ଭୁବନେଶ୍ବର: ବର୍ଷେ କି ଦୁଇ ବର୍ଷ ନୁହେଁ, ଦୀର୍ଘ ୧୭ ବର୍ଷର ‘କଳାମଣ୍ଡଳ’ ପ୍ରକଳ୍ପ ପାଇଁ ପୁଣି ଏକ କଣ୍ଟ ରଖିଛନ୍ତି ସରକାର। ବର୍ତମାନ ସୁଦ୍ଧା ୬୦ ପ୍ରତିଶତ କାମ ସରିଥିବା ବେଳେ ୨୦୨୧ ଡିସେମ୍ବର ସୁଦ୍ଧା ବାକି କାମ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ୨୦୧୮ ଫେବ୍ରୁଆରିରୁ ଏହି ବହୁ ପ୍ରତୀକ୍ଷିତ ପ୍ରକଳ୍ପର କାମ ଆରମ୍ଭ ହୋଇଥିବା ବେଳେ ୨୦୧୯ ଜୁଲାଇ ୧୫ ସୁଦ୍ଧା ଏହାକୁ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ମାତ୍ର ଲଗାତାର ବର୍ଷା ଯୋଗୁଁ କାମ ବାଧାପ୍ରାପ୍ତ ହୋଇଥିବା କୁହାଗଲା। ଏବେ ପୁଣି ବର୍ଷେ ସମୟ ଦିଆଯାଇଛି। ବାସ୍ତବ କଥା ହେଉଛି, ୬୦ ପ୍ରତିଶତ କାମ ସାରିବାକୁ ପାଖାପାଖି ୩ ବର୍ଷ ଲାଗି ଗଲାଣି। ତେଣୁ ଆଉ ବର୍ଷକ ମଧ୍ୟରେ ଯେ ୪୦ ପ୍ରତିଶତ କାମ ସରିବ, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
୨୦୦୩ରେ ଏହି ପ୍ରକଳ୍ପର ରୂପରେଖ ପ୍ରସ୍ତୁତ ହୋଇଥିଲା। କେନ୍ଦ୍ର ସରକାର ୨ କୋଟି ୩୦ଲକ୍ଷ ଯୋଗାଇ ଦେଇଥିଲେ। ପ୍ରସ୍ତାବିତ ପ୍ରକଳ୍ପ ପାଇଁ ୨୦୦୬ ମସିହାରେ ସୈନିକ ସ୍କୁଲ୍ ନିକଟ ଗଜପତି ନଗରରେ ୧୦ ଏକର ଜମି ଯୋଗାଇ ଦିଆଯାଇଥିଲା। ମାତ୍ର ପରେ ଜମିର ମାଲିକାନାକୁ ନେଇ ବିବାଦ ଉପୁଜିଥିଲା। ଫଳରେ ୭ ଏକରରେ ପ୍ରକଳ୍ପର ନୀଳନକ୍ସା ପ୍ରସ୍ତୁତ ହୋଇଥିଲା। ମାମଲା କୋର୍ଟକୁ ଯାଇଥିବା ବେଳେ ସଂସ୍କୃତି ବିଭାଗ ମାମଲା ଜିତିବା ପରେ ୯.୮୫ ଏକର ଜମିରେ ଏବେ କାମ ଚାଲୁ ରହିଛି। ୨୦୧୮ରେ କାମ ଆରମ୍ଭ ବେଳେ ଏହି ପ୍ରେକ୍ଷାଳୟ ପାଇଁ ବ୍ୟୟ ଅଟକଳ ୫୯ କୋଟି ୮୫ ଲକ୍ଷରେ ପହଞ୍ଚିଥିଲା।
୨ ହଜାର ସିଟ୍ କ୍ଷମତା ବିଶିଷ୍ଟ ମେଗା ଅଡିଟୋରିୟମ୍ ସମେତ ଲଳିତ କଳାମଣ୍ଡଳ, ସଂଗୀତ କଳାମଣ୍ଡଳ, କଳା ଗ୍ରାମ, ଐତିହ୍ୟ ପାର୍କ, କାଫେଟେରିଆ, ଅତିଥି ଭବନର ନିର୍ମାଣ କାମ ଚାଲିଛି। ୬୨ ହଜାର ବର୍ଗଫୁଟ୍ ପରିମିତ ଗ୍ରାଉଣ୍ଡ୍ ଫ୍ଲୋର୍ରେ ପାର୍କିଂ ସୁବିଧା କରାଯିବା ନେଇ ବ୍ୟବସ୍ଥା ହେଉଛି। ଏନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ନିର୍ଦେଶକ ରଂଜନ କୁମାର ଦାସ କହିଛନ୍ତି, ଚଳିତଥର ଏକ ନିର୍ଦିଷ୍ଟ ସମୟ ଅବଧି ଦିଆଯାଇଛି। ୬୦ ପ୍ରତିଶତ କାମ ସରିଥିବାରୁ ଆସନ୍ତା ବର୍ଷ ଡିସେମ୍ବର ୧ ତାରିଖ ପୂର୍ବରୁ ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହେବା ନେଇ ଆଶାବାଦୀ ଅଛୁ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/fsh564fs56h4fs56f456s456s456s.jpg)