କଳାଶ୍ରମ ପକ୍ଷରୁ ଗୁରୁ ଦକ୍ଷିଣା

ଭୁବନେଶ୍ୱର: ସାଂସ୍କୃତିକ ଅନୁଷ୍ଠାନ ‘କଳାଶ୍ରମ’ ପକ୍ଷରୁ ୧୩ତମ ଗୁରୁ ଦକ୍ଷିଣା ଉତ୍ସବ ଆଜି ରବୀନ୍ଦ୍ର ମଣ୍ଡପରେ ଉଦ୍‌ଘାଟିତ ହୋଇଯାଇଛି। ତିନିଦିନ ବ୍ୟାପୀ ହେବାକୁ ଥିବା ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ସମ୍ମାନିତ ଅତିଥି ଭାବେ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ବିଜୟ କୁମାର ନାୟକ, ଅବସରପ୍ରାପ୍ତ ପ୍ରଶାସକ ଅଶୋକ କୁମାର ତ୍ରିପାଠୀ ଓ ଓଡ଼ିଶୀ ନୃତ୍ୟାଙ୍ଗନା ପଦ୍ମଶ୍ରୀ ରଞ୍ଜନା ଗୋହର ପ୍ରମୁଖ ଯୋଗ ଦେଇଥିଲେ। ଚଳିତ ବର୍ଷ ବିଶିଷ୍ଟ ନୃତ୍ୟଶିଳ୍ପୀ ସ୍ୱର୍ଗତ ପଦ୍ମଶ୍ରୀ ସଂଯୁକ୍ତା ପାଣିଗ୍ରାହୀଙ୍କୁ ମରଣୋତ୍ତର ଭାବେ ଗୁରୁ ଦକ୍ଷିଣା ସମ୍ମାନ ପ୍ରଦାନ କରାଯାଇଥିଲା। ଗୁରୁ ବିମ୍ବାଧର ଦାସଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ମନୋଜ ଦାସ ଅଧ୍ୟକ୍ଷତା କରିଥିଲେ।  ଗୁରୁ ନିତ୍ୟାନନ୍ଦ ଦାସ ସ୍ୱାଗତ ଭାଷଣ ଦେଇଥିଲା ବେଳେ ସଭା ସଂଯୋଜନା କରିଥିଲେ ଇଂ. ମିଲନ। ଆଜି ସନ୍ଧ୍ୟାର ପ୍ରଥମ ଅର୍ଘ୍ୟ ଥିଲା ‘ଘେନ ମୋର ନମସ୍କାର’। କଳାଶ୍ରମର କଳାକାରମାନେ ବେଶ୍‌ ଚମତ୍କାର ଭାବେ ଏହି ନୃତ୍ୟ ପରିବେଷଣ କରିଥିଲେ। ପରେ ପରେ  ଗୁରୁ ନିତ୍ୟାନନ୍ଦ ଦାସ ଓ ସାଥୀ କଳାକାରମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟାଭିନୟ ‘ଦିବ୍ୟାଙ୍ଗ’ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମର ଅନ୍ୟ ଆକର୍ଷଣ ଥିଲା ଗୌହାଟୀର ଦର୍ପଣ ଡ୍ୟାନ୍ସ ଏକାଡେମି ପକ୍ଷରୁ ସାତ୍ରୀୟ ନୃତ୍ୟ, ଗୁରୁ ବିଜୟ କୁମାର ଦାସ ଏବଂ ସାଥୀଙ୍କ ଦ୍ୱାରା ‘ଶିବ ପଞ୍ଚକ’ ଓ ନୂପୁର ଅନୁଷ୍ଠାନ ପକ୍ଷରୁ ସମ୍ବଲପୁରୀ ନୃତ୍ୟ।

ସମ୍ବନ୍ଧିତ ଖବର