ରାଜଧାନୀରେ କାଳବୈଶାଖୀ ତାଣ୍ଡବ: ଗର୍ଜିଲା, ଭାଙ୍ଗିଲା, ଭସାଇଲା

କାନ ଅତଡ଼ା ପକାଇଲା ଘଡ଼ଘଡ଼ି, ଅଧଘଣ୍ଟା ଥରହର ରାଜଧାନୀ

ଭୁବନେଶ୍ବର : କୁଆଡ଼େ କିଛି ନଥିଲା। ହଠାତ୍‌ ଘୋଟି ଆସିଲା କଳାହାଣ୍ଡିଆ ମେଘ। ସଁ ସଁ ଗର୍ଜନ କରି ପବନ ବୋହିବା ସହ ତୁହାକୁ ତୁହା ଘଡ଼ଘଡ଼ି କାନ ଅତଡ଼ା କରି ପକାଇଲା। ପରେ ପରେ ଆକାଶରୁ ବରକୋଳିଆ ଠୋପା ଅଜାଡ଼ି ହୋଇପଡ଼ିଲା। ମାତ୍ର ୧୫ ମିନିଟ୍‌ ମଧ୍ୟରେ ରାଜଧାନୀ ପାଗରେ ଏ ବିରାଟ ପରିବର୍ତ୍ତନ ସମସ୍ତଙ୍କୁ ଅକଳ‌ରେ ପକାଇ ଦେଇଥିଲା। ବିଶେଷକରି ରାସ୍ତାଘାଟରେ ଯାଉଥିବା ଲୋକ ମୁଣ୍ଡ ଉପରେ ଛପର ଖୋଜିବା ବେଳକୁ ଗୋଟାପଣେ ଓଦା ହୋଇସାରିଥିଲେ। ଅପରାହ୍‌ଣ ପ୍ରାୟ ୪ଟା ୧୫ରୁ ଆରମ୍ଭ ହୋଇଥିବା ଏହି କାଳବୈଶାଖୀ ଏକ ବାତ୍ୟାର ଭ୍ରମ ସୃଷ୍ଟି କରିଥିଲା। ରାଜଧାନୀରେ ଜନଜୀବନ ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ଠପ୍‌ ହୋଇଯାଇଥିଲା।

ଘଣ୍ଟା ପ୍ରତି ୫୦ କିମି ବେଗରେ ପବନ ସାଙ୍ଗକୁ ବର୍ଷା ଯୋଗୁଁ ରାଜଧାନୀରେ ବ୍ୟାପକ କ୍ଷୟକ୍ଷତି ହୋଇଛି। କନିଅର, କୃଷ୍ଣଚୂଡ଼ା, ଚାକୁଣ୍ଡା, କଦମ୍ବ, ଦେବଦାରୁ ଆଦି ଗଛର ଡାଳ ମଡ଼ମାଡ଼ ହୋଇ ଭାଙ୍ଗି ପଡ଼ିଥିବା ବେଳେ ସେଥିରୁ କିଛି ମୂଳରୁ ଉପୁଡ଼ି ପଡ଼ିଥିଲା। ବାହାରେ ଥୁଆ ହୋଇଥିବା କାର୍‌, ବାଇକ୍‌କୁ ବି ବଡ଼ବଡ଼ ଡାଳ ମାଡ଼ି ବସିଥିଲା।

ପ୍ରବଳ ଝଡ଼ ଯୋଗୁଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟର ଜଣେ କର୍ମଚାରୀ ଆହତ ହୋଇଛନ୍ତି। କବାଟ ବାଡ଼େଇ ହୋଇ ତାଙ୍କ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ସେହିପରି ଆପୋଲୋ ହସ୍ପିଟାଲ ଛକରୁ ଦୂରଦର୍ଶନ ରୋଡ୍‌ରେ ଗଛ ପଡ଼ି ଗୋଟିଏ କାର୍‌ ସମେତ ବହୁ ବାଇକ୍‌ ଭାଙ୍ଗି ଯାଇଥିଲା। ସୈନିକ ସ୍କୁଲ- ଆଚାର୍ଯ୍ୟବିହାର ରାସ୍ତା ପାର୍ଶ୍ବ ବସ୍ତିରେ ଥିବା ଘର ଉପରେ ଗଛ ଡାଳ ଭାଙ୍ଗି ପଡ଼ିବାରୁ ୧୦ଟି ଘରର ଛପର ନଷ୍ଟ ହୋଇଯାଇଛି।

