ଭୁବନେଶ୍ୱରରେ କାଳବୈଶାଖୀ : ଭାଙ୍ଗିଲା ଅଧିକ, ଭିଜେଇଲା କମ୍

୩୭ ଡିଗ୍ରି ତାତି, ୩୭ କିମିରେ ପବନ

ଭୁବନେଶ୍ବର : ଚଳିତ ଗ୍ରୀଷ୍ମ ଋତୁର ପ୍ରଥମ କାଳବୈଶାଖୀ ବର୍ଷା ପବନ ଆଜି ରାଜଧାନୀବାସୀ ଅନୁଭବ କରିଛନ୍ତି। ପ୍ରାୟ ସପ୍ତାହେ ହେଲା ଏକରକମ ଉତ୍ତପ୍ତ ସହର ପାଲଟିଥିବା ଭୁବନେଶ୍ବରରେ ଆଜି ସଂଧ୍ୟାରେ ବର୍ଷା ପବନ ହେବାରୁ ଲୋକଙ୍କୁ ଗରମରୁ ଆଶ୍ବସ୍ତି ମିଳିଛି। କେତେକ ସ୍ଥାନରେ ଗଛ ଉପୁଡ଼ି ବିଦ୍ୟୁତ୍ ତାର ଉପରେ ପଡ଼ିବାରୁ କିଛି ଲୋକ ବହୁ ସମୟ ଅନ୍ଧାରରେ ବିତାଇଛନ୍ତି। ଆଜି ଦିନତମାମ ପ୍ରବଳ ଖରା, ଗୁଳୁଗୁଳି ହେଉଥିଲା। ପାରଦ ୩୭.୨ ଡିଗ୍ରି ଛୁଇଁଥିଲେ ବି ବାୟୁମଣ୍ଡଳରେ ଆର୍ଦ୍ରତା ଥିବାରୁ ଗୁଳୁଗୁଳି ଲାଗୁଥିଲା। ଅପରାହ୍‌ଣ ୫ଟା ପରେ କୋହଲା ପାଗ ହୋଇଥିଲେ ହେଁ ସଂଧ୍ୟା ୭ଟା ପରେ ରାଜଧାନୀ ଆକାଶରେ କଳା ‌ବାଦଲ ଘୋଟି ଯାଇଥିଲା। ବରକୋଳି ଟୋପା ବର୍ଷା ସାଙ୍ଗକୁ ଘଣ୍ଟାକୁ ୩୭କିମି ବେଗରେ ପବନ ବହିଥିଲା। ହଠାତ୍ ଜୋର୍ ପବନ ହେବାରୁ କେତେକ ସ୍ଥାନରେ ଗଛ ଡାଳ ଭାଙ୍ଗି ଯାଇଥିବା ବେଳେ କିଛି ସ୍ଥାନରେ ଆମ୍ବ, କୃଷ୍ଣଚୂଡ଼ା, ଚାଖୁଣ୍ଡା ଗଛର ବଡ଼ ବଡ଼ ଡାଳ ଭାଙ୍ଗି ଯାଇଥିଲା।

ରସୁଲଗଡ଼, ମାଷ୍ଟରକ୍ୟାଣ୍ଟିନ, ରାଜମହଲ, ଜଗନ୍ନାଥ ନଗର, ନୀଳାଦ୍ରିବିହାର ଅଞ୍ଚଳ ଆଦିରେ କାଳବୈଶାଖୀ ଯୋଗୁଁ ଅଧିକ ଗଛ ଭାଙ୍ଗିଥିବା ବେଳେ ବହୁ ଟିଣ ଛପର ଉଡ଼ିଯାଇଥିବା ଜଣାପଡ଼ିଛି। ବର୍ଷା କମ୍‌ ପବନ ଅଧିକ ହେବାରୁ ଶୁଖିଲା ପଡ଼ିଥିବା ରାସ୍ତାଘାଟରୁ ଧୂଳି ଉଡ଼ି ଲୋକଙ୍କ ଘରକୁ ଅପରିଷ୍କାର କରିଦେଇଛି। ପବନ ହେବାରୁ ଚତୁର୍ଦ୍ଦିଗ କିଛି ସମୟ ପ‌ାଇଁ ଧୂଳିମୟ ହୋଇଯାଇଥିଲା। ସଂଧ୍ୟାରେ ବର୍ଷା ପବନ ଯେତିକି ଭୟଙ୍କର ନଥିଲା ତା’ଠାରୁ ଅଧିକ ଭୟଙ୍କର ଥିଲା ତୁହାକୁ ତୁହା ବିଜୁଳି ଓ କାନ ଫଟାଇଦେବା ଭଳି ଘଡ଼ଘଡ଼ି। ଲକ୍‌ଡାଉନ୍ ଯୋଗୁଁ ଲୋକମାନେ ଘରେ ଥିବାରୁ ବିଶେଷ କ୍ଷୟକ୍ଷତି ହୋଇନି। ଲୋକମାନେ ଛାତ ଉପରେ ଛିଡ଼ା ହୋଇ ବର୍ଷାର ଭିଜୁଥିବା ଦେଖିବାକୁ ମିଳିଥିଲା। ଦିନବେଳା ୩୭.୨ ଡିଗ୍ରି ଖରା ଓ ଗୁଳୁଗୁଳି ଯୋଗୁ ଆଉଟୁପାଉଟୁ ହେଉଥିବା ରାଜଧାନୀବାସୀ ସଂଧ୍ୟାରେ ଘଣ୍ଟା ପ୍ରତି ବହିଥିବା ୩୭କିମି ବେଗର ପବନ ପାଇ ଆଶ୍ବସ୍ତ ହୋଇଛନ୍ତି। ହେଲେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘଡ଼ଘଡ଼ି, ବିଜୁଳି ସହ ଝିପିଝିପି ବର୍ଷା ହେଉଥିବାରୁ ତଳିଆ ଅଞ୍ଚଳର ଲୋକମାନେ ଜଳବନ୍ଦୀ ହେବାର ଆଶଙ୍କାରେ ଭୟଭୀତ ହୋଇଯାଇଥିଲେ। ଭୁବନେଶ୍ବର ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଆଜି ଭୁବନେଶ୍ବରରେ ୦.୪ମିମି ବର୍ଷା ସାଙ୍ଗକୁ ୩୭କିମି ବେଗରେ ପବନ ବହିଥିଲା।

ସମ୍ବନ୍ଧିତ ଖବର