ବଦଳିବ ‘କଳାଭୂମି’ କଳେବର

ଭୁବନେଶ୍ୱର : ଗଣ୍ଡମୁଣ୍ଡାସ୍ଥିତ ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ (କଳାଭୂମି)କୁ ଅଧିକ ଆକର୍ଷଣୀୟ କରିବା ଏବଂ ଅଧିକ ଦର୍ଶକଙ୍କୁ ଆକୃଷ୍ଟ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ଏଠାରେ ଅଧିକ ଗ୍ୟାଲେରି ଖୋଲିବା ସହ ବ୍ୟାପକ ପ୍ରଚାର ପ୍ରସାର କରିବାକୁ ନିଷ୍ପତ୍ତି ହୋଇଛି।

ନିକଟରେ ଉନ୍ନୟନ କମିସନର୍‌ ଆର୍‌.ବାଲକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ହୋଇଥିବା  ବୈଠକରେ ନିଷ୍ପତ୍ତି ହୋଇଛି ଯେ, କଳାଭୂମିକୁ ରାଜଧାନୀର ସାଂସ୍କୃତିକ ହବ୍‌ରେ ପରିଣତ କରାଯିବ। ଏଠାରେ ଓଡ଼ିଶା ପରମ୍ପରା ଓ ସଂସ୍କୃତିର ଝଲକ୍‌ ପ୍ରଦର୍ଶିତ ହେବା ସହ ନିୟମିତ ବ୍ୟବଧାନରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ।

କଳାଭୂମିରେ ଦୁଇଟି ନୂଆ ଗ୍ୟାଲେରି ଖୋଲାଯିବ। ଏଠାରେ ଏକ ଶ୍ରୀ ଜଗନ୍ନାଥ ଗ୍ୟାଲେରି ଖୋଲାଯିବ। ଏଥିରେ ଶ୍ରୀ ଜଗନ୍ନାଥଙ୍କ ବିଭିନ୍ନ ବେଶରୁ ଆରମ୍ଭ କରି ବିଭିନ୍ନ ପର୍ବପର୍ବାଣୀ ବିଷୟରେ ସୂଚନା ରହିବ। ଏହାସହିତ ରଥଯାତ୍ରାକୁ ନେଇ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ହେବ। ଏଠାରେ ରଥ ଚକ ସହ ଜଗନ୍ନାଥ ସଂସ୍କୃତିକୁ ଦର୍ଶାଉଥିବା ବିଭିନ୍ନ ଦୁର୍ଲଭ ସାମଗ୍ରୀ ପ୍ରଦର୍ଶନ ହେବ। ଏନେଇ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ସହ ଆଲୋଚନା କରି ପଦକ୍ଷେପ ନେବାକୁ କୁହାଯାଇଛି।

ସେହିପରି  ଓଡ଼ିଶାର ବହୁ ପାରମ୍ପାରିକ ନୃତ୍ୟର କଷ୍ଟ୍ୟୁମ୍‌କୁ ପ୍ରଦର୍ଶନ କରାଯିବ। ଏଥିରେ ବିଭିନ୍ନ ନୃତ୍ୟ ଯେପରି ଓଡ଼ିଶୀ, ଗୋଟିପୁଅ, ମାହାରୀ ଏବଂ ଅନ୍ୟ ଲୋକ ନୃତ୍ୟରେ ବ୍ୟବହାର ହେଉଥିବା ସାମଗ୍ରୀ, ଅଳଙ୍କାର ଆଦି ପ୍ରଦର୍ଶନ ହେବ। କିପରି ବିଭିନ୍ନ ନୃତ୍ୟର ସୃଷ୍ଟି ହେଲା, ଏହାର ସବିଶେଷ ସୂଚନା, ଆଦି ଗୁରୁଙ୍କ ବିଷୟରେ ସୂଚନା ରହିବ।

ଏହି ସଂଗ୍ରହାଳୟର ପ୍ରତ୍ୟେକ ସାମଗ୍ରୀ ଯେପରି ସଂରକ୍ଷିତ ହୋଇ ରହିବ ଏବଂ ରକ୍ଷଣାବେକ୍ଷଣ ଠିକ୍‌ ଭାବେ ହେବ ସେଥିପାଇଁ ଏକ ଘରୋଇ ସଂସ୍ଥା ସହ ଚୁକ୍ତି ସ୍ୱାକ୍ଷର ହେବ।