ଅପରପକ୍ଷେ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା କଟନ୍‌ ଫ୍ୟାବ୍‌ ପ୍ରଦର୍ଶନୀ, ବସ୍ତ୍ର ପ୍ରଦର୍ଶନୀ ଓ ଅଜନ୍ତା ସର୍କସର ୮୦ ଫୁଟିଆ ଟେଣ୍ଟ ହାଉସ୍‌ ଭୂଇଁରେ ଲୋଟି ପଡ଼ିଥିଲା। ଅସ୍ଥାୟୀ ଲସି ଦୋକାନ ଭାଙ୍ଗି ପଡ଼ିବା ସହ କ୍ୟାବିନ୍‌ ଉଡ଼ିଯାଇଥିଲା। ସେହିପରି ଗଛ ପଡ଼ି ବିଦ୍ୟୁତ୍‌ ତାର ଛିଡ଼ି ଯିବାରୁ ବହୁ ସ୍ଥାନ‌ରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଅନ୍ଧାର ରାଜୁତି କରିଥିଲା। ପ୍ରବଳ ବର୍ଷା ଯୋଗୁଁ ବମିଖାଲ୍‌ ଫ୍ଲାଏଓଭର୍‌, ରସୁଲଗଡ଼ ଛକ, ସିଆର୍‌ପି, ଇସ୍କନ ସମ୍ମୁଖ ରାସ୍ତା, ପୁରୁଣା ଭୁବ‌ନେଶ୍ବର ଆଦି ଅଞ୍ଚଳରେ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଚାଲିଥିଲା। ବଡ଼ଗଡ଼ ଜଗନ୍ନାଥ ଆଶ୍ରମ ନିକଟରେ ଥିବା ଇଏ କଲୋନିରେ ଲୋକଙ୍କ ଘରେ ପାଣି ପଶିଥିଲା। ବ୍ରିଟ୍‌ କଲୋନିର ମୁଖ୍ୟ ରାସ୍ତା କଡ଼ରେ ଥିବା ବଡ଼ ଗଛ ବିଦ୍ୟୁତ୍‌ ତାର ଉପରେ ଭାଙ୍ଗି ପଡ଼ିଥିଲା।


ୟୁନିଟ୍‌-୩ ଅଞ୍ଚଳରେ ନଳିନୀ ଦେବୀ କଲେଜ, ଖାରବେଳନଗର, ଇଞ୍ଚିନିୟରିଂ ଆସୋସିଏସନ୍‌ ହଲ ଆଦି ଅଞ୍ଚଳରେ ବହୁ ଗଛ ଭାଙ୍ଗି ପଡ଼ିଥିଲା। ୟୁନିଟ୍‌-୪ସ୍ଥିତ ପୋଷ୍ଟାଲ କଲୋନିରେ ବି ବହୁ କ୍ଷତି ହୋଇଛି। କଲୋନିରେ ଥିବା ଅଧିକାଂଶ ଗଛ ଉପୁଡ଼ି ରାସ୍ତା ଅବରୋଧ ହୋଇଥିଲା। କିଛି ଲୋକଙ୍କ ଘରେ ମଧ୍ୟ ଗଛ ପଡ଼ିଥିଲା। ସତ୍ୟନଗର ଦୁର୍ଗାମନ୍ଦିର ଓ ଚର୍ଚ୍ଚ ନିକଟସ୍ଥ ଗଛ ମଧ୍ୟ ଉପୁଡ଼ି ପଡ଼ିଥିଲା। ଶାନ୍ତିପଲ୍ଲୀ ବସ୍ତିରେ ଏକ ଇଲେକ୍ଟ୍ରିକ୍‌ ଖୁଣ୍ଟ ଉପୁଡ଼ି ପଡ଼ିଥିଲା। ଅଗ୍ନିଶମ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଗଛ କଟାଯାଇ ରାସ୍ତା ସଫା କରାଯାଇଥିଲା।

 

ସମ୍ବନ୍ଧିତ ଖବର