ରାଜଧାନୀରେ କାଳବୈଶାଖୀ: ସନ୍ଧ୍ୟା ନହେଉଣୁ ରାତି

ଭୁବନେଶ୍ବର : ଗତ ସପ୍ତାହରେ ପ୍ରଚଣ୍ଡ ରୌଦ୍ରତାପରେ ରାଜଧାନୀରେ ଖଇ ଫୁଟିବା ଭଳି ସ୍ଥିତି ଉପୁଜି ଥିଲା। ଗତ ମଙ୍ଗଳବାରଠାରୁ ପୂର୍ବସ୍ଥିତିରେ ସାମାନ୍ୟ ସୁଧାର ଆସିଛି। କାଳବୈଶାଖୀ ବର୍ଷା ଓ ପବନ ଯୋଗୁଁ ତାତି କମିଛି। ପବନର ବେଗ କମ୍‌ ଥିବାରୁ କେବଳ ବିଦ୍ୟୁତ୍ କାଟ୍‌କୁ ଛାଡ଼ିଦେଲେ ଅନ୍ୟାନ୍ୟ କ୍ଷୟକ୍ଷତି ହୋଇନାହିଁ, ବରଂ ପ୍ରବଳ ବର୍ଷା ରାଜଧାନୀବାସୀଙ୍କୁ ତାତିରୁ ଆଶ୍ବସ୍ତି ଦେଇଛି। ଗୁରୁବାର ସନ୍ଧ୍ୟାରେ ପୁଣି ରାଜଧାନୀରେ କାଳବୈଶାଖୀର ଚିତ୍ର ଦେଖିବାକୁ ମିଳିଥିଲା। ମଙ୍ଗଳବାର ଭଳି ଗୁରୁବାର ମଧ୍ୟ ପବନ ବେଗ କମ୍‌ ଥିଲା। କିନ୍ତୁ ଭଲ ବର୍ଷା ହୋଇଥିଲା।

ସାଧାରଣତଃ ମେ’ ମାସର ଅପରାହ୍‌ଣ ୫ଟା ବେଳ ସୁଦ୍ଧା ଖରା ଟାଣ ରହିଥାଏ। ଏମିତିକି ଏହି ସମୟରେ ଖରାରେ ମୁହଁ ପୋଡ଼ିଯିବା ଭଳି ସ୍ଥିତି ରହିଥାଏ। କିନ୍ତୁ ଗୁରୁବାର ଦିନ ରାଜଧାନୀର ଚିତ୍ର ଥିଲା ଭିନ୍ନ। ସନ୍ଧ୍ୟା ନ ହେଉଣୁ ରାଜଧାନୀରେ ରାତିର ଭ୍ରମ ସୃଷ୍ଟି ହୋଇଥିଲା। ଠିକ୍‌ ଅପରାହ୍‌ଣ ୫ଟା ବେଳେ ହଠାତ୍ ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା। କଳାମେଘ ପ୍ରଭାବରେ ଚାରିଆଡ଼େ ଘନ ଅନ୍ଧାର ମାଡ଼ି ଯାଇଥିଲା। ରାଜଧାନୀ ରାଜରାସ୍ତାରେ ଯାନବାହାନ ସବୁ ହେଡ୍‌ ଲାଇଟ୍‌ ଜଳାଇବାକୁ ବାଧ୍ୟ ହୋଇଥିଲେ। କିଛି କିଛି ରାସ୍ତାରେ ଷ୍ଟ୍ରିଟ୍‌ ଲାଇଟ୍‌ ଜଳି ଉଠିଥିଲା। ଅବଶ୍ୟ ବିଦ୍ୟୁତ୍ କଟିଯିବାରୁ ବହୁ ରାସ୍ତାରେ ଅନ୍ଧାର ରାଜୁତି କରିଥିଲା। ପ୍ରକୃତରେ ସୂର୍ଯ୍ୟାସ୍ତ ହୋଇନଥିଲା, କିନ୍ତୁ ଲାଗୁଥିଲା ଯେମିତି ରାତି ହୋଇଯାଇଛି। ଏତିକିବେଳେ ଥଣ୍ଡା ପବନ ସାଙ୍ଗକୁ ଝିପିଝିପି ବର୍ଷା ହୋଇଥିଲା। ରାଜଧାନୀ ପାଇଁ ଏହି ଚିତ୍ର ବେଶ୍ ଉପଭୋଗ୍ୟ ହୋଇଥିଲା। ପରେ ପରେ ଆରମ୍ଭ ହୋଇଥିଲା ବଡ଼ବର୍ଷା। ସୂଚନାଯୋଗ୍ୟ, ପୂର୍ବରୁ ପାଣିପାଗ ବିଭାଗ ତରଫରୁ ଜାରି କରାଯାଇଥିଲା ୟେଲୋୱାର୍ଣ୍ଣିଂ। ଭୁବନେଶ୍ୱର ସମେତ ଅନୁଗୁଳ, ନୟାଗଡ଼, ଖୋର୍ଦ୍ଧା, ଗଜପତି, କନ୍ଧମାଳ, ରାୟଗଡ଼ା ଏବଂ ଗଜପତି ଜିଲ୍ଲାକୁ ୟେଲୋୱାର୍ଣ୍ଣିଂ ଜାରି କରାଯାଇଥିଲା। ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଏହି ସବୁ ଅଞ୍ଚଳରେ ୩୦ରୁ ୪୦ କିମି ବେଗରେ ପବନ ବହିବା ସହିତ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା କୁହାଯାଇଥିଲା।

ସମ୍ବନ୍ଧିତ ଖବର