୟ କଥା ହେଉଛି, ପ୍ରତିଦିନ ମଧ୍ୟାହ୍ନରେ ମା’ଙ୍କ ବେଶ ଅନୁସାରେ ୭ ପ୍ରକାରର ପ୍ରସାଦ ଲାଗି କରାଯିବ। ପ୍ରତିଦିନ ରାତିରେ କ୍ଷୀର ଭୋଗ ସହ ୩ ପ୍ରକାର ପ୍ରସାଦ ଭୋଗ ଲାଗି ହେବ। ଅନ୍ତିମ ଦିନ ମା’ଙ୍କ କମଳା ବେଶ ଅବସରରେ କାକରା, ମଣ୍ଡା ପିଠା ଆଦି ଭୋଗ ଲାଗି କରାଯିବ। ସାଧାରଣ ଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି।

ସହିଦନଗର କାଳୀପୂଜା: ଚାନ୍ଦି ମେଢ଼ରେ ଶୋଭା ପାଇବେ ମା’ ମହାକାଳୀ

ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ସହିଦନଗର ଦୁର୍ଗାପୂଜା ମଣ୍ଡପରେ ମା’ ମହାକାଳୀଙ୍କ ପୂଜା ଅନୁଷ୍ଠିତ ହେବ। ଚାନ୍ଦିମେଢ଼ରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବେ ମା’ ମହାକାଳୀ। ୧୦ ଦିନ ବ୍ୟାପୀ ହେବାକୁ ଥିବା ଏହି ପୂଜାରେ ପ୍ରଥମ ଦିନ ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। କେବଳ ସୂର୍ଯ୍ୟୋପରାଗ ଦିନକୁ ବାଦ୍‌ ଦେଲେ ଅନ୍ୟ ସବୁଦିନ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ମଣ୍ଡପ ନିକଟରେ ମୀନାବଜାର ପଡ଼ିବ। ୪ ତାରିଖ ଦିନ ଭସାଣି ଅନୁଷ୍ଠିତ ହେବ। କେବଳ ସହିଦନଗର ଭିତରେ ଭସାଣି ଶୋଭାଯାତ୍ରା ହେବ।

ସମ୍ବନ୍ଧିତ ଖବର