କେବଳ ଏହି ସଂଗ୍ରହାଳୟ ନୁହେଁ ରାଜଧାନୀର ସମସ୍ତ ସଂଗ୍ରହାଳୟର ଯେପରି ପ୍ରଚାର ପ୍ରସାର ହେବ, ଅଧିକ ପର୍ଯ୍ୟଟକ ଆସିବେ ସେଥିପାଇଁ ବ୍ରୋଚର୍‌, ଷ୍ଟାଣ୍ଡି ପ୍ରସ୍ତୁତ କରି ସ୍କୁଲ, କଲେଜ, କର୍ପୋରେଟ୍‌ ସଂସ୍ଥା, ହୋଟେଲରେ ବାଣ୍ଟିବାକୁ ଓ ଲଗାଇବାକୁ କୁହାଯାଇଛି। ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗକୁ ଏହି ଦାୟିତ୍ୱ ଦିଆଯାଇଛି। ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କୁ ଯେପରି ସମସ୍ତ ସୁବିଧା ସୁଯୋଗ ହାତପାହାନ୍ତାରେ ମିଳିବ ସେଥିପାଇଁ କଳାଭୂମି ପରିସରରେ କାଫେଟେରିଆ, ଏଟିଏମ୍‌ ଆଦି ବ୍ୟବସ୍ଥା ଉପଲବ୍ଧ କରାଇବାକୁ ଇଡକୋ ଏବଂ ହସ୍ତତନ୍ତ, ହସ୍ତକଳା ଓ ବୟନଶିଳ୍ପ ବିଭାଗକୁ କୁହାଯାଇଛି।

ଏଠାରେ ନିୟମିତ ବ୍ୟବଧାନରେ ନିର୍ଦ୍ଧାରିତ ତାରିଖରେ ବିଭିନ୍ନ ବିଷୟକୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ। ଏଥିପାଇଁ ସଂସ୍କୃତି ବିଭାଗକୁ ଦାୟିତ୍ୱ ଦିଆଯାଇଛି।  ଏହି କାର୍ଯ୍ୟକ୍ରମର ସ୍ପନସରସିପ୍‌ ପାଇଁ ବିଭିନ୍ନ କର୍ପୋରେଟ୍‌ ସଂସ୍ଥାରୁ ସିଏସ୍‌ଆର୍‌ ପାଣ୍ଠିରୁ ଅର୍ଥ ଆଣିବାକୁ କୁହାଯାଇଛି। ସେହିପରି କଳାଭୂମିର ପ୍ରଚାର ପ୍ରସାର ସହ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ସ୍ୱେଚ୍ଛାସେବୀ ଚୟନ କରିବା ଏବଂ ପ୍ରମୁଖ ସ୍ଥାନରେ ହୋର୍ଡିଂ ଲଗାଇ ପ୍ରଚାର ପ୍ରସାର କରିବା ଦାୟିତ୍ୱ ବିଏମ୍‌ସିକୁ ଦିଆଯାଇଛି।

ସମସ୍ତ ସଂଗ୍ରହାଳୟକୁ ଯେପରି ପର୍ଯ୍ୟଟକମାନେ ସହଜରେ ଯାତାୟତ କରିପାରିବେ ସେଥିପାଇଁ ରାଜଧାନୀର ବିଭିନ୍ନ ସ୍ଥାନରେ ସାଇନେଜ୍‌ ଲଗାଇବାକୁ ପୂର୍ତ୍ତ ବିଭାଗକୁ କୁହାଯାଇଛି।

ସ୍କୁଲ ଛାତ୍ରଛାତ୍ରୀ ସଂଗ୍ରହାଳୟ ବୁଲିବା ବାଧ୍ୟତାମୂଳକ ହେବ

ରାଜ୍ୟର ସମସ୍ତ ସ୍କୁଲର ଛାତ୍ରଛାତ୍ରୀ ଯେପରି ବିଭିନ୍ନ ସଂଗ୍ରହାଳୟ ବୁଲିବେ ଏବଂ ଓଡ଼ିଶାର ଇତିହାସ ଓ ପରମ୍ପରା ବିଷୟରେ ଜାଣିବେ ସେଥିପାଇଁ ସରକାର ଯୋଜନା କରୁଛନ୍ତି। ପ୍ରତି ବର୍ଷ ଯେପରି ପ୍ରତ୍ୟେକ ସ୍କୁଲର ଛାତ୍ରଛାତ୍ରୀ ଥରଟିଏ ପ୍ରତ୍ୟେକ ସଂଗ୍ରହାଳୟ ବୁଲିବେ ସେଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ନିର୍ଦ୍ଦେଶନାମା ଜାରି ହେବ।

