ତାଣ୍ଡବ ରଚିଲା କାଳବୈଶାଖୀ; ୭ ଆହତ, ବୁଡ଼ିଲା ମୁଗ, ବିରି ଫସଲ

ବାଲିପାଟଣା : ଗୁରୁବାର ଅପରାହ୍ନ ପ୍ରାୟ ୩ଟା ବେଳେ ବାଲିପାଟଣା ଅଞ୍ଚଳରେ ତାଣ୍ଡବ ରଚିଛି କାଳବୈଶାଖୀ। ଘଣ୍ଟାଏ କାଳ ପବନ, ବର୍ଷା, ଘଡ଼ଘଡ଼ିରେ ଲୋକେ ଭୟଭୀତ ହୋଇପଡ଼ିଥିଲେ। ବର୍ଷା ସମୟରେ ବିଭିନ୍ନ ସ୍ଥାନରେ ୭ରୁ ଅଧିକ ଲୋକେ ଆହତ ହୋଇଛନ୍ତି। ସେହିପରି ମୁଗ, ବିରି ଫସଲ କିଆରୀରେ ପାଣି ଜମା ହୋଇ ରହିଛି। ଅନେକ ଚାଳ ଛପର ଓ ଆଜବେଷ୍ଟ, ଟିଣ ଉଡ଼ିବା ସହ ଗଛ ଓ ଡାଳ ଭାଙ୍ଗି ପଡ଼ିଛି।

ସୂଚନା ଅନୁସାରେ, ଗତ କିଛି ଦିନ ହେଲା କାଳବୈଶାଖୀ ପ୍ରଭାବରେ ବର୍ଷା, ପବନ ଜାରି ରହିଛି। ଗୁରୁବାର ମଧ୍ୟାହ୍ନରେ ଆକାଶ ମେଘାଚ୍ଛନ୍ନ ହୋଇଥିଲା। ହଠାତ ପବନ, ବର୍ଷା, ବଜ୍ରପାତ ଆରମ୍ଭ ହୋଇଥିଲା। ଦରଡ଼ା ଅଞ୍ଚଳରେ ମୋବାଇଲ ଟାୱାର କାମ କରିବାକୁ ଆସିଥିବା କର୍ମଚାରୀ ସ୍ଥାନୀୟ ଅଞ୍ଚଳର ଏକ ଘରେ ଆଶ୍ରୟ ନେଇଥିଲେ। ହଠାତ ଘର ତାଜା ସେମାନଙ୍କ ଉପରେ ଭାଙ୍ଗି ପଡ଼ିଥିଲା। ଫଳରେ ସିଠାଳର ମଙ୍ଗୁଳି ସେନାପତି, କୋରାପୁଟର ଶଙ୍କର ବିଶୋଇ, ବନମାଳୀପୁରର ସୁନେତ୍ର ବେହେରା ଆହତ ହୋଇଥିଲେ। ସେମାନଙ୍କୁ ପ୍ରଥମେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ୧୦୮ ଆମ୍ବୁଲାନ୍ସରେ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି। ସେହିପରି ବଜ୍ରପାତ ଯୋଗୁଁ ଗିରିଙ୍ଗ ଗ୍ରାମର ତୁଳସୀ ଭୋଇ ସାମାନ୍ୟ ଆହତ ହୋଇଥିଲେ। ନୂଆପଡ଼ା ଗ୍ରାମର ବସନ୍ତ ଭୋଇ, ତପନ ବେହେରା ଓ ଭାକରସାହି ଗ୍ରାମର ଆୟୁଷ ବିଶ୍ୱାଳ ଆହତ ହୋଇ ସ୍ଥନୀୟ ହସ୍ପିଟାଲରେ ଚିକିତ୍ସିତ ହୋଇଥିବା ଡାକ୍ତର ପାୟଲ ଧାମୁଡିଆ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ କାଳବୈଶାଖୀ ପ୍ରଭାବରେ ଫସଲ କିଆରୀରେ ପାଣି ଜମା ହୋଇରହିଛି। ଫଳରେ ମୁଗ, ବିରି ଓ ବିଭିନ୍ନ ପନିପରିବା ଫସଲ ଉଜୁଡି ଯିବା ଆଶଙ୍କା ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ବିଭିନ୍ନ ସ୍ଥାନରେ ଗଛ ଓ ଡାଳ ଭାଙ୍ଗି ପଡ଼ିଛି। ଦୀର୍ଘ ସମୟ ଧରି ବିଦ୍ୟୁତ ସେବା ବିଚ୍ଛିନ୍ନ ହୋଇଛି।

ସମ୍ବନ୍ଧିତ ଖବର