ପ୍ରସିଦ୍ଧ ହରପାର୍ବତୀଙ୍କ କାକରା ପ୍ରସାଦ

ଖରାଖିଆ ବୈଦ୍ୟନାଥ ପୂଜା ସମିତି

ଭୁବନେଶ୍ବର: ଏକାମ୍ର କ୍ଷେତ୍ରର ପୁରୁଣା‌ ଦୁର୍ଗାପୂଜା ମଧ୍ୟରେ ଖରାଖିଆ ବୈଦ୍ୟନାଥ ପୂଜା ସମିତିର ହରପାର୍ବତୀ ପୂଜା ଅନ୍ୟତମ। ୧୯୫୫ ମସିହାରୁ ଦୀର୍ଘ ୬୭ ବର୍ଷ ହେଲା ସୁରୁଖୁରୁରେ ଏହି ପୂଜା ସମ୍ପାଦିତ ହୋଇଆସୁଛି। ଦୁର୍ଗାପୂଜା ଅବସରରେ ଏଠାରେ ହେଉଥିବା ହରପାର୍ବତୀ ପୂଜା ବେଶ୍ ବିଧିବିଧାନର ସହ ସମ୍ପନ୍ନ ହୋଇଥାଏ। ଏହି ଅଞ୍ଚଳର ଆରାଧ୍ୟ ଠାକୁର ମହାଦେବ ଖରାଖିଆ ବୈଦ୍ୟନାଥଙ୍କ ପାଇଁ ଏଠାରେ ମା’ ଜଗତଜନନୀଙ୍କ ପୂଜା ଅବସରରେ ହରପାର୍ବତୀଙ୍କ ପୂଜା ହୋଇଆସୁଛି। ମଣ୍ଡପରେ କାକରା ଭୋଗ ଲାଗି ଏଠାରେ ଏକ ନିଆରା ପରମ୍ପରା। କାକରା ପ୍ରସାଦ ପାଇଁ ପ୍ରସିଦ୍ଧ ଏହି ମଣ୍ଡପକୁ ବହୁ ଶ୍ରଦ୍ଧାଳୁ ଖାସ୍ ସେଥିପାଇଁ ଆସିଥାଆନ୍ତି।
ଚଳିତ ବର୍ଷ ଏହି ମଣ୍ଡପରେ ସପ୍ତମୀରୁ ପୂଜା ଆରମ୍ଭ ହେବ। ଅଷ୍ଟମୀରେ ହରପାର୍ବତୀଙ୍କ ପାଖରେ ୧୦୮ ଦୀପ ଦାନ କରାଯିବ। ନବମୀ ଦିନ ୨ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ଦଶମୀରେ ବିଧି ଓ ପରମ୍ପରା ଅନୁସାରେ ୧୦୦୮ କାକରା ଭୋଗ ଲାଗି କରାଯିବ। ପୂଜାକୁ ଆକର୍ଷଣୀୟ କରିବାକୁ ଚଳିତ ବର୍ଷ ଲାଇଟ୍‌ ତୋରଣ ବ୍ୟବସ୍ଥା କରାଯାଇଛି। ପ୍ରତିଦିନ ସଂନ୍ଧ୍ୟାରେ ମେଲୋଡି ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ମହାମାରୀ କରୋନା ପାଇଁ ଗତ ଦୁଇ ବର୍ଷ ହେଲା ଲୋକେ ମା’ଙ୍କ ପୂଜା ଦର୍ଶନରୁ ବଞ୍ଚିତ ହୋଇଥିବାରୁ ଚଳିତ ବର୍ଷ ସେମାନଙ୍କ ପାଇଁ ଦର୍ଶନ ଓ ପ୍ରସାଦ ସେବନ ବ୍ୟବସ୍ଥା ଭଲରେ କରାଯିବ ବୋଲି ସମିତି ଉଦ୍ୟମ ଚଳାଇଛି।

ଖରାଖିଆ ମହାଦେବଙ୍କ ସହ ମା’ଙ୍କ ପୂଜା

ANI News

ଖରାଖିଆ ବୈଦ୍ୟନାଥ ମହାଦେବଙ୍କ ମନ୍ଦିର ନିକଟରେ ପୂଜା ହେଉଥିବାରୁ ଏଠାରେ ହରହର ମହାଦେବଙ୍କ ସହ ମା’ପାର୍ବତୀଙ୍କ ପୂଜା କରାଯାଉଛି। ଏହି ପୂଜା ପାଇଁ ବେଶ୍ ନିଷ୍ଠା ଦରକାର। ତେଣୁ ସପ୍ତମୀରୁ ଦଶମୀ ପର୍ଯ୍ୟନ୍ତ ସମସ୍ତ ବିଧିବିଧାନକୁ ଗୁରୁତ୍ବର ସହ ନିଆଯାଏ। ଦୀପ ଦାନ, କାକରା ଭୋଗ ଲାଗି ଓ ପ୍ରସାଦ ସେବନକୁ ମଧ୍ୟ ଶୃଙ୍ଖଳିତ କରିବାକୁ ଆମ ସମିତି ଯୋଜନା କରିଛି।
-ସମୀର ମହାନ୍ତି, ସଭାପତି

ଜୁନାଗଡ଼ ସିଂହ ବାଜା ଭସାଣରେ ଦୁଲୁକେଇବ

ଚଳିତ ବର୍ଷ ଭସାଣ ଉତ୍ସବକୁ ମହାଆଡ଼ମ୍ବରରେ ସମାହିତ ହେବ। ରାଜ୍ୟର ପ୍ରସିଦ୍ଧ କଳାକାର ଦଳମାନେ ସାମିଲ୍ ହେବେ। ‌ଢ଼ୋଲବାଜା, ଘଣ୍ଟମାଦଳ ଓ ଝୁନାଗଡ଼ର ପ୍ରସିଦ୍ଧ ସିଂହ ବାଜାରେ ପୁରୁଣା ଭୁବନେଶ୍ବରବାସୀଙ୍କୁ ଆକର୍ଷିତ କରିବ। କଟକ ବ୍ୟାଣ୍ଡ ପାର୍ଟି, ସୋନପୁରର ଘଣ୍ଟମର୍ଦ୍ଦଳ, ବ୍ରହ୍ମପୁରର ଢ଼ୋଲ ବାଜା, କଳାହାଣ୍ଡି ଜୁନାଗଡ଼ର ପ୍ରସିଦ୍ଧ ସିଂହ ବାଜା ସାଙ୍ଗକୁ ଘୋ‌ଡ଼ା, ବାଘ ନାଚ ଦର୍ଶକଙ୍କୁ ଆକର୍ଷଣ କରିବ।
-ବବୁଲ ମକଦ୍ଦମ, ସାଧାରଣ ସମ୍ପାଦକ

ସମ୍ବନ୍ଧିତ ଖବର