ସବୁ ସଂଗ୍ରହାଳୟ ପାଇଁ ହେବ ଗୋଟିଏ ଟିକେଟ୍‌

ରାଜଧାନୀର ସମସ୍ତ ସଂଗ୍ରହାଳୟ ପାଇଁ ଗୋଟିଏ ଟିକେଟ୍‌ ବ୍ୟବସ୍ଥା ଆରମ୍ଭ ହେବ। ଗୋଟିଏ ଟିକେଟ୍‌ କାଟିଲେ ସବୁତକ ସଂଗ୍ରହାଳୟ ବୁଲି ହେବ। ଏକାଧିକ ଟିକେଟ୍‌ କାଟିବାକୁ ପଡ଼ିବନି। ଏଥିପାଇଁ କମନ୍‌ ଟିକେଟ୍‌ ବ୍ୟବସ୍ଥା ଆରମ୍ଭ ହେବ। ଏହି ବ୍ୟବସ୍ଥା ଆରମ୍ଭ କରିବାକୁ ବିଏମ୍‌ସିକୁ ଦାୟିତ୍ୱ ଦିଆଯାଇଛି। ଏବେ କଳାଭୂମିରେ ୧୨ବର୍ଷରୁ କମ୍‌ ପିଲାଙ୍କ ପାଇଁ ସଂଗ୍ରହାଳୟ ବୁଲିବା ମାଗଣା ଥିବାବେଳେ ଛାତ୍ରଛାତ୍ରୀଙ୍କ ପାଇଁ ୨୦ଟଙ୍କା ରହିଛି। ଭାରତୀୟ ଏବଂ ବିଦେଶୀ ନାଗରିକଙ୍କ ପାଇଁ ୫୦ ଟଙ୍କା ଟିକେଟ୍‌ ରହିଛି। ସେହିପରି ରାଜ୍ୟ ସଂଗ୍ରହାଳୟରେ ୧୦ବର୍ଷରୁ କମ୍‌ ପିଲାଙ୍କ ପାଇଁ ୧୦ଟଙ୍କା ଟିକେଟ୍‌ ଥିବାବେଳେ ଏହାଠାରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ପାଇଁ ୨୦ଟଙ୍କା ରହିଛି। ଶିକ୍ଷାନୁଷ୍ଠାନରୁ ଅନୁମତି ଆଣିଥିଲେ ଛାତ୍ରଛାତ୍ରୀ ମାଗଣାରେ ବୁଲି ଦେଖିବାର ବ୍ୟବସ୍ଥା ଅଛି।

ଜୁନ୍‌ ୧୬ରୁ ଆରମ୍ଭ ହେବ ମ୍ୟୁଜିୟମ୍‌ ଓ୍ଵାକ୍‌

ଏକାମ୍ର ଓ୍ଵାକ୍‌ ସଫଳ ହେବା ପରେ ଏବେ ମ୍ୟୁଜିୟମ୍‌ ଓ୍ଵାକ୍‌ (ସଂଗ୍ରହାଳୟ ପଦଯାତ୍ରା) କରିବାକୁ ନିଷ୍ପତ୍ତି ହୋଇଛି। ଆସନ୍ତା ୧୬ତାରିଖରୁ କଳାଭୂମିରୁ ଏହି ପଦଯାତ୍ରା ଆରମ୍ଭ ହେବ। ପୋଖରୀପୁଟ-ଖଣ୍ଡଗିରି ରାସ୍ତାରେ ଏହି ପଦଯାତ୍ରା ହେବ। ଶନିବାର ଅପରାହ୍ଣ ୩ଟା ୩୦ରୁ ୫ଟା ପର୍ଯ୍ୟନ୍ତ ଏହା ଅନୁଷ୍ଠିତ ହେବ। ବିଏମ୍‌ସି, ବିଡିଏ, ପର୍ଯ୍ୟଟନ ବିଭାଗ, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତକଳା ବିଭାଗ ଏହି କାର୍ଯ୍ୟକ୍ରମର ମୁଖ୍ୟ ଆୟୋଜକ ହେବେ।

ସମ୍ବନ୍ଧିତ ଖବର